ଆପତ୍ତିଜନକ ବିଜ୍ଞାପନକୁ ନେଇ ବିବାଦ ଉପୁଜିବା ପରେ କ୍ଷମା ମାଗିଲା ଡିଓ ବ୍ରାଣ୍ଡ୍‌ ‘ଲେୟାର୍‌ ସଟ୍‌’

ନୂଆଦିଲ୍ଳୀ: ଆପତ୍ତିଜନକ ବିଜ୍ଞାପନ ପାଇଁ କ୍ଷମା ମାଗିଲା ଡିଓ ବ୍ରାଣ୍ଡ୍‌ ‘ଲେୟାର୍‌ ସଟ୍‌’। ଅଭିଯୋଗ ହୋଇଥିଲା ଯେ ‘ଲେୟାର୍‌ ସଟ୍‌’ର ବିଜ୍ଞାପନ ଥିମ୍‌ ଦୁଷ୍କର୍ମକୁ ପ୍ରୋତ୍ସାହିତ କରୁଛି। ଏପରି ବିବାଦ ଘେରରେ ଫସିବା ପରେ କମ୍ପାନି କ୍ଷମା ପ୍ରାର୍ଥନା କରିଛି।

କମ୍ପ‌ାନି ତା’ର ଟ୍ବିଟର୍‌ ପେଜ୍‌ରେ ଏକ ବିବୃତି ଜାରି କରି ଲେଖିଛି ଯେ ‘ଆମ ବିଜ୍ଞାପନ କିଛି ବ୍ୟକ୍ତି ବିଶେଷ ଓ ସଂପ୍ରଦାୟର ଭାବନାକୁ କ୍ଷୁର୍ଣ୍ଣ କରିଥିବାରୁ ଆମେ କ୍ଷମା ପ୍ରାର୍ଥନା କରୁଛୁ।’

 

କେବଳ ସେତିକି ନୁହେଁ, କମ୍ପାନି ସମସ୍ତ ଗଣମାଧ୍ୟମ ସଂସ୍ଥାକୁ ଏହି ବିଜ୍ଞାପନର ପ୍ରସାରଣ ବନ୍ଦ କରିବାକୁ ସୂଚନା ଦେଇଛି । ଏହା ପୂର୍ବରୁ ଜୁନ୍‌ ୪ ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଟ୍ବିଟର୍‌ ଓ ୟୁଟ୍ୟୁବ୍‌ରୁ ଏହି ବିଜ୍ଞାପନକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲା।

ବିଜ୍ଞାପନକୁ ନେଇ ବିବାଦ ଉପୁଜିବା ପରେ କମ୍ପାନି ତା’ର ସଫେଇରେ କହିଛି ଯେ ‘ଧାର୍ଯ୍ୟ ଅନୁମୋଦନ ମିଳିବା ପରେ ହିଁ ଆମେ ବିଜ୍ଞାପନର ପ୍ରସାରଣ କରିଥିଲୁ। କାହାରି ଭାବନକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନଥିଲା। ମହିଳାଙ୍କ ମର୍ଯାଦାକୁ ହାନି କରି କୌଣସି ପ୍ରକାରର ଅନୈତିକ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ବି ଆମର ଲକ୍ଷ୍ୟ ନୁହେଁ।’

ସମ୍ବନ୍ଧିତ ଖବର