ନାଗପୁର: ଜଣେ ୨୨ ବର୍ଷୀୟ କୃଷି-ବୈଜ୍ଞାନିକା ‘ଥାଲିୟମ୍’ ନାମକ ବିଷାକ୍ତ ରାସାୟନିକ ପଦାର୍ଥ ଦେଇ ନିଜ ସ୍ବାମୀ ଓ ଶାଶୂଘରର ୪ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା କଥା ପୁଲିସ କହିଛି।
କୁହାଯାଉଛି, ସଂଘମିତ୍ରା ନାମ୍ନୀ ଉକ୍ତ ବୈଜ୍ଞାନିକାଙ୍କ ଦାମ୍ପତ୍ୟ ଜୀବନ ଦୁର୍ବିଷହ ହୋଇଯିବା ଦେଖି ତାଙ୍କ ବାପା ଆତ୍ମହତ୍ୟା କରିଥିଲେ। ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସେ ‘ବିଷକ୍ରିୟାକାରୀଙ୍କର ବିଷ’ କୁହାଯାଉଥିବା ରଙ୍ଗହୀନ, ବାସ୍ନାହୀନ ଓ ସ୍ବାଦହୀନ ‘ଥାଲିୟମ୍’ ଦ୍ବାରା ସ୍ବାମୀ ଓ ଶାଶୂଘର ଲୋକଙ୍କୁ ହତ୍ୟା କରିଛନ୍ତି।
ଅଭିଯୁକ୍ତା ସଂଘମିତ୍ରା ରୋଜା ରାମ୍ତେକେ ନାମ୍ନୀ ତାଙ୍କର ଜଣେ ସହଯୋଗୀ ତଥା ଆତ୍ମୀୟଙ୍କ ସହାୟତାରେ ମହାରାଷ୍ଟ୍ରର ଏକ ଅନାମଧ୍ୟେୟ ମାଓ ଅଧ୍ୟୁଷିତ ଆଦିବାସୀ ପଡ଼ାରେ ଏହି ଅପରାଧ କରିଥିବା ସ୍ବୀକାର କରିଛନ୍ତି ବୋଲି ପୁଲିସ ଗୁରୁବାର ଦିନ କହିଛି। ଉଭୟଙ୍କୁ ଗିରଫ କରାଯାଇଛି।
୫ ମାସ ପୂର୍ବେ ଅକୋଲାସ୍ଥିତ ବାସଭବନରେ ବାପା ଫାଶୀ ଲଗାଇ ଜୀବନ ହାରିବା ପରେ ସଂଘମିତ୍ରା ‘ଥାଲିୟମ୍’ର ବ୍ୟବହାର ବିଷୟରେ ଗବେଷଣା କରି ପଡ଼ୋଶୀ ତେଲେଙ୍ଗାନା ରାଜ୍ୟରୁ ତାହାକୁ ଖରିଦ କରିଥିଲେ। ଝିଅ ସ୍ବାମୀ ଓ ଶାଶୂଘର ଲୋକଙ୍କ ନିର୍ଯାତନା ଭୋଗୁଥିବା ଜାଣି ବାପା ବିଷାଦଗ୍ରସ୍ତ ହୋଇପଡ଼ିଥିଲେ ବୋଲି ସଂଘମିତ୍ରାଙ୍କ ଘରଲୋକେ କହିଛନ୍ତି।
ମୃତ ବ୍ୟକ୍ତିମାନଙ୍କଠାରୁ ସଂଗୃହୀତ ନମୁନାର ଲାବ୍ରଟରି ପରୀକ୍ଷା କରାଯିବା ପରେ ‘ଥାଲିୟମ୍’ ବ୍ୟବହାର କରାଯାଇଥିବା କଥା ଜଣାପଡ଼ିଥିଲା। ଅବଶ୍ୟ ନମୁନା ପରୀକ୍ଷା ବେଳେ ଡାକ୍ତରମାନେ ପ୍ରଥମେ ଏହା ଜାଣି ନ ପାରି ଧୋକା ଖାଇଯାଇଥିଲେ। ସୂଚନାଯୋଗ୍ୟ, ସଂଘମିତ୍ରାଙ୍କ ଶାଶୂଘର ଲୋକଙ୍କ ମୃତ୍ୟୁ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।