ବାଲିଅନ୍ତା : ଝରକା ତାଡ଼ି ପୁଣି ୨୧ଟି ମେଣ୍ଢା ଚୋରି

ବାଲିପାଟଣା/ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ଶିଙ୍ଗିରି ଶାସନ ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝରକା ତାଡ଼ି ଦୁଇଜଣ ମେଣ୍ଢାପାଳକଙ୍କର ୨୧ଟି ମେଣ୍ଢା ଚୋରି କରି ନେଇଛନ୍ତି। ଏ ସଂପର୍କରେ ଆଜି ବାଲିପାଟଣା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପୁଲିସ୍‌ ଲୁଟ୍‌ରେ ବ୍ୟବହୃତ ଲୁହାଛଡ଼ ଓ ଶାବଳ ଜବତ କରିଛି। ରିପୋର୍ଟ ଲେଖା ହେବା ବେଳକୁ ଚୋରି ମେଣ୍ଢା କିମ୍ବା ସଂପୃକ୍ତ ଲୁଟେରାଙ୍କ ସଂପର୍କରେ ପୁଲିସ୍‌କୁ କୌଣସି ସୁରାକ୍‌ ମିଳି ପାରିନାହିଁ।

ଅଭିଯୋଗ ଅନୁଯାୟୀ, ଗ୍ରାମର ପ୍ରଶାନ୍ତ ବେହେରାଙ୍କ ୧୩ଟି ଓ ତାଙ୍କ ବଡ଼ବାପା ପୁଅ ଭାଇ ପ୍ରକାଶ ବେହେରାଙ୍କ ୮ଟି ମେଣ୍ଢା ଲୁଟ୍‌ ହୋଇଛି। ଚୋରି ମେଣ୍ଢାର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଗତ ସପ୍ତାହ‌ରେ ମଧ୍ୟ ଅନୁରୂପ ଭାବେ ସ୍ଥାନୀୟ ବିଶୁନିଆପଡ଼ା ଗ୍ରାମର ଅନ୍ୟ ଦୁଇଜଣ ମେଣ୍ଢାପାଳକଙ୍କ ୫୦ଟି ମେଣ୍ଢା ଚୋରି ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିପାରିନାହିଁ। ଏହାକୁ ନେଇ ସ୍ଥାନୀୟ ମେଣ୍ଢାପାଳକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର