ଭୁବନେଶ୍ୱର : ଆଜି ରାତିରେ କୁଇକ୍ ଆକ୍ସନ ଟିମ(କ୍ୟୁଏଟି) ଓ କ୍ୟାପିଟାଲ ଥାନା ପୁଲିସ୍କୁ ଏକ ବଡ଼ ସଫଳତା ମିଳିଛି। ଅଶୋକ ନଗରର ଆରପି ପ୍ୟାଲେସ୍ ହୋଟେଲରେ ଚାଲିଥିବା ଏକ ସେକ୍ସ ର୍ୟାକେଟ୍କୁ ଠାବ କରିଛି। ଅଚାନକ୍ ଚଢ଼ଉ କରି ହୋଟେଲ ମ୍ୟାନେଜର୍ ସମେତ ୮ ଜଣ ଗ୍ରାହକ ଓ ଦଲାଲ ଏବଂ ୫ ଜଣ ଅଣଓଡ଼ିଆ ଯୁବତୀଙ୍କୁ ଅଟକ ରଖିଛି। ଅଟକ ଯୁବକମାନେ ହେଉଛନ୍ତି ନୟାଗଡ଼ର ବିଭୂତି ଭୂଷଣ ଛାଟୋଇ, ବାଲେଶ୍ୱର ଭୋଗରାଇର ଅମରଜିତ ରାୟ, ଭୁବନେଶ୍ୱର ବଡ଼ଗଡ଼ର ବୀରେନ୍ଦ୍ର ରଣଜିତ, ଲକ୍ଷ୍ମୀସାଗରର ସୁଧୀର ପଣ୍ଡା, କୋଲକାତାର ଭୋଲୁ ହୁସେନ୍, କାକଟପୁର ନୟାହାଟର ଦିଲ୍ଲୀପ ଦାସ, ସେନା କର୍ମଚାରୀ ଗଞ୍ଜାମର ପ୍ରଶାନ୍ତ ପଟ୍ଟନାୟକ ଓ ପିପିଲିର ମନୋରଞ୍ଜନ ବେହେରା। ସମସ୍ତ ଯୁବକ ଓ ଯୁବତୀଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତରେ ସେଠାରେ ସେକ୍ସ ର୍ୟାକେଟ୍ ଚାଲିଥିଲା ବୋଲି ପୁଲିସ୍ ଜାଣିବାକୁ ପାଇଛି। ପଚରାଉଚରା ବେଳେ ଆହୁରି ଅନେକ ତଥ୍ୟ ପୁଲିସ୍ର ହସ୍ତଗତ ହୋଇଛି। କେଉଁଠୁ ଯୁବତୀ ଆସନ୍ତି ଓ କେମିତି ଏହି ବେପାର ସୁରୁଖୁରୁରେ ଚାଲେ ସେ ସଂପର୍କରେ ଅନେକ ତଥ୍ୟ ହାସଲ କରିଛି। ଏହି ଗ୍ରାହକଙ୍କ ମଧ୍ୟରେ ଜଣେ ସେନା କର୍ମଚାରୀ ରହିଥିବା ବେଳେ ଜଣେ ବିଧାନସଭାର ଗାଡ଼ି ଚାଳକ ମଧ୍ୟ ରହିଛନ୍ତିି। ଆସନ୍ତାକାଲି ଡାକ୍ତରୀ ମାଇନା ପରେ ୮ ଜଣ ଗ୍ରାହକଙ୍କୁ କୋର୍ଟ ଚାଲାଣ କରାଯିବା ସହ ଯୁବତୀମାନଙ୍କୁ ସର୍ଟଷ୍ଟେ ହୋମକୁ ପଠାଯିବ। ଦୀର୍ଘ ଦିନ ହେବ ଏଠାରେ ସେକ୍ସ ର୍ୟାକେଟ ଚାଲିଥିଲା। ପ୍ରତ୍ୟେକ ଦିନ ଏଠାକୁ ନୂଆ ନୂଆ ଯୁବତୀ ଆସୁଥିବା ବେଳେ ଦଲାଲ ଓ ହୋଟେଲ ମ୍ୟାନେଜର୍ ବେଶ ମୋଟାଅଙ୍କର ଅର୍ଥ କମାଉଥିଲେ। ଏଭଳି ଖବର କ୍ୟୁଏଟି ପାଖରେ ରହିଥିଲା। ହେଲେ ଉପଯୁକ୍ତ ପ୍ରମାଣ ଯୋଗାଡ଼ ହୋଇ ପାରୁ ନଥିଲା। ଆଜି ରାତିରେ କେତେକ ଯୁବତୀ ପହଞ୍ଚିବା ପରେ ପରେ ଗ୍ରାହକ ଭିତରେ ପଶିଥିଲେ। ଯୁବତୀମାନଙ୍କୁ ପିଛା କରି ୩ ଜଣ କ୍ୟୁଏଟି ସଦସ୍ୟ ଭିତରେ ପଶିଥିଲେ। ସେଠାରେ ନିଶ୍ଚିତ ହେବା ପରେ ଅନ୍ୟ ସଦସ୍ୟମାନଙ୍କୁ ଇସାରା କରିଥିଲେ। ପରେ ସଦଳବଳ ଚଢ଼ଉ କରି ୪ଟି ରୁମ୍ରୁ ସେମାନଙ୍କୁ ଧରିଥିଲେ।
ଏକାମ୍ର ଡ୍ୟାନ୍ସ୍ ବାର୍ରେ ଚଢ଼ଉ:୨ ଅଟକ
ଭୁବନେଶ୍ୱର : ବିଳମ୍ବିତ ରାତ୍ରୀରେ ଲକ୍ଷ୍ମୀସାଗର ଥାନା ଅଧୀନ ଏକାମ୍ର ବାର୍ରେ ପୁଲିସ୍ ଚଢ଼ଉ କରିଛି। ବିନା ସ୍ୱୀକୃତିରେ ନାଚ ଚାଲିଥିବା ବେଳେ ଦୁଇଜଣ ଯୁବକଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ୍ ଅଟକ ରଖିଛି। ଡ୍ୟାନ୍ସ୍ ବାର୍ ଚଳାଇବାକୁ ହେଲେ ପୁଲିସ୍ ଠାରୁ ଅନୁମତି ନେବାକୁ ପଡ଼ିଥାଏ। ହେଲେ ସ୍ୱୀକୃତି ନ ନେଇ ଏହି ନାଚ ଚାଲିଥିଲା। ନାଚ ଚାଲିଥିବା ବେଳେ ପୁଲିସ୍ ଚଢ଼ଉ କରିଥିଲା। ବାର୍ ପରିଚାଳକଙ୍କ ସହ ଜଣେ କର୍ମଚାରୀଙ୍କୁ ପୁଲିସ୍ ଉଠାଇ ଆଣିଛି।
କେମିତି ଚାଲିଥିଲା
ଦୀର୍ଘ ଦିନ ହେବ ସହର ମଝିରେ ଏଭଳି ବ୍ୟବସାୟ କିଭଳି ସୁରକ୍ଷିତ ଚାଲିଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ପ୍ରାଥମିକ ତଦନ୍ତରେ ପୁଲିସ୍ ଜାଣିବାକୁ ପାଇଛି କି ଏହି ବ୍ୟବସାୟୀ ଭୁବନେଶ୍ୱର ଏସ୍କର୍ଟ ନାମରେ ଏକ େଓ୍ଵବ୍ସାଇଟ୍ ଚଳାଉଥିଲା। ସେଥିରେ ଗ୍ରାହକମାନଙ୍କୁ କଣ୍ଟାକ୍ଟ କରାଯାଉଥିଲା। ପ୍ରଥମେ ଏଥିରେ ପଞ୍ଜୀକୃତ ହେବାକୁ ହେଲେ ନିଜର ମୋବାଇଲ ନମ୍ବର ଦେବାକୁ ପଡ଼ୁଥିଲା। ମୋବାଇଲ ନମ୍ବର ଦେଇ ପଞ୍ଜୀକୃତ ହେବା ପରେ ସମ୍ପୃକ୍ତ ସଦସ୍ୟଙ୍କୁ ଫୋନ୍ ଆସୁଥିଲା। ଫୋନ୍ ଯୋଗେ ଦର ଧାର୍ଯ୍ୟ ହେଉଥିଲା। ଦର ଛିଣ୍ଡିବା ପରେ ଗ୍ରାହକଙ୍କୁ ରାଜମହଲ ଛକ ଆସିବା ପାଇଁ କୁହା ଯାଉଥିଲା। ଗ୍ରାହକ ପହଞ୍ଚିବା ପରେ ତାଙ୍କ ପାଖରେ ଏକ ଛୋଟିଆ କାର୍ ପହଞ୍ଚୁଥିଲା। କାର୍ ଯୋଗେ ଏହି ହୋଟେଲକୁ ନିଆଯାଉଥିଲା। ମୋବାଇଲ ଫୋନ୍ ଦାଖଲ କରିବାକୁ ପଡ଼ୁଥିଲା। ସେଠାରେ ଯୁବତୀଙ୍କୁ ଦେଖାଇ ଦିଆଯାଉଥିଲା। ଯୁବତୀ ପସନ୍ଦ ହେବା ପରେ ଦର ଧାର୍ଯ୍ୟ ହେଉଥିଲା। ଏହା ପରେ ଗ୍ରାହକଙ୍କୁ ରୁମ୍କୁ ନିଆଯାଉଥିଲା। ଅତି କମ୍ରେ ଯୁବତୀଙ୍କ ଦର ୨୦୦୦ ଟଙ୍କା ପ୍ରତି ଘଣ୍ଟା ରହିଥିଲା। ୧୦୦୦ ଟଙ୍କା ଯୁବତୀ ନେଉଥିବା ବେଳେ ଦଲାଲ ୫୦୦, ମ୍ୟାନେଜର ୫୦୦ ନେଉଥିଲା। ଗୋଟିଏ ଥର ୨ରୁ ୩ ଜଣ ଭିତରକୁ ନିଆଯାଉଥିଲା। ଅତି ସତର୍କତାର ସହ ଏହି ବ୍ୟବସାୟ ଦୀର୍ଘ ଦିନ ହେବ ଚାଲି ଆସୁଥିଲା।