ସ୍ପା’ରେ ସେକ୍ସ ର‍୍ୟାକେଟ୍‌

ରାଣୀ ମହୁମାଛି ସମେତ ୩ ଗିରଫ, ୨ ରୂପଜୀବୀ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରେ ପୁଣି ଏକ ସ୍ପା’ରେ ଚାଲିଥିଲା ସେକ୍ସ ର‍୍ୟାକେଟ୍‌। ଆଜି ରାତିରେ ପୁଲିସ ଏହି ସ୍ପା’ରେ ଚଢ଼ଉ କରି ରାଣୀ ମହୁମାଛି ଓ ୨ଜଣ ଗ୍ରାହକଙ୍କୁ ଗିରଫ କରିଥିବାବେଳେ ୨ ରୂପଜୀବୀଙ୍କୁ ଉଦ୍ଧାର କରିଛି। ଚଢ଼ଉବେଳେ ପୁଲିସ ସେହି ସ୍ପା’ ଭିତରୁ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି। ଏହି ୩ ଯୁବତୀ ଓ ଦୁଇ ଯୁବକଙ୍କୁ ସ୍ପେସାଲ୍‌ ସ୍କ୍ଵାଡ୍‌ ଲକ୍ଷ୍ମୀସାଗର ଥାନା ପୁଲିସ ଜିମା ଦେଇଛି। ଲକ୍ଷ୍ମୀସାଗର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସ୍ପେସାଲ ସ୍କ୍ଵାଡ୍‌ ଏସିପି ସଂଜୀବ ଶତପଥୀଙ୍କଠାରୁ ମିଳିଥିବା ସୂଚନା ମୁତାବକ ଲକ୍ଷ୍ମୀସାଗର ଥାନା ଅଧୀନ କଟକରୋଡ଼ରେ ଥିବା ଏକ ହୋଟେଲର ଉପର ମହଲାରେ ଦୀର୍ଘ ଦିନ ଧରି ଚାଲୁଥିଲା ରାଧାରାଣୀ ସ୍ପା’। ତେବେ ଆଜି ସଂଧ୍ୟା ୮ଟାବେଳେ ଖବର ମିଳିଥିଲା କି, ହୋଟେଲ ଷ୍ଟେପ୍‌ଇନ୍‌ରେ କିଛି ଅସାମାଜିକ ଯୁବକ ଆଡ଼ା ଜମାଇଛନ୍ତି। ତେଣୁ ସ୍ପେସାଲ ସ୍କ୍ଵାଡ୍‌ ଟିମ୍‌ ସେଠାରେ ପହଞ୍ଚି ଖାନତଲାସ ଆରମ୍ଭ କରିଥିଲା।

ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ପୁଲିସ ହୋଟେଲର ସବା ଉପର ମହଲାରେ ଥିବା ରାଧାରାଣୀ ସ୍ପା’କୁ ଯାଇଥିଲା। ସ୍ପା’ ଦୁଆର ମୁହଁରେ ଲାଗିଥିବା କାଚ ବାଟେ ଯାହା ଦେଖିଥିଲା, ସେଥିରେ ପୁଲିସର ହୋସ୍‌ ଉଡ଼ି ଯାଇଥିଲା। ସେତେବେଳେ ଦୁଇ ଜଣ ଯୁବକ ଦୁଇ ଜଣ ଯୁବତୀଙ୍କ ସହିତ ସଂପୂର୍ଣ ଅସଂଜତ ଅବସ୍ଥାରେ ଥିଲେ। ପୁଲିସକୁ ଦେଖି ମଧ୍ୟ ଗ୍ରାହକ ହଡ଼ବଡ଼େଇ ଯାଇ ନ ଥିଲେ। ପୁଲିସ ଭିତରକୁ ପଶି ପ୍ରଥମେ ଅସଂଜତ ଅବସ୍ଥାରେ ଥିବା ଦୁଇ ଯୁବକଙ୍କ କାବୁ କରିଥିଲା। ସେମାନେ ହେଲେ କୋଲକାତାର ଦେବାଶିଷ ଚକ୍ରବର୍ତୀ (୫୨) ଓ କୋରାପୁଟର ବିମଲ କୁମାର ବାଗ (୨୮)। ଉଦ୍ଧାର ହୋଇଥିବା ରୂପଜୀବୀମାନେ ବାଲେଶ୍ୱର ଅଞ୍ଚଳର। ଜ୍ୟୋର୍ତିମୟୀ ଖଣ୍ଡାଇ ନାମକ ଜଣେ ମହିଳା ହେଉଛନ୍ତି ଏହି ସେକ୍ସ ର‍୍ୟାକେଟ୍‌ର ରାଣୀ ମହୁମାଛି। ସେ ହିଁ ଯୁବତୀ ଦ୍ୱୟଙ୍କୁ ବାଲେଶ୍ୱରରୁ ଆଣିଥିଲା। ନୂଆବର୍ଷ ପାଇଁ ଯୁବତୀ ଦ୍ୱୟ ଏକ ସ୍ୱତନ୍ତ୍ର ପ୍ୟାକେଜରେ ଭୁବନେଶ୍ୱର ଆସିଥିଲେ।

ଏଠାରେ ଦୁଇ ବର୍ଷ ହେବ ସ୍ପା ଚାଲୁଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି। ତେଣୁ ପୁଲିସ ସ୍ପା ଓ ହୋଟେଲ ଷ୍ଟେପ ଇନ୍‌ ମାଲିକଙ୍କୁ ନୋଟିସ୍‌ କରିବ ବୋଲି କହିଛି। ଏହାଛଡ଼ା ପୁଲିସ ସେହି ସ୍ପା ଭିତରୁ ଏକ ରେଜିଷ୍ଟର ଜବତ କରିଛି। ଯେଉଁ ରେଜିଷ୍ଟରରେ କେତେକ ମୋବାଇଲ ନମ୍ବର ରହିଛି। ସେହି ମୋବାଇଲ୍‌ ନମ୍ବରକୁ ଆଧାର କରି ପୁଲିସ ଆଗକୁ ତଦନ୍ତ କରିବ।

ଅନ୍ୟପକ୍ଷରେ ପୁଲିସ ବିଳମ୍ବିତ ରାତିରେ ଦୁଇ ରୂପଜୀବୀ ଓ ଗ୍ରାହକମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ଡାକ୍ତରୀ ମାଇନା କରାଇଛି। ଆସନ୍ତାକାଲି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଭରତ ସାହୁ କହିଛନ୍ତି।

ଏଠାରେ ପ୍ରକାଶ ଥାଉକି, ଭୁବନେଶ୍ୱର ଏବେ ସେକ୍ସ ର‍୍ୟାକେଟର ହବ୍‌ରେ ପରିଣତ ହୋଇଛି। ବିଦେଶୀ ଯୁବତୀମାନେ ବି ଭୁବନେଶ୍ୱରର ସେକ୍ସ ର‍୍ୟାକେଟ୍‌ରେ ସଂପୃକ୍ତ ରହୁଛନ୍ତି। କିଛି ଦିନ ତଳେ ଖାରବେଳନଗର ପୁଲିସ ୟୁନିଟ-୩ ଅଞ୍ଚଳରେ ଥିବା ଏକ ସ୍ପା ଉପରେ ଚଢ଼ଉ କରି ୪ ଜଣ ଥାଇଲାଣ୍ଡ୍‌ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣା ସାରା ରାଜ୍ୟରେ ଚର୍ଚାର ବିଷୟ ହୋଇଥିଲା।

ସମ୍ବନ୍ଧିତ ଖବର