ଭୁବନେଶ୍ବର : ୫ହଜାର ଲାଞ୍ଚ ନେଇ ସେକ୍ସନ୍‌ ଅଫିସର ଗିରଫ

ଭୁବନେଶ୍ବର : ୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଆଜି ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍‌ ମୃତ୍ତିକା ସଂରକ୍ଷଣ ବିଭାଗର ସେକ୍ସନ୍‌ ଅଫିସର୍‌ ଗୀତା ଖାଡ଼ିଆଙ୍କୁ ଗିରଫ କରିଛି। ତାଙ୍କ ଘର ଦେଓଘରରେ। ଏଠାରେ ସେ ୟୁନିଟ-୧ ସରକାରୀ କ୍ବାର୍ଟର୍ସରେ ସପରିବାରେ ରହୁଥିଲେ। ଭିଜିଲାନ୍ସ ତାଙ୍କୁ ଗିରଫ କରିବା ପରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଆରମ୍ଭ କରିଛି। ସେ ଆୟ ବହିର୍ଭୂତ କେତେ ସମ୍ପତ୍ତି ଠୁଳ କରିଛନ୍ତି, ସେ ନେଇ ଖୋଳତାଡ଼ ଚାଲିଛି। ଆଜି ସଂଧ୍ୟାରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପାରଳାଖେମୁଣ୍ଡି ଅଞ୍ଚଳର ଅବସରପ୍ରାପ୍ତ ପିଡି ଡିମାଞ୍ଚଳ ନାୟକଙ୍କ ଅବସରକାଳୀନ ପେନସନ୍‌ ଫାଇଲ କରାଇ ଦେବାକୁ କହି ସେ ସବୁବେଳେ ଲାଞ୍ଚ ମାଗୁଥିଲେ। ଏଥିରେ ଅତିଷ୍ଠ ହୋଇ ଡିମାଞ୍ଚଳ ଭିଜିଲାନ୍ସ ନିକଟରେ ଅଭି‌ଯୋଗ କରିଥିଲେ। ଆଜି ଯୋଜନା ମୁତବାକ ଭିଜିଲାନ୍ସର ଏକ ଟିମ୍‌ ୟୁନିଟ-୫ରେ ଥିବା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ନିକଟରେ ଲୁଚି ରହିଥିଲେ। ଗୀତା ଲାଞ୍ଚ ଟଙ୍କା ନେବା କ୍ଷଣି ତାଙ୍କୁ କାବୁ କରିଥିଲେ। ପରେ ତାଙ୍କ ପୈତୃକ ଘର ଦେଓଘର, ଭୁବନେଶ୍ବର ସରକାରୀ କ୍ବାର୍ଟର୍ସ ଓ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଥିଲା।

ସମ୍ବନ୍ଧିତ ଖବର