ଗେଷ୍ଟହାଉସ୍‌ରେ ସେକ୍ସ ର‍୍ୟାକେଟ୍‌ 

 ୩ ଗ୍ରାହକଙ୍କ ସମେତ ୬ ଗିରଫ, ୩ ଯୁବତୀ ଉଦ୍ଧାର, ୨୦ ମୋବାଇଲ୍‌ ଫୋନ୍‌ ଓ ଲାପଟପ୍‌ ଜବତ

ଭୁବନେଶ୍ୱର: କମିସନରେଟ୍‌ ପୁଲିସର ବାରମ୍ବାର ଚଢ଼ଉ ପରେ ଗତ କିଛିଦିନ ହେବ ରାଜଧାନୀରେ ସେକ୍ସ ର‍୍ୟାକେଟ୍‌ କାରବାର ଧିମା ହୋଇଥିବା ବେଳେ ଏବେ ପୁଣି  ଥରେ ସକ୍ରିୟ ହୋଇଉଠିଛି। ଆଜି  ଆଇଆର୍‌ସି ଭିଲେଜ୍‌ ସ୍ଥିତ ପାର୍ବତୀ ଗେଷ୍ଟ ହଉସ୍‌ରେ ଚଢ଼ଉ ବେଳେ ନୂଆପଲ୍ଲୀ ଥାନା ପୁଲିସ ଏକ ବଡ଼ଧରଣର ସେକ୍ସ ର‍୍ୟାକେଟ୍‌ ଠାବ କରିଛି।  ପୁଲିସ ସେଠାରୁ ୨ ବଙ୍ଗୀୟ  ଯୁବତୀଙ୍କ ସମେତ ୩ଜଣଙ୍କୁ ଉଦ୍ଧାର କରିଛି। ସେହିପରି ର‍୍ୟାକେଟରେ ସମ୍ପୃକ୍ତ ୩ କର୍ମଚାରୀ  ଓ ୩  ଗ୍ରାହକଙ୍କୁ ଗିରଫ କରିଛି। ସେମାନେ ହେଲେ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଗେଷ୍ଟହାଉସ୍‌ ମ୍ୟାନେଜର୍‌ ବିଶ୍ୱ ଭୂଷଣ ମହାନ୍ତି(୨୫), ପିପିଲି  ଅଞ୍ଚଳ ସୁରଜ ନାଏକ (୨୪) ଓ କଟକ ଜିଲ୍ଲା ନିଆଳି ଅଞ୍ଚଳର ପିମ୍ପ କୁଳମଣି ସାହୁ(୩୩)। ଗ୍ରାହକ କନ୍ଧମାଳ ବାଲିଗୁଡ଼ା ଅଞ୍ଚଳର ରାଜେଶ କୁମାର ସାହୁ(୨୪), ପ୍ରତାମୁ ଶିବରଞ୍ଜନ ପାତ୍ର(୨୪) ଓ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ପ୍ରଭାତ ସ୍ୱାଇଁ (୨୮)ଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।  ସେମାନଙ୍କଠାରୁ ୨୦ଟି ମୋବାଇଲ୍‌ ଫୋନ୍‌, ଗୋଟିଏ ଲାପଟପ୍‌, ରେଜିଷ୍ଟର୍‌ ଏବଂ ବହୁ ଆପତ୍ତିଜନକ ସ୍ପ୍ରେ ଜବତ ହୋଇଛି।  ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ତେବେ ଗେଷ୍ଟ୍‍ ହାଉସ ମାଲିକ ଲଲାଟେନ୍ଦୁ ଜେନା ଫେରାର ହୋଇଯାଇଥିବା ପୁଲିସ କହିଛି।

ପ୍ରଥମ ପସନ୍ଦ ବଙ୍ଗୀୟ ଯୁବତୀ

ଏପରି କାରବାର ପାଇଁ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍‌ କରିବାକୁ ପଡ଼ୁଥିଲା। ଗ୍ରାହକଙ୍କ ଡାଟା ପାଇବା ପରେ ସଂସ୍ଥାର କର୍ମଚାରୀମାନେ ସେମାନଙ୍କୁ କଲ୍‌ କରି ବୁଝୁଥିଲେ। କେଉଁ ପ୍ରକାର ଯୁବତୀ ଦାରକାର, କେତେ ଟଙ୍କା ମଧ୍ୟରେ ହୋଇଥିବା ଦରକାର ସବୁ ତଥ୍ୟ ଗ୍ରାହକଙ୍କୁ ଦେବାକୁ ପଡ଼ୁଥିଲା। ଗ୍ରାହକମାନଙ୍କ ପ୍ରଥମ ପସନ୍ଦରେ ବଙ୍ଗୀୟ ଯୁବତୀ ଥିବା ଜଣାପଡ଼ିଥିଲା।  ସେମାନଙ୍କ ପାଇଁ ଗ୍ରାହକମାନେ ୩ ହଜାରରୁ ଆରମ୍ଭ କରି ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ଦେଉଥିଲେ।

କନ୍‌ଷ୍ଟେବଲ ସାଜିଲେ ଗ୍ରାହକ

ଦୀର୍ଘ ୩ମାସରୁ ଊର୍ଦ୍ଧ୍ୱହେବ ସେଠାରେ ସେକ୍ସର‍୍ୟାକେଟ୍‌ ଚାଲିଥିବା ପୁଲିସ କହିଛି। ତେବେ ଗତ ଦୁଇ ଦିନ ତଳେ ଆଇଆଇସି ସଂଗ୍ରାମ ପଟ୍ଟନାୟକ ଖବର ପାଇଥିଲେ ଯେ, ଗେଷ୍ଟହାଉସ୍‌ରେ  ସେକ୍ସର‍୍ୟାକେଟ୍‌ ଚାଲିଛି। ର‍୍ୟାକେଟ୍‌ ଠାବ ପାଇଁ ଖୋଦ୍‌ ଆଇଆଇସି ୨ଦିନ ହେବ ସେଠରେ ଚକ୍କର୍‌ କାଟିଥିଲେ। ଆଜି ଜଣେ କନ୍‌ଷ୍ଟେବଲ୍‌ଙ୍କୁ ଗ୍ରାହକ ଭାବେ ସେଠାକୁ ପଠାଯାଇଥିଲା। ହେଲେ ଏଠରେ ସେମିତି କିଛି ହେଉନି ବୋଲି ଜଣେ କର୍ମଚାରୀ କହିଥିଲେ। କନ୍‌ଷ୍ଟେବଲ ଜଣଙ୍କ ତଳକୁ ଯାଉଥିବା ସମୟରେ ହଠାତ୍‌ କର୍ମଚାରୀ ଜଣଙ୍କ ତାଙ୍କୁ ଡାକିଥିଲେ। ଅତିକମ୍‌ରେ ୪ହଜାର ଟଙ୍କା ଦେଲେ ଷ୍ଟାଣ୍ଡାଡ୍‌ ସେବା ମିଳିବ ବୋଲି କହିଥିଲେ। ଏଟିଏମ୍‌ରୁ ଟଙ୍କା ଆଣୁଛି କହି ବାହାରକୁ ସେ ବାହାରକୁ ଚାଲିଆସିଥିଲେ। ତେଣୁ ସେ ହଜାର ଟଙ୍କା ଅଗ୍ରୀମଦେଇ ଥାନାକୁ ଯାଇଥିଲେ। ପରେ ଯୋଜନା ମୁତାବକ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ପହଞ୍ଚି ଚଢ଼ଉ କରିଥିଲା। ସେଠାରେ ୩ ଜଣ ଯୁବତୀଙ୍କ ସହ ୩ ଜଣ ଗ୍ରାହକ ଅସଂଯତ ଅବସ୍ଥାରେ ଥିବା ପୁଲିସ ଦେଖିଥିଲା।

ରେଜିଷ୍ଟର୍‌ରେ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ

ଚଢ଼ଉ ବେଳେ ପୁଲିସ ଏକ ରେଜିଷ୍ଟର୍‌ ଜବତ କରିଛି। ରେଜିଷ୍ଟର୍‌ରେ ଶତାଧିକ ଗ୍ରାହକଙ୍କ ନାମ ଓ ମୋବାଇଲ୍‌ ନମ୍ବର ଲେଖାଯାଇଛି। ସେମାନେ କେଉଁ ତାରିଖରେ କେତେବେଳେ ଆସିଛନ୍ତି। ଗ୍ରାହକ ଜଣଙ୍କ ନୂଆ କି ପୁରୁଣା ତାହା ଲେଖାଯାଇଛି। ନୂଆ ଗ୍ରାହକ ଓ ପୁରୁଣା ଗ୍ରହାକ ପାଇଁ ନୂଆ ନୂଆ ଦର ମଧ୍ୟ ରେଜିଷ୍ଟର୍‌ରୁ ଜଣାପଡ଼ିଛି। ତେବେ ଗ୍ରାହକଙ୍କ ମଧ୍ୟରେ କିଛି ବିଶିଷ୍ଟବ୍ୟକ୍ତିଙ୍କ ନାମ ଥିିବା ପୁଲିସ ସନ୍ଦେହ କରିଛି। ପୁଲିସ ନମ୍ବର ଓ ନାଁଗୁଡ଼ିକ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର