ସନ୍ନ୍ୟାସୀ ହତ୍ୟାର ମୁଖ୍ୟ ଅଭିଯୁକ୍ତ କୋଲକାତାରୁ ଗିରଫ

ଶେରଗଡ଼: ଗତ ୩ ତାରିଖ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ପିତଳ ଗ୍ରାମର ସନ୍ନ୍ୟାସୀ ସାହୁଙ୍କୁ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ମେଢ଼ ବିସର୍ଜନ ବେଳେ ଦେହରେ ବାଇକ୍‌ ବାଜି ଯିବାକୁ କେନ୍ଦ୍ର କରି ଦୁଇ ବର୍ଷ ତଳର ଏକ ଛୋଟିଆ ଗଣ୍ଡଗୋଳ ଏହି ହତ୍ୟାକାଣ୍ଡର କାରଣ ବୋଲି ପୁଲିସ କହିଛି। ହତ୍ୟାକାଣ୍ଡରେ ସଂପୃକ୍ତ ପିତଳ ଗ୍ରାମର ପ୍ରକାଶ ନାଇକ, ଆର୍‌.ରାମା ରାଓ, ଦଣ୍ଡପାଣି ସାହୁ, ଜଗନ୍ନାଥ ନାୟକ ଏବଂ ବ୍ରାହ୍ମଣଛାଇ ଗ୍ରାମର ଅଜୟ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସେମାନଙ୍କଠୁ ଗୋଟିଏ ସେଭ୍ରୋଲେ କାର୍‌, ଦୁଇଟି ବାଇକ୍‌ ଓ ଅଟୋ ସମେତ ରକ୍ତ ଲାଗିଥିବା ଷ୍ଟିଲ୍‌ ପାଇପ୍‌ ଜବତ ହୋଇଥିବା ହିଞ୍ଜିଳି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। କୋଲାକାତାରୁ ମୁଖ୍ୟ ଅଭିଯୁକ୍ତ ପ୍ରକାଶକୁ ଗିରଫ କରା ଯାଇଛି। ବଲାଙ୍ଗୀରରୁ ଦଣ୍ଡପାଣି, ବିଶାଖାପାଟଣାରୁ ଜଗା, ପିତଳରୁ ରାମାରାଓ ଏବଂ ଅକ୍ଷୟଙ୍କୁ ଗିରଫ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସ୍‌ଡିପିସ ସୁବାସ ଚନ୍ଦ୍ର ପଣ୍ଡା ଓ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।
ଦୁଇବର୍ଷ ତଳେ ଗଣେଶ ମେଢ ବିସର୍ଜନ ବେଳେ ସନ୍ନ୍ୟାସୀ ଓ ପ୍ରକାଶଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପ୍ରକାଶ ବାଇକ୍‌ରେ ଯାଉଥିବା ବେଳେ ସନ୍ନ୍ୟାସୀଙ୍କ ଦେହରେ ବାଜି ଯାଇଥିଲା। ସେ ରାଗିଯାଇ ପ୍ରକାଶଙ୍କ ବାଇକ୍‌ ଚାବିଟିକୁ ନେଇ ଯାଇଥିଲେ। ଏହା ପରେ କିଛି ପିଲାଙ୍କୁ ଡାକି ପ୍ରକାଶଙ୍କୁ ମାରଧର କରିବା ସହ ଧମକଚମକ ଦେଇଥିଲେ। ଏହି ଘଟଣା ପରେ ସନ୍ନ୍ୟାସୀଙ୍କୁ ହତ୍ୟା କରିବାକୁ ପ୍ରକାଶ ପ୍ରତିଜ୍ଞା ନେଇ ଥିଲେ।
ଗତ ୩ ତାରିଖରେ ପ୍ରକାଶ ତାଙ୍କ ସାଙ୍ଗ ମାନଙ୍କ ସହ ମିଳିମିଶି ପିତଳ ବିଦେଶୀ ମଦ ଦୋକାନରେ ମଦ ପିଇଥିଲେ। ଏହା ପରେ ଦଣ୍ଡପାଣି, ଜଗା, ରାମା ରାଓ, ଅକ୍ଷୟ ପ୍ରଧାନ ଓ ଆସିକାର ସମୀର ଦାଶ ସହ ମିଶି ସନ୍ନ୍ୟାସୀଙ୍କୁ ସବୁ ଦିନ ପାଇଁ ବାଟରୁ ହଟାଇବାକୁ ଯୋଜନା କରିଥିଲେ। ଦଣ୍ଡପାଣିଙ୍କ କାର୍‌, ୟମାହା ବାଇକ୍‌ ଓ ରାମାରାଓଙ୍କ ଅଟୋରେ ସମସ୍ତେ ରାତି ପ୍ରାୟ ୧୦ଟାରେ ପିତଳ ଗ୍ରାମକୁ ଆସିଥିଲେ। ସନ୍ନ୍ୟାସୀ ଚାଲି ଚାଲି ରମୁଣି ସାହି ଆଡ଼େ ଯାଉଥିବା ଖବର ପାଇବା ପରେ ସେମାନେ ଫେରିବାକୁ ଅପେକ୍ଷା କରିଥିଲେ। ଫେରିବା ସମୟରେ ୬ଜଣ ସନ୍ନ୍ୟାସୀଙ୍କୁ ଘେରି ଯାଇ ମାର୍‌ପିଟ୍‌ କରିବା ସହ ଏକ ଷ୍ଟିଲ୍‌ ପାଇପ୍‌ରେ ତାଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ। ଅଚେତ ହୋଇଯିବାରୁ କାଳେ ସେ ମରିଯାଇଥିବା ଭାବି ଛାଡ଼ି ପଳାଇଥିଲ। ଜଗା ଓ ପ୍ରକାଶ ବାଇକ୍‌ରେ ବୁଦା ମୁଳେ ଷ୍ଟିଲ୍‌ ପାଇପ୍‌କୁ ଲୁଚାଇ ନନ୍ଦିଘୋର ଗାଁକୁ ଯାଇ ସେଠାରେ ଜଣେ ବ୍ୟକ୍ତିିଙ୍କୁ ବାଇକ୍‌ ଦେଇ ଫେରାର୍‌ ହୋଇଯାଇଥିଲେ। ସେହିପରି ରାମାରାଓ ଓ ଅକ୍ଷୟ ଅଟୋ ଏବଂ ଦଣ୍ଡପାଣି ଓ ସମୀର କାର୍‌ରେ ବଲାଙ୍ଗୀର ପଳାଇଥିଲେ। ପୁଲିସ ସ୍ୱତନ୍ତ୍ର ଟିମ୍‌ ଛାନ୍‌ଭିନ୍‌ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର