ସମୀର ମୋତେ ବ୍ଲାକ୍‌ମେଲ୍‌ କରୁଛନ୍ତି

ମୁହଁ ଖୋଲିଲେ ପୀଡ଼ିତା ଛାତ୍ରୀ

ଭୁବନେଶ୍ୱର: ଉତ୍କଳ ସଂଗୀତ ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଜଣେ ପୁରାତନ ଛାତ୍ର ନିଶା ବଟିକା ଖୁଆଇ ନଗ୍ନ ଭିଡିଓ ଓ ଫଟୋ ଉତ୍ତୋଳନ କରିଥିବା ଘଟଣାରେ ଆଜି ମୁହଁ ଖୋଲିଛନ୍ତି ସଂପୃକ୍ତ ଛାତ୍ରୀ। କହିଛନ୍ତି ପୁରାତନ ଛାତ୍ର ସମୀର ତାଙ୍କୁ ଏକ ତରଫା ପ୍ରେମ କରି ଆସୁଛନ୍ତି। ୨୦୧୬ ମସିହାରେ ସମସ୍ତ ଛାତ୍ରଛାତ୍ରୀ ଏକ ପିକନିକ୍‌ ଯାଇଥିଲେ। ସେଠାରେ ଏକ ନଦୀରେ ସେ ଗାଧୋଉ ଥିବାବେଳେ ସମୀର ମୋବାଇଲ୍‌ ଫୋନ୍‌ରେ ତାଙ୍କ ନଗ୍ନ ଫଟୋ ଉଠାଇ ଥିଲେ। ସେହି ଫଟୋକୁ ଦେଖାଇ ବିଭିନ୍ନ ସମୟରେ ବ୍ଲାକମେଲ୍‌ କରୁଛନ୍ତି। ଏପରିକି ତାଙ୍କଠାରୁ ଥରେ ୩ ହଜାର ଟଙ୍କା ନେଇ ସାରିଛନ୍ତି ମଧ୍ୟ। ଆସନ୍ତା ଫେବ୍ରୁଆରି ୧୫ ତାରିଖରେ ତାଙ୍କୁ ଅପହରଣ କରି ନେବାକୁ ଧମକ ଚମକ ଦେଇଥିଲେ। ବଡ଼ କଥା ହେଉଛି ଏଥିରେ ସମୀରଙ୍କୁ ସହଯୋଗ କରୁଛନ୍ତି ଛାତ୍ରୀଙ୍କର ଜଣେ ସହପାଠୀ। ଏପରିିକି ସେ ମଧ୍ୟ ବ୍ଲାକମେଲ୍‌ କରୁଛନ୍ତି ବୋଲି କହିଛନ୍ତି ଛାତ୍ରୀ ଜଣକ। ଆଜି ଛାତ୍ରୀ ଜଣକ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରୁ ବାହାରି ଥିଲେ। ଏହି ସମୟରେ ଗଣମାଧ୍ୟମ ସୂଚନା ଦେଇ ଛାତ୍ରୀ ଜଣକ କହିଛନ୍ତି, ସମୀରଙ୍କ ଭଉଣୀ ହିଁ ଘଟଣା ଦିନ ଚକୋଲେଟ ଭଳି ଏକ ଟାବଲେଟ ଦେଇଥିଲେ ଖାଇବାକୁ। ସେହି ଚକୋଲେଟ ଖାଇବା ପରେ ବାରମ୍ବାର ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ।

୨୦୧୬ ମସିହା ପିକ୍‌ନିକ୍‌ବେଳେ ଉଠାଇଥିଲେ ନଗ୍ନ ଫଟୋ
ଅପହରଣ କରି ନେବାକୁ ଦେଉଥିଲେ ଧମକ
ଛାତ୍ରୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର
ସମୀର ନାମଧାରୀ କେହି ଛାତ୍ର ନାହାନ୍ତି: ଏସିପି

ଅନ୍ୟପକ୍ଷରେ ଛାତ୍ରୀ ଜଣକ ଦିନବେଳେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରୁ ବାହାରି ଥିବାବେଳେ ପୁଣି ଥରେ ଅପରାହ୍‌ଣରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଥିଲେ। କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଛାତ୍ରୀଙ୍କୁ କଟକ ବଡ଼ ମେଡିକାଲ୍‌ ପଠାଇ ଦେଇଛନ୍ତି। ଖବର ପାଇ କ୍ୟାପିଟାଲ ଥାନା ଏସିପି ମାନସ ଗଡ଼ନାୟକ ପ୍ରମୁଖ ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସିପି ଅନୁପ କାନୁନଗୋ। କହିଛନ୍ତି ଛାତ୍ରୀ ଜଣକ ଯେଉଁ ପୁରାତନ ଛାତ୍ର ସମୀରଙ୍କ ବିଷୟରେ କହୁଛନ୍ତି ଏଭଳି ନାମଧାରୀ ଛାତ୍ର ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ହିଁ ନାହାନ୍ତି। ଏହା ଛଡ଼ା ଛାତ୍ରୀ ଜଣକ କହୁଛନ୍ତି, ପ୍ରୟାସ ନାମକ ଏକ ଶିକ୍ଷାନୁଷ୍ଠାନରେ ସମୀର ଟ୍ୟୁସନ୍‌ ହୁଅନ୍ତି। ସେଠାକୁ ମଧ୍ୟ ପୁଲିସ ପଚରା ଉଚରା କରିବାକୁ ଯାଇଥିଲା, ସେଠାରେ ସମୀର ନାମଧାରୀ କୌଣସି ଛାତ୍ର ହିଁ ନାହାନ୍ତି। ସେହିପରି ଯେଉଁ ସହପାଠୀ ତପସ୍ୱନୀଙ୍କ ନାଁ କହୁଛନ୍ତି ସେମିତି ନାମଧାରୀ ଛାତ୍ରୀ କଲେଜରେ ହିଁ ନାହାନ୍ତି। ପୁଲିସ ଏବେ ତଦନ୍ତବେଳେ ଜାଣିବାକୁ ପାଇଁ ଛାତ୍ରୀ ଓ ତାଙ୍କ ବାପାଙ୍କ ଏଭଳି ଅଭିଯୋଗ ନେଇ କିଛି ରହସ୍ୟ ଅଛି। ଖୁବ୍‌ ଶୀଘ୍ର ସତ ପଦାକୁ ଆସି ଯିବ। ଏଠାରେ ପ୍ରକାଶଥାଉକି, ଦୁଇ ଦିନ ତଳେ ଛାତ୍ରୀଙ୍କ ବାପା ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ, ଝିଅର ପରୀକ୍ଷା ଥିଲା। ତାଙ୍କୁ ସେ ନିଜେ ମହାବିଦ୍ୟାଳୟକୁ ଛାଡିବାକୁ ଯାଇଥିଲେ। ଦିନ ପ୍ରାୟ ସାଢ଼େ ୧୨ଟାବେଳେ ତାଙ୍କ ବଡ଼ ଝିଅ ମହାବିଦ୍ୟାଳୟରୁ ସାନ ଝିଅକୁ ଘରକୁ ନେଇ ଆସିଥିଲା। ତେବେ ଘରେ ପହଞ୍ଚିବା ପରେ ସେ ଚେତାଶୂନ୍ୟ ହୋଇ ଯାଇଥିଲେ। ଏଭଳି ଘରେ ଦୁଇ ଦୁଇ ଥର ଚେତାଶୂନ୍ୟ ହେବା ପରେ ଘର ଲୋକ ତାଙ୍କୁ ପଚାରିବାରୁ ସେ କହିଥିଲେ, କି କଲେଜର ତାଙ୍କର ଜଣେ ସହପାଠୀ ଓ ପୁରାତନ ଛାତ୍ର ଚକୋଲେଟ ଭଳି ଏକ ବଟିକା ଦେଇଥିଲେ। ଏହି ବଟିକା ଖାଇବା ପରେ ପରେ ଚେତଶୂନ୍ୟ ଭଳି ଅନୁଭବ କଲେ। ପରେ ନିଜକୁ ସେ ମହାବିଦ୍ୟାଳୟର ଟଏଲେଟ ଭିତରେ ପାଇଥିଲେ। ଚେତା ଫେରିବା ପରେ ଝିଅ ଜାଣିବାକୁ ପାଇଛନ୍ତି କି, ତାଙ୍କ କେହି ଉଲଗ୍ନ କରି ମୋବାଇଲ୍‌ ଫୋନ୍‌ରେ ଫଟୋ ଓ ଭିଡିଓ ସୁଟିଂ କରିଛି। ଏହା ପରେ ପରିବାର ଲୋକ ଝିଅକୁ ପ୍ରଥମେ ୟୁନିଟ-୩ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର