ଭୁବନେଶ୍ୱର: ଏକାମ୍ର ପାର୍କସ୍ଥିତ ଏକାମ୍ରଭିଲ୍ଲା ଅଞ୍ଚଳର ଏକ ଦୁଇମହଲା ଘରେ ଦୀର୍ଘଦିନ ଧରି ଆର୍ୟୁବେଦିକ ସ୍ପା ସେଣ୍ଟର୍ ନାଁରେ ଚାଲିଥିବା ସେକ୍ସର୍ୟାକେଟ୍କୁ ନୂଆପଲ୍ଲୀ ଥାନା ପୁଲିସ ଠାବ କରିଛି। ପୁଲିସ ସେଠାରୁ ୩ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ରାଣୀ ମହୁମାଛି ସମେତ ୪ଜଣ ଗ୍ରାହକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ୬ ହଜାର ଟଙ୍କା, ୯ଟି ମୋବାଇଲ୍ ଫୋନ୍, ସ୍ପ୍ରେ ଏବଂ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ସେମାନେ ହେଲେ ଜଟଣୀ ଦୁର୍ଗାପୁର ଅଞ୍ଚଳର ଦୀପକ ପରିଡ଼ା(୩୨), କଟକ ଗୋପାଳପୁର ଅଞ୍ଚଳର ରଘୁନାଥ ପାଣ୍ଡେ(୩୬), ତାଳଚେର ରେମୁଣା ଅଞ୍ଚଳର ବିନୋଦ କୁମାର(୩୨), ଜଗତସିଂହପୁର ନାଉଗାଁ ଅଞ୍ଚଳର ବିରଞ୍ଚି ନାରାୟଣ ବାରିକ(୨୮) ଓ କଟକ ବଡ଼ମ୍ବା ଅଞ୍ଚଳର ରାଣୀମହୁମାଛି ରିଙ୍କି ସ୍ୱାଇଁ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅନ୍ୟପଟେ ଘରମାଲିକଙ୍କ ସମ୍ପୃକ୍ତି ନେଇ ପୁଲିସ ସନ୍ଦେହ କରିଛି। ପୁଲିସ ତାଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।
ଇନ୍ସପେକ୍ଟର ସାଜିଲେ ଗ୍ରାହକ
ଦୀର୍ଘ ଦିନହେବ ରିଙ୍କି ଏକାମ୍ର ଭିଲ୍ଲା ଅଞ୍ଚଳରେ ଥିବା ଏକ ଦୁଇମହଲା ଘରେ ସାଇ ଗଣେଶ ନାମରେ ଏକ ସ୍ପା ସେଣ୍ଟର୍ କରିଥିଲା। ତେବେ ସେଠାରେ ମସାଜ ନାଁରେ ସେକ୍ସ ର୍ୟାକେଟ୍ ଚାଲୁଥିବା ନୂଆପଲ୍ଲୀ ଥାନା ପୁଲିସ ଜାଣିବାକୁ ପାଇଥିଲା। ଉକ୍ତ ର୍ୟାକେଟ୍କୁ ଠାବ ଲାଗି ନିଜେ ଇନ୍ସପେକ୍ଟର ସଂଗ୍ରାମ ପଟ୍ଟନାୟକ ୪ଦିନ ହେବ ସେଠାରେ ନଜର ରଖିଥିଲେ। ଆଜି ର୍ୟାକେଟ୍କୁ ଠାବ କରିବା ଲାଗି ସେ ନିଷ୍ପତ୍ତି ନେଇଥିଲେ। ରବିବାର ପୂର୍ବାହ୍ଣ ୧୦ଟାରୁ ଆରମ୍ଭ ହୋଇଥିଲା ଅପରେସନ୍। ସାଦା ପୋଷାକରେ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ୪ଥର ଚକ୍କର୍ କାଟିଥିଲେ। ଯୋଜନା ମୁତାବକ ପୁଲିସର ଏକ ଟିମ୍ କିଛି ଦୂରରେ ଜଗି ରହିଥିଲା। ଶ୍ରୀ ପଟ୍ଟନାୟକ ମସାଜ୍ ବାହାନାରେ ଭିତରକୁ ଯାଇଥିଲେ। ତାଙ୍କୁ ଦେଖି ଯୁବତୀମାନେ ବଡ଼ ଗ୍ରାହକ ଭାବିଥିଲେ। ଆଉ ଜଣଙ୍କ ପରେ ଜଣେ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଚାଲିଥିଲେ। ତେବେ ଅନ୍ୟ ରୁମ୍ରେ କେତେକ ଯୁବକ ଅସଂଯତ ଅବସ୍ଥାରେ ଥିବା ସେ ଜାଣିପାରିଥିଲେ। ଜରୁରୀ ଫୋନ୍ ଆଛି କହି ଶ୍ରୀ ପଟ୍ଟନାୟକ ବାହାରକୁ ଚାଲିଆସିଥିଲେ। ଏହାପରେ ପୂରା ଟିମ୍କୁ ଭିତରକୁ ପଶିବାକୁ ନିର୍ଦେଶ ଦେଇଥିଲେ। ଇନ୍ସପେକ୍ଟରଙ୍କ ନିର୍ଦେଶ ପାଇବା ପରେ ପୁଲିସର ଟିମ୍ ଚଢ଼ାଉ କରି ସେଠାରୁ ୪ଜଣ ଗ୍ରାହକଙ୍କ ସମତେ ୩ଜଣ ଯୁବତୀଙ୍କୁ ଅସଂଯତ ଅବସ୍ଥାରେ କାବୁ କରିଥିଲା। ହେଲେ ରାଣୀମହୁମାଛି ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ତାକୁ କାବୁ କରି ନେଇଥିଲା।
ପ୍ରତିଦିନ ଆସୁଥିଲେ ୧୦ରୁ ଊର୍ଦ୍ଧ୍ୱ ଗ୍ରାହକ
/sambad/media/post_attachments/wp-content/uploads/2017/11/m5-1-300x192.jpg)
ମସାଜ୍ ପାଇଁ ଗ୍ରାହକମାନଙ୍କୁ ଆକୃଷ୍ଟ କରିବାଲାଗି ବିଭିନ୍ନ ବିଜ୍ଞପ୍ତି ଜରିଆରି ଅଫର୍ ଦେଉଥିଲେ। ୮୦୦ ଟଙ୍କାର ମସାଜ୍କୁ ଅଫର ମାଧ୍ୟମରେ ୫୦୦ ଟଙ୍କା ପର୍ଯ୍ୟନ୍ତ କମ୍ କରାଯାଉଥିଲା। ଫଳରେ ପ୍ରତିଦିନ ୧୦ରୁ ଊର୍ଦ୍ଧ୍ୱ ଗ୍ରାହକ ସେଠାକୁ ଯାଉଥିଲେ। ଗ୍ରାହକମାନେ ମସାଜ ସେଣ୍ଟର୍ରେ ପହଞ୍ଚିବା ପରେ ସେମାନଙ୍କ ଗତିବିଧିକୁ ଲକ୍ଷ୍ୟ କରାଯାଉଥିଲା। ଗ୍ରାହକଙ୍କ ମନଜାଣି ସେମାନଙ୍କ ପସନ୍ଦ ଅନୁସାରେ ସେବା ଯୋଗାଇ ଦିଆଯାଉଥିଲା। ଗ୍ରାହକମାନେ ପହଞ୍ଚିବା ପରେ ମସାଜଠାରୁ ଆହୁରି ଅଧିକ ସୁବିଧାସୁଯୋଗ ଦିଆଯାଉଛି ବୋଲି ଇଙ୍ଗିତ କରାଯାଉଥିଲା। ଯେଉଁ ଗ୍ରାହକ ମସାଜଠାରୁ ଅଲଗା କିଛି ଚାହୁଁଥିଲେ ସେମାନଙ୍କ ମନକଥା ଜାଣି ବ୍ୟବସ୍ଥା କରାଯାଉଥିଲା।
ଘରମାଲିକ ସମ୍ପୃକ୍ତ ନେଇ ସନ୍ଦେହ
ଘରମାଲିକ ସମ୍ପୃକ୍ତ ନେଇ ପୁଲିସ ସନ୍ଦେହ କରିଛି। ଏଭଳି ଏକ ଭିଆଇପି ଅଞ୍ଚଳରେ ୩ଟି ଶୟନ ଘର ଥିବା ବିଳାସପୂର୍ଣ ଘରକୁ ମାତ୍ର ୧୨ ହଜାର ଟଙ୍କା ଭଡ଼ାରେ ଲଗାଇଥିଲେ। ବରମୁଣ୍ଡାରେ ଘର ଥିଲେ ମଧ୍ୟ ସେ ବିଭିନ୍ନ ସମୟରେ ସେହି ଘରେ ରାତ୍ରି ଯାପନ କରୁଥିଲେ। ହେଲେ ତାଙ୍କ ଘରେ ଦୀର୍ଘଦିନ ହେବ ସେକ୍ସ ର୍ୟାକେଟ୍ ଚାଲୁଛି ବୋଲି ସେ କିପରି ଜାଣି ପାରି ନଥିଲେ ବୋଲି ପୁଲିସ ପ୍ରଶ୍ନ କିରଛି। ଫେରାର୍ ଥିବାରୁ ପୁଲିସ ତାଙ୍କୁ ଗିରଫ କରିପାରି ନାହିଁ। ତେବେ ସେ ଜଣେ ସରକାରୀ କର୍ମଚାରୀ ବୋଲି ପୁଲିସ ଜାଣିବାକୁ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/tapas-sex-racket.jpg)