ତାଲା ଭାଙ୍ଗି ଲୁଟ୍‌ ଘଟଣାରେ ୪ ଗିରଫ ସ୍କୁଟି, ଏଲ୍‌ଇଡି ଟିଭି ଓ ବ୍ୟାଟେରି ଜବତ

ଭୁବନେଶ୍ବର: ଘର ତାଲା ଭାଙ୍ଗି ଲୁଟ୍‌ପାଟ ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, ସାଲିଆସାହି ଆଦିବାସୀ ଗାଁର ଆଦିତ୍ୟ ରଂଜନ ଦାସ(୨୨), ଚନ୍ଦ୍ରମୋହନ ସିଂ(୧୯), ବାପୁ ଦାସ(୧୯) ଏବଂ ବୁଲୁ ନାୟକ(୩୩)। ପୁଲିସ ସେମାନଙ୍କଠାରୁ ଗୋଟିଏ ସ୍କୁଟି, ଏଲ୍‌ଇଡି ଟିଭି ଓ ବ୍ୟାଟେରି ଜବତ କରିଛି। ପୁଲିସ ସୂଚନା ମୁତାବକ, ଗତ ଏପ୍ରିଲ୍‌ ମାସରେ ଏକାମ୍ର ଭିଲ୍ଲା ପ୍ଲଟ ନଂ-୪୦ରେ ରହୁଥିବା ହିମାଂଶୁ ଶତପଥୀ ସପରିବାରେ ବାହାରକୁ ବୁଲିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଏପ୍ରିଲ୍‌ ୩୦ ତାରିଖ ରାତିରେ ଲୁଟେରାମାନେ ତାଙ୍କ ଘରେ କଳାକନା ବୁଲାଇଥିଲେ। ଉକ୍ତ ରାତିରେ ଲୁଟେରାମାନେ ଘର ତାଲା ଭାଙ୍ଗି ଆଲ୍‌ମିରାରୁ ୫ହଜାର ଟଙ୍କା, ଏଲ୍‌ଇଡି ଟିଭି, ବ୍ୟାଟେରି ସମେତ ବହୁ ଆସବାବପତ୍ର ନେଇ ଯାଇଥିଲେ। ପରଦିନ ସକାଳୁ ହିମାଂଶୁ ଘରେ ପହଞ୍ଚି ଏ ସଂପର୍କରେ ଜାଣିବାକୁ ପାଇବା ପରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ସିସିଟିଭି ଫୁଟେଜ୍ ଯାଞ୍ଚ କରି ଲୁଟେରାମାନଙ୍କୁ ଠାବ କରିଥିଲା। ବୁଧବାର ରାତିରେ ପୁଲିସ ସେମାନଙ୍କ ଘରେ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର