ହତ୍ୟା ମାମଲା ରୁଜୁ , ସ୍ୱାମୀ ଗିରଫ

ସାଲିଆସାହି ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା

ଭୁବନେଶ୍ୱର : ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହି ବାଜପେୟୀନଗରରେ ରହୁଥିବା ସୁମିତ୍ରା ପଟ୍ଟନାୟକ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି। ପୁଲିସ ଆଜି ହତ୍ୟା ମାମଲା ରୁଜୁ କରିଛି। ଏ ନେଇ ଥାନା କେସ ନମ୍ବର ୪୭୨/୧୭ ଦଫା ୪୯୮ (ଏ)/ ୩୦୨/ ୩୦୪ (ବି), ୩୪୧/ ୪ରେ ସ୍ୱାମୀ ବିରଞ୍ଚିନାରାୟଣ ପଟ୍ଟନାୟକକୁ ଗିରଫ କରିଛି। ଆଜି ଅପରାହ୍‌ଣରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ବିରଞ୍ଚିଙ୍କ ନିଜ ଘର ନୟାଗଡ଼ ଓଡ଼ଗାଁର ଜାମୁସାହିରେ। ଏଠାରେ ସେ ସାଲିଆସାହିରେ ରହି ରଙ୍ଗମିସ୍ତ୍ରି ଭାବେ କାମ କରୁଥିଲେ। ଗତକାଲି ସୁମିତ୍ରାଙ୍କ ମା’ ନିରୁପମା ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

ଗତକାଲି ନିରୁପମା ଅଭିଯୋଗ କରିଥିଲେ ଯେ, ୭ ବର୍ଷ ତଳେ ସୁମିତ୍ରା ଓ ବିରଞ୍ଚି ପ୍ରେମ ବିବାହ କରିଥିଲେ। ବିବାହ ପରେ ଅଧିକ ଯୌତୁକ ଦାବି କରି ଜ୍ୱାଇଁ ସୁମିତ୍ରାଙ୍କୁ ମାର୍‌ପିଟ କରୁଥିଲେ। ଏ ନେଇ ସୁମିତ୍ରା ବାପଘରକୁ ଜଣାଇଥିଲେ। ପରେ ସୁମିତ୍ରା ଜାଣିବାକୁ ପାଇଥିଲେ କି ତାଙ୍କ ସ୍ୱାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ଅଛି। ଏଥିପାଇଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଦୁଇ ଦିନ ତଳେ ଝିଅକୁ ଖାଇବାରେ ବିଷ ଦେଇ ହତ୍ୟା କରିଛନ୍ତି ବୋଲି ନିରୁପମା ଅଭିଯୋଗ କରିଥିଲେ।

ଏଠାରେ ପ୍ରକାଶଥାଉକି, ସାଲିଆସାହି ବାଜପେୟୀନଗରରେ ରହୁଥିବା ସୁମିତ୍ରାଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା। ସୁମିତ୍ରା ବିଷ ପାନ କରିଥିବା ବିରଞ୍ଚି କହୁଥିଲେ ମଧ୍ୟ ସୁମିତ୍ରାଙ୍କ ପରିବାର ଲୋକ ଏହାକୁ ବିଶ୍ୱାସ କରି ପାରି ନ ଥିଲେ। ଏ ନେଇ ସୁମିତ୍ରାଙ୍କ ମା’ ନିରୁପମା ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର