ସିସୋର ଚିଟଫଣ୍ଡ ଠକେଇ : ଜେଲ୍‌ ଗଲେ ଅବସରପ୍ରାପ୍ତ ଆଇଏଏସ୍‌ ପ୍ରଦୀପ ହୋତା

ପତ୍ନୀଙ୍କ ଆକାଉଣ୍ଟକୁ ଯାଇଛି ୧୯.୭୦ ଲକ୍ଷ ଟଙ୍କା

ଭୁବନେଶ୍ୱର : ୧୫ ଦିନ ତଳେ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ଗିରଫ କରିଥିବା ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ତଥା ଆପିକଲ୍‌ର ପୂର୍ବତନ ପରିଚାଳନା ନିର୍ଦେଶକ ପ୍ରଦୀପ କୁମାର ହୋତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଚଳିତ ମାସ ୧୦ ତାରିଖରେ ସିବିଆଇ ତାଙ୍କୁ କଟକ ସିଡିଏରେ ଥିବା ଘରୁ ଗିରଫ କରିଥିଲା। ପରେ ତାଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ଅଣାଯାଇ ସିବିଆଇ ଜେରା କରିବାବେଳେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଥିଲା। ସେହିଦିନଠାରୁ ସେଠାରେ ରହି ସେ ଚିକିତ୍ସିତ ହେଉଥିଲେ।

ସିବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ନବରଙ୍ଗପୁର ପାପଡ଼ାହାଣ୍ଡିଠାରେ ଏକ ମକା କାରଖାନା ପ୍ରତିିଷ୍ଠା ଲାଗି ସିସୋର କମ୍ପାନି ଆଗ୍ରହ ପ୍ରକାଶ କରିଥିଲା। ଏ ନେଇ ସିସୋର କମ୍ପାନି ଓ ଆପିକଲ ସହିତ ଏକ ଏମ୍‌ଓୟୁ ହୋଇଥିଲା। ସେତେବେଳେ ଶ୍ରୀ ହୋତା ଆପିକଲର ପରିଚାଳନା ନିର୍ଦେଶକ ଥିଲେ। ଏକ ଚିଟ୍‌ଫଣ୍ଡ କମ୍ପାନି ସହିତ କେମିତି ଓ କେଉଁ ଆଧାରରରେ ଆପିକଲ ଏମ୍‌ଓୟୁ କରିଥିଲା ଏ ନେଇ ସିବିଆଇ ଦୁଇ ଦୁଇ ଥର ଶ୍ରୀ ହୋତାଙ୍କୁ ଜେରା କରିଥିଲା। ଏହା ଛଡ଼ା ଶ୍ରୀ ହୋତାଙ୍କ ପୁଅ ଦେବାଶିଷ ହୋତା ସିସୋର କମ୍ପାନି ଏକ ପ୍ରମୁଖ ପଦବିରେ ଚାକିରି କରିଥିଲେ। ଶ୍ରୀ ହୋତା ୨୦୦୮ ମସିହାରୁ ୨୦୧୧ ମସିହା ପର୍ଯ୍ୟନ୍ତ ଆପିକଲରେ ଥିବାବେଳେ ସିସୋର କମ୍ପାନି ସହିତ ଅନେକ କୃଷିଭିତ୍ତିିକ ପ୍ରକଳ୍ପର ଚୁକ୍ତି କରାଇଥିଲେ। ଏହା ଛଡ଼ା ଭୁବନେଶ୍ୱର ବିମାନବନ୍ଦର ନିକଟରେ ଥିବା ଖାଦ୍ୟ ସଂରକ୍ଷଣ କାର୍ଯର୍୍ୟାଳୟକୁ ମଧ୍ୟ ସିସୋରକୁ ଲିଜ୍‌ ପ୍ରଦାନ କରିଥିଲେ। ଚୌଦ୍ୱାର ଶିଳ୍ପାଞ୍ଚଳରେ ଥିବା କେତେକ ଫ୍ୟାକ୍ଟ୍ରିକୁ ମଧ୍ୟ ଶ୍ରୀ ହୋତା ସିସୋର ହାତକୁ ଟେକି ଦେଇଥିଲେ। ଏଥିପାଇଁ ସିସୋର କମ୍ପାନି ଓ ପ୍ରଶାନ୍ତ ଦାସଙ୍କ ଆକାଉଣ୍ଟରୁ ଶ୍ରୀ ହୋତାଙ୍କ ଓ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୯.୭୦ ଲକ୍ଷ ଟଙ୍କା ଯାଇଥିଲା। କେଉଁ କାରଣରରୁ ଏତେଗୁଡିଏ ଟଙ୍କା ଶ୍ରୀ ହୋତାଙ୍କ ଆକାଉଣ୍ଟକୁ ଯାଇଥିଲା ତାର ଉତ୍ତର ଶ୍ରୀ ହୋତା ସିବିଆଇ ନିକଟରେ ରଖି ପାରି ନ ଥିଲେ।

ଅନ୍ୟପକ୍ଷରେ ଅବସରପ୍ରାପ୍ତ ଆଇଏଏସ୍‌ ଶ୍ରୀ ହୋତାଙ୍କୁ ସିବିଆଇ ଗିରଫ କରିବା ପରେ ପ୍ରଶାସନିକ ମହଲରେ ଛନକା ପଶି ଯାଇଛି। କାରଣ ସିସୋର ହିଁ ଏକମାତ୍ର ଚିଟ୍‌ଫଣ୍ଡ କମ୍ପାନି ଯାହାର ସିଧାସଳଖ ସମ୍ପର୍କ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହିତ ଥିଲା। ତେଣୁ ସିବିଆଇର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ସିସୋରେ କାରବାର ସହିତ ଯୋଡ଼ି ହୋଇଥିବା ପର୍ଯ୍ୟଟନ ବିଭାଗ, ସମବାୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ସୋଲାର ପ୍ଲାଣ୍ଟ ପାଇଁ ଓରେଡା ସହତି ଚୁକ୍ତି, ସିସୋର ଶୀତଳ ଭଣ୍ଡାର ପ୍ରୋଜେକ୍ଟରେ ସଂପୃକ୍ତ ଥିବା ଅଧିକାରୀମାନେ ଭୟଭୀତ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର