ବିବାହ ବନ୍ଧନରେ ବାନ୍ଧି ହେବାକୁ ପଳାତକ ସାଜିଥିବା ପ୍ରେମୀ ଯୁଗଳ ପୁଲିସ୍‌ ଥାନାରେ କଲେ ଆତ୍ମହତ୍ୟା ଉଦ୍ୟମ

ବେଙ୍ଗାଲୁରୁ: ବିବାହ ବନ୍ଧନରେ ବାନ୍ଧି ହେବାକୁ ପଳାତକ ସାଜିଥିବା ଏକ ପ୍ରେମୀଯୁଗଳ ପୁଲିସ୍‌ ଥାନା ଭିତରେ ବିଷପାନ କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ ଆନ୍ଧ୍ରପ୍ରଦେଶ କାଡ଼ପା ଜିଲ୍ଲାର ରାଜ(୨୨) ଓ ଅରୁଣା (୨୦) ଗୋଟିଏ କଲେଜରେ ଏକାଠି ପାଠ ପଢ଼ୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଦୀର୍ଘ ୬ବର୍ଷ କାଳ ପ୍ରେମ ସଂପର୍କରେ ରହିବା ପରେ ଉଭୟେ ପରସ୍ପରକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ, ଏ ବିବାହରେ ପ୍ରତିବନ୍ଧକ ସାଜିଥିଲେ ଅରୁଣାଙ୍କ ପରିବାର।

ଏ ପରିସ୍ଥିତିରେ ଗତ ୬ ତାରିଖରେ ରାଜ ଓ ଅରୁଣା ଘରୁ ଲୁଚି ବେଙ୍ଗାଲୁରୁକୁ ପଳାଇ ଯାଇ ସେଠାରେ ଉମା ନାମ୍ନୀ ଜନୈକା ମହିଳାଙ୍କ ଘରେ ଆଶ୍ରୟ ନେଇଥିଲେ। ଏବଂ ସେମାନଙ୍କୁ ବିବାହ କରିବାରେ ସାହାଯ୍ୟ କରିବାକୁ ସେମାନେ ଉମାଙ୍କୁ ଅନୁରୋଧ କରିଥିଲେ। ଏଣେ ଏହି ପ୍ରେମୀ ଯୁଗଳ ପଳାତକ ସାଜିବା ପରେ ଅରୁଣାଙ୍କ ପରିବାର ବର୍ଗ ପୁଲିସ୍‌ ଥାନାରେ ଅରୁଣାଙ୍କ ନିଖୋଜ ରିପୋର୍ଟ ଲେଖାଇଥିଲେ। ଏଥିସହ ଅରୁଣା ବେଙ୍ଗାଲୁରୁରେ ରହୁଥିବା କୌଣସି ସୂତ୍ରରୁ ଜାଣିବା ପରେ ଅରୁଣାଙ୍କ ପରିବାର ବର୍ଗ ଆସି ବେଙ୍ଗାଲୁରୁର ଅଶୋକନଗର ପୁଲିସ୍‌ ଥାନାରେ ପହଞ୍ଚିଥିଲେ। ଅରୁଣାଙ୍କ ପିତାମାତାଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା କରେ ଥାନା କର୍ତ୍ତୃପକ୍ଷ ଉଭୟଙ୍କୁ ଥାନାକୁ ଡକାଇଥିଲେ।
ପ୍ରେମୀ ଯୁଗଳ ଯେତେବେଳେ ଥାନାରେ ପହଞ୍ଚି ଦେଖିଲେ ଯେ ଅରୁଣାଙ୍କ ପରିବାର ବର୍ଗ ତାଙ୍କୁ ଘରକୁ ଫେରାଇ ନେବାକୁ ଆସିଛନ୍ତି ସେତେବେଳେ ସେମାନେ ଥାନା ବାହାରକୁ ଚାଲିଆସିବା ସହ ପାଖରେ ରଖିଥିବା ଏକ କେଶ ରଙ୍ଗକୁ ପିଇ ଦେଇଥିଲେ। ଏଘଟଣା ଦେଖିବା ପରେ ପୁଲିସ୍‌ ସେମାନଙ୍କୁ ସଙ୍ଗେସଙ୍ଗେ ଗୁରୁତର ଅବସ୍ଥାରେ ନିକଟସ୍ଥ ସେଣ୍ଟ ଫିଲୋମେନା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ଏବେ ପ୍ରେମୀ ଯୁଗଳଙ୍କ ଅବସ୍ଥା ସ୍ଥିର ରହିଛି। ହେଲେ, ଆତ୍ମହତ୍ୟା ଉଦ୍ୟମ ଅଭିଯୋଗରେ ପୁଲିସ୍‌ ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୦୯ ଦଫାରେ ଏକ ମାମଲା ରୁଜ୍ଜୁ କରିଛି।
ଅନ୍ୟପକ୍ଷରେ, ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଉଭୟ ରାଜ ଏବଂ ଅରୁଣା ପ୍ରାପ୍ତ ବୟସ୍କ ହୋଇଥିବାରୁ ଏବଂ ସେମାନେ ନିଜ ପସନ୍ଦରେ ବିବାହ କରିବାକୁ ଚାହୁଁଥିବାରୁ ସେମାନଙ୍କ ବିବାହ କରାଇଦେବାକୁ ଅରୁଣାଙ୍କ ପିତାମାତାଙ୍କୁ ପରାମର୍ଶ ଦେଇଛନ୍ତି ପୁଲିସ୍‌ ଅଧିକାରୀ।

ସମ୍ବନ୍ଧିତ ଖବର