ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ରେ ଜଣେ ମହିଳା ଝିଅ ବାହାଘରସ୍ଥିର ହୋଇଥିବା ଯୁବକଙ୍କ ସହିତ ଅର୍ଥାତ ଭାବି ଜ୍ବାଇଁ ସହିତ ଫେରାର ହୋଇଯାଇଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।
ଏହି ଘଟଣାକୁ ନେଇ ଫେରାର ମହିଳା ସ୍ବପ୍ନାଙ୍କ ସ୍ବାମୀ ଜିତେନ୍ଦ୍ର କହିଛନ୍ତି,‘ ମୋ ସ୍ତ୍ରୀ ସ୍ବପ୍ନା ଘରୁ ସାଢ଼େ ୩ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛି। ସେ ସବୁ ଟଙ୍କା ସ୍ବପ୍ନା ଘରକୁ ଫେରାଇ ଆଣୁ। କାରଣ ମୁଁ ଜାଣିଛି ସେ ଯେଉଁ ଯୁବକ ସହିତ ଫେରାର ହୋଇଛି। ସେ କେବଳ ନିଜ ସ୍ବାର୍ଥ ରଖିଛି। ସ୍ବାର୍ଥ ପୁରଣ ହୋଇଗଲେ ସ୍ବପ୍ନାକୁ ସେ ଧକ୍କା ଦେଇ ବାହାର କରି ଦେବ।
ମୁଁ ସ୍ବପ୍ନାର ସବୁ ଦୋଷ କ୍ଷମା କରିଦେବି। ସେ ଘରକୁ ଫେରି ଆସୁ। ମୁଁ ତାକୁ ଛାଡ଼ପତ୍ର ଦେବି ନାହିଁ। କାରଣ ଘରେ ଛୋଟଛୋଟ ପିଲା ଅଛନ୍ତି। ସେମାନେ ଏହି ଘଟଣାରେ ଭାଙ୍ଗି ପଡ଼ିଛନ୍ତି। ମୁଁ ପିଲାଙ୍କୁ ସମ୍ଭାଳି ରଖିଛି। ସ୍ବପ୍ନାଙ୍କ ଏହି ପଦକ୍ଷେପ ଦ୍ବାରା ମୋ ଉପରେ କ’ଣ ବିତୁଛି ତାହା ମୁଁ ହିଁ ଜାଣିଛି।’
ଭାବି ଜ୍ବାଇଁ ସହିତ ଫେରାର ହୋଇଥିବା ମହିଳା ସ୍ବପ୍ନା ପୁଲିସ ନିକଟରେ ଆତ୍ମସମର୍ପଣ କରି କହିଛନ୍ତି,‘ମୋ ସ୍ବାମୀ ପ୍ରତିଦିନ ମଦ୍ୟପାନ କରି ଘରକୁ ଆସି ମୋ ସହିତ ଓ ମୋ ଝିଅ ସହିତ ଝଗଡ଼ା କରି ମାଡ଼ ମାରୁଥିଲେ। ଜ୍ବାଇଁ ସହିତ ମୁଁ କଥା ହେବା ଦିନ ଠାରୁ ସେ ଯେଭଳି ଭାବେ ମୋ ଯତ୍ନ ନେଲେ ମୁଁ ମନେମନେ ତାଙ୍କୁ ଭଲ ପାଇ ବସିଥିଲି। ଆଉ ସେ ବି ମୋ ଭଲ ପାଇବାକୁ ଗ୍ରହଣ କରିଥିଲେ। ତେଣୁ ଆମେ ଦୁହେଁ ଘରେ କାହାକୁ କିଛି ନକହି ଫେରାର ହୋଇଯାଇଥିଲୁ। ଘରୁ ମୁଁ ୨୦୦ଟଙ୍କା ଓ ମୋ ଫୋନ ଛଡ଼ା ଆଉ କିଛି ହେଲେ ନେଇ ନାହିଁ ମୋ ବିରୋଧରେ କରାଯାଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ମିଥ୍ୟା।’