ଗୋଇଠା ମାରିବା ପରେ ଉପର ସିଟରୁ ତଳକୁ ଘୋଷାରି ଆଣି ଯାତ୍ରୀଙ୍କୁ ପିଟିବା ଟିଟିଇଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ପବନ ଏକ୍ସପ୍ରେସର ଟ୍ରେନରେ ଜଣେ ଯାତ୍ରୀ ଓ ଟିଟିଇଙ୍କ ମଧ୍ୟରେ ମାଡପିଟାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଘଟଣାରେ ସମସ୍ତିପୁର ରେଳମଣ୍ଡଳ ମାଡପିଟା କରୁଥିବା ଦୁଇଜଣ ଟିଟିଇଙ୍କୁ ନିଲମ୍ବନ କରି ଦେଇଛି ବୋଲି ଡିଆରଏମର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ସୂଚନା ଦିଆଯାଇଛି। ଭାଇରାଲ ହୋଇଥିବା ଭିଡିଓ ଜାନୁଆରି ୨ ତାରିଖର ବୋଲି କୁହାଯାଉଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଲୋକମାନ୍ୟ ତିଲକ ଟର୍ମିନାଲରୁ ଜୟନଗର ଯିବାକୁ ଥିବା ପବନ ଏକ୍ସପ୍ରେସର ଜେନେରାଲ ବାଗିରେ ତୋଲି ଷ୍ଟେସନ ନିକଟରେ ସମସ୍ତିପୁର ରେଳମଣ୍ଡଳର ୨ଜଣ ଟିଟିଇ ଯାତ୍ରୀଙ୍କ ଠାରୁ ଟିକେଟ ଯାଞ୍ଚ କରୁଥିଲେ। ଏହି ସମୟରେ ଉପର ସିଟରେ ବସିଥିବା ଜଣେ ଯାତ୍ରୀଙ୍କୁ ଟିଟିଇ ଟିକେଟ ଦେଖାଇବାକୁ କହିଥିଲେ। ଏହାପରେ ଯାତ୍ରୀ ଜଣକ ଟିଟିଇଙ୍କୁ ଟ୍ରେନର ଲୋକୋପାଇଲଟ ବୋଲି କହିଥିଲେ। ଯେମିତି ଟିଟିଇ ଆଇକାର୍ଡ ଦେଖାଇବାକୁ କହିଥିଲେ, ସେତେବେଳେ ଯାତ୍ରୀ ଜଣକ ନିଜକୁ ଏକ ବଡ଼ ଅଧିକାରୀ ବୋଲି କହିଥିଲେ। ଏହି କାରଣକୁ ନେଇ ଟିଟିଇ ଓ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା।

ଏହାପରେ ତଳେ ଛିଡ଼ା ହୋଇଥିବା ଟିଟିଇଙ୍କୁ ଯାତ୍ରୀ ଗୋଇଠା ମାରିଥିଲେ। ଆଉ ରାଗରେ ଟିଟିଇ ଯାତ୍ରୀଙ୍କୁ ସିଟରୁ ତଳକୁ ଆଣି ନିସ୍ତୁକମାଡ଼ ମାରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ସମସ୍ତିପୁର ରେଳମଣ୍ଡଳ ଦୁଇଜଣ ଟିଟିଇଙ୍କୁ ନିଲମ୍ବନ କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯାତ୍ରୀଙ୍କୁ ନେଇ ପଚରାଉଚରା ଜାରି ରଖିଛି।

 

 

ସମ୍ବନ୍ଧିତ ଖବର