ସେନାର ଗୁଇନ୍ଦା ମହିଳା ଅଧିକାରୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇ ଥିଲେ ବରିଷ୍ଠ ସେନା ଅଧିକାରୀ

ନୂଆଦିଲ୍ଲୀ: ମିଲିଟାରି ଇଣ୍ଟେଲିଜେନ୍ସ (ଏମଆଇ)ର ୪୨ ବର୍ଷ ବୟସ୍କା ମହିଳା ଅଧିକାରୀଙ୍କ ଆତ୍ମହତ୍ୟାକୁ ନେଇ ପୁଣେ ସିଟି ପୁଲିସ ଦ୍ୱାରା ଭାରତୀୟ ସେନାର ଜଣେ ବ୍ରିଗେଡିୟର୍ ରାଙ୍କର ଅଧିକାରୀଙ୍କ ନାମରେ ମାମଲା ରୁଜୁ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ସେନାର ଗୁଇନ୍ଦା ମହିଳା ଅଧିକାରୀଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡିଓକୁ ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଥିଲା। ତେବେ ସୋସିଆଲ ମିଡିଆରେ ଉକ୍ତ ଫଟୋ ଓ ଭିଡିଓକୁ ଭାଇରାଲ କରିବାକୁ ସେ ଧମକ ବି ଦେଇଥିଲେ। ଏହି ଘଟଣା ୨୦୧୯ ରୁ ୨୦୨୧ ଅକ୍ଟୋବର ୧୨ ମଧ୍ୟରେ ଘଟିଥିଲା।

ଅକ୍ଟୋବର ୧୩ ସକାଳେ ସେନାର ଗୁଇନ୍ଦା ମହିଳା ଅଧିକାରୀଙ୍କୁ ମିଲିଟାରି ଇଣ୍ଟେଲିଜେନ୍ସ ଟ୍ରେନିଂ ସ୍କୁଲ ଏବଂ ଡିପୋଟରେ ଥିବା ତାଙ୍କ କୋଠରୀରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ସେ ଉତ୍ତରାଖଣ୍ଡର ମୂଳ ବାସିନ୍ଦା ଥିଲେ ଏବଂ ଜୟପୁରକୁ ତାଙ୍କର ପୋଷ୍ଟିଂ ହୋଇଥିଲା। ସେ ତାଲିମ ପାଇଁ ପୁଣେ ଆସିଥିଲେ।

ମୃତକଙ୍କ ସ୍ୱାମୀଙ୍କ ଅଭିଯୋଗକୁ ଭିତ୍ତି କରି ୱାନୋରି ପୁଲିସ ଷ୍ଟେସନରେ ଉଚ୍ଚ ଅଧିକାରୀ ବ୍ରିଗେଡିୟର୍ ଅଜିତ ମିଲୁଙ୍କ ନାମରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୩୦୬ ମାମଲା ରୁଜୁ କରାଯାଇଛି। ମିଲୁଙ୍କୁ ନିକଟରେ ଶିମଲାର ଆର୍ମି ଟ୍ରେନିଂ କମାଣ୍ଡ ଭାବେ ପୋଷ୍ଟ କରାଯାଇଛି।

ବ୍ରିଗେଡିୟର୍ ମିଲୁ ମହିଳା ଏକଲା ରହୁଥିବାର ସୁଯୋଗ ନେଇ ତାଙ୍କୁ ତାଙ୍କ ପ୍ରେମ ଫାଶରେ ପକାଇଥିଲେ। ସେ ତାଙ୍କୁ ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ ଏବଂ ଶାରୀରିକ ସମ୍ପର୍କ ରଖିଥି‌ଲେ । ଏହି ଘଟଣାର ସେ ଏକ ଭିଡିଓ ବି ପ୍ରସ୍ତୁତ କରିଥିଲେ।

ଆଉ ଏହି ଭିଡିଓକୁ ଆଧାର କରି ମିଲିଟାରି ଇଣ୍ଟେଲିଜେନ୍ସର ମହିଳା ଅଧିକାରୀଙ୍କୁ ବ୍ଲାକମେଲ କରୁଥିଲେ। ଏଥିରେ ମହିଳା ଜଣକ ଭୟଭୀତ ହୋଇ ଆତ୍ମହତ୍ୟା କରିଥିବା ଜଣେ ଅଧିକାରୀ କହିଛନ୍ତି।

 

ସମ୍ବନ୍ଧିତ ଖବର