୭ ଡକାୟତ ଗିରଫ, ୪୭୦ ଗ୍ରାମ ସୁନା ଅଳଙ୍କାର ସମେତ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ

ସମ୍ବଲପୁର/ରେଢ଼ାଖୋଲ: ରେଢ଼ାଖୋଲ ଉପଖଣ୍ଡ ଚାରମାଳ ଥାନା ପୁଲିସକୁ ଶନିବାର ଏକ ବଡ଼ ଧରଣର ସଫଳତା ମିଳିଛି। ପୁଲିସ ଏକ ଡକାୟତ ଦଳର ୭ଜଣ ସଦସ୍ୟଙ୍କୁ ଗିରଫ କରି ସେମାନଙ୍କ ଠାରୁ ୭,୧୧୦ ଟଙ୍କା, ପ୍ରାୟ ୪୭୦ ଗ୍ରାମ ସୁନା ଅଳଙ୍ଗାର(ମୁଦି, ଚେନ, ହାର ଇତ୍ୟାଦି)୨ଟି ଦେଶୀ ବନ୍ଧୁକ ଓ ଭୁଜାଲି ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଭାଜିକିନା ଗ୍ରାମର ସତ୍ୟବାଦୀ ମହାରଣା, ଫତେଗଡ଼ ଥାନା ଅନ୍ତର୍ଗତ ବାଲିଆପଟା ଗ୍ରାମର ପ୍ରଭାତ ନାୟକ, ଇଟାମାଟି ଥାନା ଅନ୍ତର୍ଗତ ମିଟୁ ସ୍ୱାଇଁ, ଫତେଗଡ଼ ଥାନା ଅଞ୍ଚଳର ବିମ୍ବାଧର ସାହୁ, ନୟାଗଡ଼ ଅଞ୍ଚଳର ବିଶ୍ୱରଂଜନ ଦାସ, ବଲାଙ୍ଗୀର ଜିଲ୍ଲାର ତୁଷୁରା ଥାନା ଅନ୍ତର୍ଗତ ଶିହାଦାହାଲ ଗ୍ରାମର ମଦନ ନନ୍ଦ, ରେଢ଼ାଖୋଲ ଥାନା ହେଲେଇ ଗ୍ରାମର ସୁନା ଦେହୁରୀ(୪୫) ଗିରଫ ହୋଇଛନ୍ତି ବୋଲି ରେଢ଼ାଖୋଲ ଏସଡିପିଓ ହାଡ଼ିବନ୍ଧୁ ସ୍ୱାଇଁ ରବିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଚାଳମାଳ ଆଇଆଇସି ବସନ୍ତ ଦଳେଇଙ୍କ ଉପସ୍ଥିତିରେ ସ୍ୱାଇଁ କହିଛନ୍ତି ଉପରୋକ୍ତ ଡକାୟତମାନେ ହେଲେଇ ଗ୍ରାମରେ ଗତ ଫେବ୍ରୁଆରି ୧୧ରେ ଏକ ବଡ଼ ଧରଣର ଡକାୟତ କରିଥିଲେ। ଘଟଣା ଦିନ ସେମାନେ ବିପୁଳ ପରିମାଣରେ ସୁନା ଅଳଙ୍କାର ଓ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ। ସେହି ଏହି ଡକାୟତମାନେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ବହଲପଦର ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ଘରକୁ ପ୍ରବେଶ କରି ଲୁଟ୍‌ କରିଥିଲେ। ଏହି ଘଟଣାରେ ସରପଞ୍ଚଙ୍କ ୨ଜଣ ଲୋକ ଆହତ ହୋଇଥିଲେ। ସେହିଭଳି ପୁରୀ ଓ ନୟାଗଡ଼ ଅଞ୍ଚଳରେ ଏମାନେ ବହୁ ଡକାୟତ ଘଟଣା ସହିତ ସଂପୃକ୍ତ ଅଛନ୍ତି ବୋଲି ସ୍ୱାଇଁ କହିଛନ୍ତି। ଡକାୟତମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର