ଜେଲ୍‌ ଗଲା ଦୁଷ୍କର୍ମ ଅଭିଯୁକ୍ତ

ନାବାଳିକାର ବାପାଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା

ଖଣ୍ଡଗିରି : ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାବାଳିକାକୁ ଦୁଷ୍କର୍ମ କରିବା ପରେ ତା’ର ବାପାଙ୍କୁ ଧମକ ଚମକ ଓ ଅପମାନ ଦେଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଭଳି ସଂଗିନ୍‌ ଅଭିଯୋଗରେ ଆଜି ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ହେଲା, ଭରତପୁର ଅଞ୍ଚଳରେ ରହୁଥିବା ଗଞ୍ଜାମ ବୁଗୁଡ଼ାର ପିଣ୍ଟୁ ଗୌଡ଼(୨୫)। ଜାମିନ୍‌ ନାମଞ୍ଜୁର ହେବାରୁ ପିଣ୍ଟୁକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଗତ ୧୫ତାରିଖ ରାତିରେ ଭରତପୁରରେ ରହୁଥିବା ନାବାଳିକାର ବାପା ନିଜ ଦେହରେ କିରାସିନି ଢାଳି ନିଅାଁ ଲଗାଇ ଦେଇଥିଲେ। ମାତ୍ର ସୌଭାଗ୍ୟବଶତଃ ତୁରନ୍ତ ତାଙ୍କୁ ପାଖ ପଡ଼ୋଶୀମାନେ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ। ୪୦ ପ୍ରତିଶତ ପୋଡ଼ି ହୋଇଯାଇଥିବାରୁ କଟକ ବଡ଼ ମେଡିକାଲରେ ସେ ସୁସ୍ଥ ହୋଇପାରିଥିଲେ। ହସ୍ପିଟାଲରୁ ଫେରିବା ପରେ ସେ ନିଜର ନାବାଳିକା ଝିଅକୁ ସାଙ୍ଗରେ ଧରି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।

ତାଙ୍କ ଅଭିଯୋଗ ଅନୁସାରେ ସେହି ୧୫ ତାରିଖ ଦିନ ସେ ଓ ତାଙ୍କ ସ୍ତ୍ରୀ ମୂଲ ଲାଗିବାକୁ ବାହାରକୁ ଯାଇଥିଲେ। ଘରେ ନାବାଳିକା ଝିଅଟି ଏକୁଟିଆ ଥିଲା। ଏହି ମୌକାରେ ତାଙ୍କ ବସ୍ତିର ପିଣ୍ଟୁ ଗୌଡ଼ ଦିପହରେ ଘରେ ପଶି ନାବାଳିକାକୁ ଦୁଷ୍କର୍ମ କରିଥିଲା। ସନ୍ଧ୍ୟାବେଳେ ବାପା ମା’ ଘରକୁ ଆସିବା ପରେ ନାବାଳିକାଟି ସବୁ କଥା କହିଥିଲା। ତେଣୁ ନାବାଳିକାର ବାପା ପିଣ୍ଟୁ ଘରକୁ ଯାଇ ତା ବାପାଙ୍କ ଆଗରେ ଅଭିଯୋଗ କରିଥିଲେ। କିନ୍ତୁ ପାଲଟା ପିଣ୍ଟୁ ଓ ତା’ର ପରିବାର ଲୋକେ ଧମକ ଦେବା ସହ ତାଙ୍କ ଝିଅ ଚରିତ୍ରକୁ ନେଇ ଖରାପ କଥା କହିଥିଲେ। ଲୋକଙ୍କ ଆଗରେ ଏଭଳି କଥା ଶୁଣିବା ପରେ ନାବାଳିକାର ବାପା ଘରକୁ ଫେରି ଦେହରେ କିରାସିନି ଢାଳି ନିଅାଁ ଲଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର