ସନ୍ନ୍ୟାସୀ ହତ୍ୟା ମାମଲାକୁ ୨ ସପ୍ତାହ ବିତିଲା, ଅପରାଧୀର ପତ୍ତା ପାଉନି ପୁଲିସ

ଖଣ୍ଡଗିରି : ସ୍ଥାନୀୟ ଗଣ୍ଡମୁଣ୍ଡାସ୍ଥିତ ତାରିଣୀ ବସ୍ତିର ସନ୍ନ୍ୟାସୀ ସ୍ୱାଇଁ(୫୦)ଙ୍କ ହତ୍ୟାକାରୀର ପତ୍ତା ପାଉନି କମିସନରେଟ୍‌ ପୁଲିସ। ଗତ ୧୮ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଏହି ହତ୍ୟାକାଣ୍ଡର ଆସାମୀ ଏବେ ବି ପୁଲିସକୁ ଚକ୍‌ମା ଦେଇ ଫେରାର୍‌ ରହିଛି। ଖଣ୍ଡଗିରିି ଥାନା ପୁଲିସ ଅନ୍ଧାରରେ ବାଡ଼ି ବୁଲାଇ ବୁଲାଇ ନାକେଦମ୍‌ ହେଲାଣି ସିନା, ଅପରାଧୀର ଟେର୍‌ ପାଇ ନଥିବା ଜଣାପଡ଼ିଛି। ବଡ଼ ସୁଚିନ୍ତିତଭାବେ ସନ୍ନ୍ୟାସୀଙ୍କୁ ହତ୍ୟା କରିଥିବା ଅପରାଧୀ ଘଟଣାସ୍ଥଳରେ ସାମାନ୍ୟତମ ସୁରାକ୍‌ ଛାଡ଼ି ନଥିବାରୁ ପୁଲିସ ହରଡ଼ଘଣାରେ ପଡ଼ିଛି। ତେବେ ଅପରାଧୀକୁ ଗିରଫ କରିବାରେ ବିଳମ୍ବ ହେଉଥିବାରୁ ବସ୍ତିବାସିନ୍ଦାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଶ୍ରମିକଭାବେ କାମ କରି ପରିବାର ଚଳାଉଥିବା ସନ୍ନ୍ୟାସୀ ଜଣେ ସରଳ ଲୋକ ଥିବା ବସ୍ତିବାସିନ୍ଦାମାନଙ୍କ ମତ। ତାଙ୍କର କେହି ଶତୃ ନଥିବା ଲୋକେ କହିଛନ୍ତି। କିନ୍ତୁ ଗତ ୧୮ ତାରିଖ ରାତିରେ ସେ ଘରେ ଏକା ଥିବାର ସୁଯୋଗ ନେଇ କେହି ତାଙ୍କୁ ନିର୍ମମଭାବେ ଶୋଇବା ଅବସ୍ଥାରେ ହାଣି ପକାଇଥିଲା। ମୁଣ୍ଡ ପଛରେ ଓ ବେକର ପଛପଟେ ପ୍ରାୟ ୭/୮ ଚୋଟ ବାଜିଥିଲା। ପରଦିନ ସକାଳେ ଅର୍ଥାତ୍‌ ୧୯ ତାରିଖ ଦିନ ପାଖ ପଡ଼ୋଶୀମାନେ ଘର ଭିତରେ ସନ୍ନ୍ୟାସୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ଖଣ୍ଡଗିରି ଥାନା ପୁଲିସକୁ ଜଣାଇଥିଲେ। ପୁଲିସ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଭୁବନେଶ୍ୱର ଏମ୍‌ସରେ ଭର୍ତି କରିଥିଲା। ମାତ୍ର ଦୁଇ ଦିନ ଚିକିତ୍ସା ପରେ ସନ୍ନ୍ୟାସୀ ଆଖି ବୁଜି ଦେଇଥିଲେ। ଏହା ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ଅପରାଧୀକୁ ଖୋଜିବା ଆରମ୍ଭ କରିଥିଲା। କିନ୍ତୁ ଏ ଭିତରେ ଦୁଇ ସପ୍ତାହରୁ ଅଧିକ ଦିନ ବିତି ସାରିଥିଲେ ସୁଦ୍ଧା ଅପରାଧୀ ନିକଟରେ ପୁଲିସ ପହଞ୍ଚି ପାରିନାହିଁ। ଅପରାଧୀ ବଡ଼ ଚତୁରତାର ସହ ସନ୍ନ୍ୟାସୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ତାଙ୍କୁ ଶୋଇବା ଅବସ୍ଥାରେ ଏମିତି ହାଣି ପକାଇଥିଲା ଯେ ତାଙ୍କ ଚିତ୍କାର ବାହାରକୁ ଆସି ପାରିନଥିଲା। ଫଳରେ ବସ୍ତିବାସିନ୍ଦାମାନେ ଏହି ଜଘନ୍ୟକାଣ୍ଡର ଟେର୍‌ ପାଇନଥିଲେ। ସେହିଭଳି ଦୁର୍ବୃତ୍ତଜଣଙ୍କ ଘଟଣାସ୍ଥଳରେ କିଛି ବି ଛାଡ଼ି ଯାଇନାହିଁ। ଫଳରେ ପୁଲିସ ପାଇଁ ସୁରାକ୍‌ ନାହିଁ।

ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାରୁ ପୁଲିସକୁ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଥିବା ଜଣାପଡ଼ିଛି। କାହା ସହ ଶତୃତା ନଥିବା ଶାନ୍ତସ୍ୱଭାବର ସନ୍ନ୍ୟାସୀଙ୍କୁ କିଏ କାହିଁକି ହତ୍ୟା କଲା, ତାହା ଖୋଜି ବାହାର କରିବା ପୁଲିସ ପାଇଁ ସମସ୍ୟା ସୃଷ୍ଟି କରିଛି। ତେଣୁ ସନ୍ୟାସୀଙ୍କ ଅତି ପରିଚିତ ବ୍ୟକ୍ତିମାନଙ୍କୁ ପୁଲିସ ପଚରାଉଚରା କରି କାରଣ ଖୋଜୁଛି। ହତ୍ୟାକାଣ୍ଡ ପଛରେ ନିଶ୍ଚୟ ଏକ ବଡ଼ କାରଣ ଛପି ରହିଛି ଓ ଏହା ପାଖ ଲୋକଙ୍କ ପାଖରେ ଅଛି ବୋଲି ପୁଲିସ ନିଶ୍ଚିତ ହୋଇଥିବା ଜଣାପଡ଼ିଛି। ତେବେ ଅପରାଧୀକୁ ଧରିବା ପାଇଁ ଖଣ୍ଡଗିରି ଥାନା ପୁଲିସ ସମସ୍ତ ଜୁ ଲଗାଇଥିବା ଓ ତାକୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର