ନୂଆଦିଲ୍ଲୀ: ଜାତକକୁ ବିଶ୍ବାସ କରି ଲୋକ ବାହାଘର ଭାଙ୍ଗିଦେବା କଥା ହୁଏତ ଆପଣ ଶୁଣିଥିବେ। ହେଲେ ଜାତକକୁ ବିଶ୍ବାସ କରି କେହି କାହାର ହତ୍ୟା କରିବା କଥା କେବେ ଶୁଣିଛନ୍ତି କି? ଏପରି ଏକ ଅଭାବନୀୟ ଘଟଣା ଘଟିଛି କେରଳର ତିରୁବନନ୍ତପୁରମ୍ରେ।
ଘଟଣାଟି ଏପରି, ଜଣେ ସୁନ୍ଦର ଓ ଶିକ୍ଷିତ ଯୁବତୀଙ୍କ ବିବାହ ଜଣେ ଯବାନଙ୍କ ସହ ସ୍ଥିର ହୋଇଥିଲା। ଦୁହିଁଙ୍କ ଜାତକ ମେଳ ଖାଇଥିଲା। ହେଲେ ପଣ୍ଡିତ ଝିଅର ଜାତକ ଦେଖି କହିଲେ ବି ପୁଅ ଜଣକ ତାଙ୍କୁ ବିବାହ କରିବା ପରେ ମରିିଯିବ। ଏହି କଥା ଶୁଣିବା ପରେ କନ୍ୟାପକ୍ଷ ଲୋକଙ୍କ ମୁଣ୍ଡରେ ଚିନ୍ତା ପଶିଗଲା। ସେମାନେ ଭାବିଲେ ବାହାଘର ଭାଙ୍ଗିବା ଅପେକ୍ଷା ଅନ୍ୟ ଏକ ଉପାୟରେ ଏହି ସମସ୍ୟାକୁ ସମାଧାନ କରିବା। ହେଲେ ସେହି ଉପାୟ ଥିଲା ଖୁବ୍ ଭୟଙ୍କର। ଯାହାକି ବିଚରା ଯବାନଙ୍କର ଜୀବନ ନେବାକୁ ବି ପଛାଇଲାନି।
ତେବେ ବିବାହ ସ୍ଥିର ହେବା ପରେ ଉଭୟ ଯୁବକ ଓ ଯୁବତୀ ଅନେକ ବାର ପରସ୍ପରଙ୍କୁ ଭେଟିଛନ୍ତି। ଏପରିକି ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ତେବେ ଗତ କିଛି ଦିନ ହେବ ଯୁବକ ଜଣକ ଯେବେ ବି ତାଙ୍କ ପ୍ରେମିକାଙ୍କୁ ଭେଟୁଥିଲେ ତ ସେଠାରୁ ଫେରିବା ପରେ ଖୁବ୍ ଅସହଜ ଅନୁଭବ କରୁଥିଲେ। ତାପରେ ବାନ୍ତି କରୁଥିଲେ ଓ ଖୁବ୍ ଅସୁସ୍ଥ ମନେ କରୁଥିଲେ।
ତେବେ ବାରମ୍ବାର ଏପରି ହେବାରୁ ଘର ଲୋକ ଯୁବକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁଥିଲେ ବି ସେ କିଛି କହୁନଥିଲେ। କାରଣ ଯୁବକ ନିଜେ ବି ତାଙ୍କ ଅସୁସ୍ଥତା ପଛର କାରଣ ଜାଣିନଥିଲେ। ତେବେ ଦିନେ ସେ ତାଙ୍କ ପ୍ରେମିକାଙ୍କ ପାଖରୁ ଫେରିବା ପରେ ଖୁବ୍ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ଶେଷରେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ଘରଲୋକଙ୍କ ଅଭିଯୋଗ ଅନୁଯାୟୀ ଯୁବତୀଙ୍କ ନାମରେ ସ୍ଲୋ ପଏଜନ୍ ଦେଇ ହତ୍ୟା କରିଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି। ତେବେ ବାସ୍ତବରେ ତାଙ୍କ ପ୍ରେମିକା ତାଙ୍କୁ କିଛି ବିଷାକ୍ତ ପାନୀୟ ପିଇବାକୁ ଦେଉଥିଲେ କି ନାହିଁ ତାହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି।