ମୁମ୍ବାଇ: ଆତ୍ମହତ୍ୟା କରିବାକୁ ପ୍ରେରିତ କରିଥିବା ମାମଲା ରୁଜୁ ହେବାରୁ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ସାଥୀ-ଅଭିନେତା ଶିଜାନ୍ ମହମ୍ମଦ୍ ଖାଁଙ୍କୁ ଗିରଫ କରିଥିଲା ପୁଲିସ। ଗିରଫ ପରେ ଅଧିକ ପଚରାଉଚରା ପାଇଁ ମୁମ୍ବାଇର ବସାଇ କୋର୍ଟ ତାଙ୍କୁ ପ୍ରଥମେ ୪ଦିନିଆ ପୁଲିସ କଷ୍ଟଡିକୁ ପଠାଇଥିଲେ। ପରେ ଏହି କଷ୍ଟଡି ଅବଧି ବଢ଼ାଯାଇ ଡିସେମ୍ବର ୩୧ପର୍ଯ୍ୟନ୍ତ ଶିଜାନଙ୍କୁ ନ୍ୟାୟିକ ହେପାଜତକୁ ନେଇଥିଲା ପୁଲିସ। ହେଲେ ପଚରାଉଚରା ସମୟରେ ଶିଜାନ ସ୍ପଷ୍ଟ ଭାବେ ବୟାନ ରଖୁନଥିବାରୁ ଏବେ ପୁଣି ଥରେ ତାଙ୍କର ନ୍ୟାୟିକ ହେପାଜତ ଅବଧି ବଢ଼ିଛି। ତାଙ୍କୁ ଏବେ ୧୪ଦିନ ପାଇଁ ନ୍ୟାୟିକ ହେପାଜତରେ ରହିବାକୁ ପଡ଼ିବ।
ପୁଲିସ କୋର୍ଟରେ ଅଭିଯୋଗ କରିଥିଲା ଯେ, ଶିଜାନ ପଚରାଉଚରା ସମୟରେ ସହଯୋଗ କରୁନାହାଁନ୍ତି। ଅଭିନେତା ତାଙ୍କ ଗୁଗୁଲ ଏବଂ ମେଲ ଆଇଡିର ପାସୱାର୍ଡ ପୁଲିସକୁ ଦେଉନାହାଁନ୍ତି। ଶିଜାନ ପାସୱାର୍ଡ ଭୁଲିଯାଇଥିବା ଭଳି ଅଭିନୟ କରୁଛନ୍ତି। ଏହାର ଜବାବରେ ଶିଜାନଙ୍କ ଓକିଲ କୋର୍ଟକୁ କହିଥିଲେ ଯେ ଯେହେତୁ ଶିଜାନଙ୍କ ମୋବାଇଲ୍ ଫୋନ୍ ପୁଲିସ୍ ପାଖରେ ଅଛି, ତେଣୁ କୌଣସି ବିଶେଷଜ୍ଞଙ୍କୁ ଡାକି ପୁଲିସ ପାସୱାର୍ଡ ଜାଣିପାରିବ।
ଉଲ୍ଲେଖଯୋଗ୍ୟ, ତୁନିଶା ଶର୍ମା ଶନିବାର ସକାଳେ ସୁଟିଂ ସେଟକୁ ଯିବା ପାଇଁ ଖୁସିରେ ଘରୁ ବାହାରିଥିଲେ। ପ୍ରଥମ ସିଫ୍ଟର ସୁଟିଂ ଶେଷ ହେବା ପରେ ଶିଜାନ ଏବଂ ତୁନିଶା ଅପରାହ୍ନ ୩ଟାରେ ମେକ୍ଅପ ରୁମରେ ମଧ୍ୟାହ୍ନ ଭୋଜନ କରିଥିଲେ। ଖାଦ୍ୟ ଖାଇସାରିବାର ୧୫ମିନିଟ ପରେ ତୁନିଶା ନିଜ ଜୀବନ ହାରିଥିଲେ।