ପୁଲିସ ପଞ୍ଝା‌ରେ ୭ ଡକାୟତ

ଖଣ୍ଡଗିରି : ଭରତପୁର ଅଞ୍ଚଳରେ ଡେରା ପକାଇଥିବା ଏକ ବଡ଼ ଡକାୟତ ଗ୍ୟାଙ୍ଗ୍‌ ଖଣ୍ଡଗିରି ଥାନା ପୁଲିସ ହାତରେ ଧରାପଡ଼ିଛି। ତଦନ୍ତରେ ବାଧା ଉପୁଜିବା କାରଣରୁ ପୁଲିସ ଏ ବାବଦରେ ମୁହଁ ଖୋଲୁନାହିଁ। ଏଥିସହିତ ସେମାନଙ୍କଠାରୁ ଆହୁରି କିଛି ଚୋରି ମାଲ୍ ଜବତ କରିବା ପାଇଁ ସେମାନଙ୍କୁ ଥାନାରେ ଜେରା କରାଯାଉଛି ବୋଲି ସୂଚନା ମିଳିଛି। ଏମିତିକି ଏହି ଗ୍ୟାଙ୍ଗ୍‌ ବ୍ୟବହାର କରୁଥିବା ମାଉଜର୍‌ ଜବତ ହୋଇ ନଥିବାରୁ ପୁଲିସ ତାକୁ ପାଇବା ପାଇଁ ତନାଘନା ଉଦ୍ୟମ ଚଳାଇଛି। ସୂଚନାନୁସାରେ ଗତ ଦୁଇଦିନ ତଳେ ଭରତପୁର ଅଞ୍ଚଳରେ ଏକ ଛିନ୍‌ତାଇ ଘଟିଥିଲା। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଭରତପୁର ଅଞ୍ଚଳର ଜଣେ ଯୁବକଙ୍କୁ ରାସ୍ତାରେ ଅଟକାଇ ଲୁଟ୍‌ପାଟ କରିଥିଲେ। ଅଭିଯୋଗ ପାଇବା ପରେ ଲୁଟ୍‌ର ଶିକାର ଯୁବକଙ୍କ ସୂଚନାକୁ ଆଧାର କରି ଖଣ୍ଡଗିରି ଥାନା ପୁଲିସ ଜଣଙ୍କୁ ଧରିଥିଲା। ତାକୁ ପଚରାଉଚରା କରିବା ପରେ ଏହି ଗ୍ୟାଙ୍ଗ୍‌ ଠାବ ହୋଇଥିଲା। ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ହେଉଛି ରାଜା। ଭରତପୁର ଅଞ୍ଚଳରୁ ସେ ପୂର୍ବରୁ ଗିରଫ ହୋଇଥିଲା ଓ ସେବେଠାରୁ ଭରତପୁର ଛାଡ଼ି ଅନ୍ୟତ୍ର ଡେରା ପକାଇଥିଲା। କିନ୍ତୁ ଏବେ କିଛି ଦିନ ହେଲା ସେ ପୁଣି ତା ଦଳବଳ ନେଇ ଭରତପୁରରେ ପହଞ୍ଚିଥିଲା। ବିଶ୍ବସ୍ତସୂତ୍ରରୁ ଖବର ପାଇ ପୁଲିସ ଉକ୍ତ ଆଡ଼ାରେ ଚଢ଼ଉ କରି ରାଜା ସହିତ ୭ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର