ନୂଆଦିଲ୍ଲୀ: ଭଲ ପାଇ ଲୁଚି ଲୁଚି ବିବାହ କରିଥିଲେ। ଆଉ କେହି ପସନ୍ଦ କରିଦେବ ବୋଲି ଭାବି ପ୍ରେମିକ କହିବାରୁ ନିଜର କେଶ କାଟି ଦେଇଥିଲେ ଯୁବତୀ। ହେଲେ ସମୟ ସହ ପ୍ରେମିକର ମନ ଭରିଯିବ ଏବଂ ସେ ଆଉପୂର୍ବ ଭଳି ଭଲପାଇବନି ବୋଲି ଜାଣି ନଥିଲେ ଯୁବତୀ। ଆଉ ଆପଣାଇ ନେଇଥିଲେ ମୃତ୍ୟୁକୁ। ଘଟଣାଟି ଘଟିଛି ଦିଲ୍ଲୀରେ।

Advertisment

ହଠାତ୍ ପ୍ରେମିକର ମନ ପରିବର୍ତ୍ତନକୁ ଯୁବତୀ ସହିନପାରି ନିଜ ଜୀବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ୍ୟୁକୁ ୧୦ଦିନ ବିତିଥିବା ବେଳେ ଏପର୍ଯ୍ୟନ୍ତ ପୁଲିସ ପ୍ରେମିକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ମୃତକଙ୍କ ନାମ ପ୍ରୀତି କୁଶୱାହା ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ୧୮ ବର୍ଷୀୟା ପ୍ରୀତି କୁଶୱାହା ଦିଲ୍ଲୀର ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଦୁଇ ବର୍ଷ ପୂର୍ବେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରୀତି ଓ ତାଙ୍କ ପରିବାର ଗାଁକୁ ଯାଇଥିଲେ। ସେଠାରେ ପ୍ରୀତିଙ୍କ ଦେଖା ତାଙ୍କ ଦୂର ସମ୍ପର୍କୀୟ ଭାଇଙ୍କ ସହିତ ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା ଏବଂ ଦୁହେଁ ଗୁପ୍ତରେ ବିବାହ କରିଥିଲେ। ପ୍ରୀତି ଜୀବନ ହାରିବା ପରେ ଏହା ପରିବାର ସାମ୍ନାକୁ ଆସିଥିଲା। ନିଜ ଫୋନରେ ପ୍ରୀତି, ଯୁବକଙ୍କ ନାମ 'ହଜ୍‌ବ୍ୟାଣ୍ଡ ଜୀ' ନାମରେ ସେଭ୍ କରିଥିବା ସହ ଅଭିଯୁକ୍ତ ତାଙ୍କ ମୁଣ୍ଡରେ ସିନ୍ଦୁର ଭରୁଥିବାର ଫଟୋ ଫୋନ‌ରୁ ମିଳିଥିଲା।

ହଠାତ୍ ପ୍ରୀତି ନିଜ କେଶ କାଟି ଲଣ୍ଡା କାହିଁକି ହୋଇଯାଇଥିଲେ, ତାହା ମଧ୍ୟ ତାଙ୍କ ମୃତ୍ୟୁ ପରେ ପରିବାର ଜାଣିବାକୁ ପାଇଥିଲେ। ଅଭିଯୁକ୍ତ, ପ୍ରୀତିଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବା ସହ ଅନ୍ୟ କେହି ତୁମକୁ ପସନ୍ଦ କଲେ ମୋର କ’ଣ ହେବ ବୋଲି କହୁଥିଲେ। ଏହା ଶୁଣି ପ୍ରୀତି କେଶ ଖରାପ ହୋଇଯାଉଥିବା କହି ଲଣ୍ଡା ହୋଇଯାଇଥିଲେ। ଏତେ ସବୁ କରିବା ପରେ ବି ଅଭିଯୁକ୍ତ ତାଙ୍କୁ ଧୋକା ଦେଇଥିଲେ। ଫୋନ୍ ନଉଠାଇବା ସହ ନମ୍ବର ବ୍ଲକ୍ କରିଦେଇଥିଲେ। ଏହାକୁ ସହିନପାରି ପ୍ରୀତି ଜୀବନ ହାରିଥିବା ଦାବି କରିଛନ୍ତି ତାଙ୍କ ପରିବାର। ଏନେଇ ପୁଲିସରେ ଅଭିଯୋଗ କରାଯିବା ପରେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।ଜୀବନ ହାରିବା ପୂର୍ବରୁ ପ୍ରୀତି ପିଜ୍ଜା ଓ କୋଲ୍ଡ ଡ୍ରିଙ୍କ ଅର୍ଡର କରିଥିଲେ ବୋଲି ଜଣାଯାଇଛି।