ନୂଆଦିଲ୍ଲୀ: କ୍ୟାମ୍ପସ୍ରେ ଜଣେ କ୍ଲାସ୍ମେଟ୍-ଛାତ୍ରୀକୁ ଗୁଳି ମାରି ହତ୍ୟା କରିବା ପରେ ଗ୍ରେଟର୍ ନଏଡ଼ା ଅନ୍ତର୍ଗତ ଦାଦରୀ କୋତୱାଲୀ ଅଞ୍ଚଳର ଚିଟହରା ଗାଁ ପାଖରେ ଅବସ୍ଥିତ ଶିବ ନାଦର ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ‘ବଏଜ୍ ହଷ୍ଟେଲ୍’ରେ ଗୁଳି ମାରିହୋଇ ମରିଥିବା କଥା ପୁଲିସ କହିଛି।
ଦୁହିଁଙ୍କର ବୟସ ୨୧ ବର୍ଷ ଓ ସେମାନେ ଥିଲେ ବି. ଏ. ସୋସିଓଲୋଜିର ତୃତୀୟ ବାର୍ଷିକୀ ଶିକ୍ଷାର୍ଥୀ। ଉଭୟ ବିଶ୍ବବିଦ୍ୟାଳୟ ପରିସରରେ ଥିବା ‘ଗାର୍ଲସ୍’ ଓ ‘ବଏଜ୍’ ହଷ୍ଟେଲ୍ରେ ରହୁଥିଲେ ବୋଲି ପୁଲିସ ସୂଚନା ଦେଇଛି।।
ଗ୍ରେଟର୍ ନଏଡାର ଡେପୁଟି ପୁଲିସ କମିସନର୍ ଏସ୍. ଏମ୍ ଖାଁ କହିଛନ୍ତି, ଗୁରୁବାର ଅପରାହ୍ଣ ପ୍ରାୟ ୧.୩୦ ବେଳେ ଶିବ ନାଦର ବିଶ୍ବବିଦ୍ୟାଳୟର ପ୍ରଶାସନିକ ଅଧିକାରୀମାନେ ପୁଲିସକୁ ସୂଚନା ଦେଲେ କି, ବିଶ୍ବବିଦ୍ୟାଳୟ ପରିସରରେ ଥିବା ଡାଇନିଙ୍ଗ୍ ହଲ୍ ବାହାରେ ଜଣେ ଛାତ୍ର ତା’ର କ୍ଲାସ୍ମେଟ୍-ଛାତ୍ରୀକୁ ଗୁଳି ମାରି ହତ୍ୟା କରିଛି। କାନପୁରର ସ୍ନେହା ଚୌରସିଆ ନାମ୍ନୀ ସେ ଛାତ୍ରୀଙ୍କୁ ଗ୍ରେଟର୍ ନଏଡ଼ାସ୍ଥିତ ଯଥାର୍ଥ ହସ୍ପିଟାଲ୍କୁ ନିଆଯାଇଥିଲା। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ସେଠାକାର ଡାକ୍ତରମାନେ କହିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୀର୍ଘ ଦିନ ହେବ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଥିଲା କିନ୍ତୁ, ଅଳ୍ପ ଦିନ ହେବ ସେମାନଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟାଏ ଦେଶୀ ପିସ୍ତଲ ଉଦ୍ଧାର କରାଯାଇଛି।
‘ସିସିଟିଭି’ କ୍ୟାମେରା ଫୁଟେଜ୍ରେ ଦେଖାଯାଉଛି, ‘ଗାର୍ଲସ୍’ ଓ ‘ବଏଜ୍’ ହଷ୍ଟେଲ୍ ମଝିରେ ଅବସ୍ଥିତ କାଚ କବାଟ ଲଗା ଡାଇନିଙ୍ଗ୍ ହଲ୍ରେ ତାଲା ପଡ଼ିଛି । ଦିନ ପ୍ରାୟ ୧ଟା ବେଳେ ଦୁହେଁ ହଲ୍ ବାହାରେ ଭେଟାଭେଟି ହୋଇ କୋଳାକୋଳି ହେବା ସହିତ କଥାବାର୍ତ୍ତା ହେଉଛନ୍ତି। କ୍ଲାସମେଟ୍-ଛାତ୍ରୀଙ୍କୁ ଦେବା ପାଇଁ ଛାତ୍ରଜଣକ କିଛି, ବୋଧହୁଏ ଉପହାର ଆଣିଛନ୍ତି। କିନ୍ତୁ, ଉପହାର ପାର୍ସଲ୍କୁ ଛାତ୍ରୀଜଣକ ଗ୍ରହଣ କରିବାକୁ ଅଗ୍ରାହ୍ୟ କରୁଛନ୍ତି। ଏହାପରେ, ଛାତ୍ରଜଣକ ପିସ୍ତଲ୍ ବାହାର କରି ଛାତ୍ରୀଙ୍କ ପେଟରେ ଗୁଳି ମାରୁଛନ୍ତି। ଗୁଳି ଖାଇବା ପରେ ବି ଛାତ୍ରୀଜଣକ ସେ ଛାତ୍ର ସହିତ ଧସ୍ତାଧସ୍ତି କରୁଛନ୍ତି। କିନ୍ତୁ, ଛାତ୍ରଜଣକ ପୁଣି ଥରେ ଗୁଳି ଚଳାଇବାରୁ ଛାତ୍ରୀ ଟଳିପଡୁଛନ୍ତି। ଏହାପରେ ସେ ଛାତ୍ର ‘ବଏଜ୍’ ହଷ୍ଟେଲ୍ ଆଡ଼କୁ ଧାଇଁ ପଳାଉଛନ୍ତି। ।
ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।