ସେକ୍ସ ସ୍କାଣ୍ଡାଲ୍‌: ପୂର୍ବତନ ବିଏସ୍‌ଏଫ୍‌ ଅଧିକାରୀଙ୍କ ସହ ୫ ଜଣଙ୍କୁ ୧୦ ବର୍ଷ ଜେଲ୍‌

ଶ୍ରୀନଗର : ଜମ୍ମୁ-କଶ୍ମୀରର ଶ୍ରୀନଗରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବିଏସଏଫ୍‌ ଅଧିକାରୀଙ୍କ ସମେତ ୫ ଜଣଙ୍କୁ ଆଜି ଚଣ୍ଡିଗଡ଼ର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ୧୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ବତନ ବିଏସଏଫ୍‌ ଡିଆଇଜି କେଏସ୍‌ ପାଢୀ, ଜମ୍ମୁ କଶ୍ମୀରର ପୂର୍ବତନ ଡିଏସ୍‌ପି ମହମ୍ମଦ ଆସରଫ୍‌ ମିର୍‌ଙ୍କ ସହ ଅନ୍ୟ ୩ ଜଣ ସ୍ଥାନୀୟ ବାସିନ୍ଦା ସବୀର ଅହମଦ ଲାେଓ୍ଵ, ସବୀର ଅହମଦ ଲାଙ୍ଗୁ ଏବଂ ମୌସଦ ଅହମଦଙ୍କୁ କୋର୍ଟ ଆଜି ଏହି ଜେଲ ଦଣ୍ଡ ସହ ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି। ଅଦାଲତ ବିଏସଏଫ୍‌ ଅଧିକାରୀଙ୍କ ସହ ପୂର୍ବତନ ଡିଏସ୍‌ପିଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଓ ଅନ୍ୟ ୩ ଦୋଷୀଙ୍କୁ ୫୦,୦୦୦ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଏହି ମାମଲାରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ତଥା ଜଣେ ବ୍ୟବସାୟୀ ମେହରାଜଉଦ୍ଦିନ୍‌ ମଲିକ ଏବଂ ଜମ୍ମୁ କଶ୍ମୀରର ପୂର୍ବତନ ଅତିରିକ୍ତ ଆଡଭୋକେଟ୍‌ ଜେନେରାଲଙ୍କୁ ଦୋଷମୁକ୍ତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଗତ ୨୦୦୬ ମସିହା ମେ’ ମାସରେ ଶ୍ରୀନଗରରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କର ଏକ ଅଶ୍ଳୀଳ ସିଡି ପୁଲିସର ହସ୍ତଗତ ହୋଇଥିଲା। ଏଥିରୁ ଶ୍ରୀନଗରରେ ଚାଲିଥିବା ସେକ୍ସ ସ୍କାଣ୍ଡାଲ୍‌ର ପର୍ଦ୍ଦାଫାସ ହୋଇଥିଲା। ଏଥିରେ ବହୁ ମନ୍ତ୍ରୀ, ବିଧାୟକ ଏବଂ ଅନ୍ୟ କ୍ଷମତାସମ୍ପନ୍ନ ବ୍ୟକ୍ତିମାନଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡ଼ିଛି। ଏହି ମାମଲାରେ ସିବିଆଇ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନାଁ ମଧ୍ୟ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଥିଲା। ଏହି ମାମଲା ପାଇଁ ଓମାର ଅବଦୁଲ୍ଲା ସେ ଗତ ୨୦୦୯ ମସିହାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଇଥିଲେ। ଏହି ସେକ୍ସ ସ୍କାଣ୍ଡାଲ୍‌ରେ ସମୁଦାୟ ୯ ଜଣ ଅଭିଯୁକ୍ତ ରହିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ସବୀନା ଏବଂ ତାଙ୍କ ସ୍ୱାମୀ ଅବଦୁଲ ହମିଦ ବୁଲ୍ଲାଙ୍କର ବିଚାରପ୍ରକ୍ରିୟା ସମୟରେ ହିଁ ମୃତ୍ୟୁ ହୋଇଯାଇଛି।

ସମ୍ବନ୍ଧିତ ଖବର