ମୋର ବୟସ ଏବେ ୨୫, ମୁଁ ନିଜ ପାଇଁ ନିଷ୍ପତ୍ତି ନେଇପାରିବି; ବାପାଙ୍କୁ ଏଭଳି କହି ଅଫତାବଙ୍କ ସହ ଚାଲିଯାଇଥିଲେ ଶ୍ରଦ୍ଧା

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର, ଆଜି ଏହି ନାଁକୁ ନେଇ ସାରା ଦେଶରେ ଚର୍ଚ୍ଚା। ପ୍ରେମ କରିଥିବା ମଣିଷ ପାଇଁ ବାପା-ମା’ଙ୍କୁ ବି ପର କରିଦେଇଥିଲେ ଶ୍ରଦ୍ଧା। ଘର ଛାଡ଼ି ପ୍ରେମିକ ସହ ବିବାହ କରିବେ ଏବଂ ସୁଖର ସଂସାର ଗଢ଼ିବାର ସ୍ବପ୍ନ ଶ୍ରଦ୍ଧା ଦେଖିଥିଲେ। ହେଲେ ତାଙ୍କୁ ଜଣାନଥିଲା ତାଙ୍କ ମନର ମଣିଷ ହିଁ ତାଙ୍କୁ ଆରପାରିକୁ ପଠାଇବ। ଦିଲ୍ଲୀରେ ମେ’ ମାସରେ ହୋଇଥିବା ହତ୍ୟାକାଣ୍ଡର ଆଜି ପର୍ଦ୍ଦାଫାଶ ହୋଇଛି। ଶ୍ରଦ୍ଧା ୱାକରଙ୍କୁ ତାଙ୍କ ପ୍ରେମିକ ଅଫ୍‌ତାବ ଅମୀନ୍‌ ପୁନାୱାଲ୍ଲା ହତ୍ୟା କରିବା ଏବଂ ତାଙ୍କ ଶରୀରକୁ ୩୫ଖଣ୍ଡ କରି ଫିଙ୍ଗିଦେବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି।

୭ମାସ ପରେ ଝିଅର ହତ୍ୟା ବିଷୟରେ ଜାଣି ଭାଙ୍ଗିପଡ଼ିଛନ୍ତି ପରିବାର ଲୋକେ। ଶ୍ରଦ୍ଧାଙ୍କ ବାପା କହିଛନ୍ତି ଯେ, ମୋ ଝିଅ ଏବଂ ଅଫ୍‌ତାବ ପରସ୍ପରକୁ ପସନ୍ଦ କରୁଥିବା ନେଇ ଆମକୁ ଦୁହିଁଙ୍କ ସମ୍ପର୍କ ସ୍ଥାପନ ହେବାର ୧୮ମାସ ପରେ ଜଣାପଡ଼ିଥିଲା। ୨୦୧୯ରେ ଶ୍ରଦ୍ଧା ଅଫତାବଙ୍କ ସହ ଲିଭ୍-ଇନରେ ରହୁଥିବା ବିଷୟରେ ଜଣାଇଥିଲା। ଏହା ଜାଣିବା ପରେ ମୁଁ ଏବଂ ମୋ ପତ୍ନୀ ଏହାର ବିରୋଧ କରିଥିଲୁ। ଏହି ସମ୍ପର୍କ ବଢ଼ାଇବାକୁ ଆମେ ମନା କରିବାରୁ ଶ୍ରଦ୍ଧା କହିଥିଲା ଯେ, ମୋର ବୟସ ଏବେ ୨୫ବର୍ଷ। ମୁଁ ନିଜ ପାଇଁ ନିଷ୍ପତ୍ତି ନେଇପାରିବି। ମୁଁ ଅଫ୍‌ତାବଙ୍କ ସହିତ ରହିବାକୁ ଚାହୁଁଛି। ଆଜିଠାରୁ ମୁଁ ତୁମର ଝିଅ ନୁହେଁ। ଏହା କହି ସେ ଘରୁ ବାହାରି ଯାଇଥିଲା। ମୋ ପତ୍ନୀ ଶ୍ରଦ୍ଧାକୁ ରହିବା ପାଇଁ ବହୁତ ନିବେଦନ କରିଥିଲେ ବି ସେ ରାଜି ହୋଇନଥିଲା ଏବଂ ଅଫ୍‌ତାବଙ୍କ ସହିତ ଚାଲି ଯାଇଥିଲା।

ଶ୍ରଦ୍ଧାଙ୍କ ବାପାଙ୍କ ଅନୁଯାୟୀ, ଘରୁ ଚାଲିଯାଇଥିଲେ ବି ଝିଅ ନିଜ ମା’ଙ୍କ ସହ କଥା ହେଉଥିଲା। ଅଫତାବ ତାକୁ ମାଡ଼ ମାରୁଥିବା ବିଷୟରେ ବି ଶ୍ରଦ୍ଧା ଜଣାଇଥିଲା। ଏମଧ୍ୟରେ ମୋ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ଅଫତାବ ମାଡ଼ ମାରୁଥିବା ଜାଣି ମୁଁ ଶ୍ରଦ୍ଧାକୁ ଘରକୁ ଆଣି ରଖିଥିଲି। କିନ୍ତୁ ପରେ ଅଫତାବ ଆସି ଶ୍ରଦ୍ଧାକୁ ନେଇଯାଇଥିଲା। ହେଲେ ମୋତେ ଜଣାନଥିଲା ମୋ ଝିଅ ସହ ଏସବୁ ଘଟିଯିବ।

ଉଲ୍ଲେଖଯୋଗ୍ୟ, ମୁମ୍ବାଇରେ ଗୋଟାଏ ବହୁରାଷ୍ଟ୍ରୀୟ କମ୍ପାନିର କଲ୍‌ ସେଣ୍ଟର୍‌ରେ କାର୍ଯ୍ୟ କରୁଥିବା ବେଳେ ୨୬ ବର୍ଷୀୟ ଶ୍ରଦ୍ଧା ପୂନାୱାଲାଙ୍କୁ ଭେଟିଥିଲେ। ମେ’ ୧୮ ତାରିଖ ଦିନ ବିବାହକୁ ନେଇ ଝଗଡ଼ା ଲାଗିବା ପରେ ଅଫ୍‌ତାବ ଅମୀନ୍‌ ପୁନାୱାଲ୍ଲା ତାଙ୍କ ଲିଭ୍‌-ଇନ୍‌ ପାର୍ଟନର୍‌ ଶ୍ରଦ୍ଧାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ। ତା’ପରେ ଶ୍ରଦ୍ଧାଙ୍କ ଶବକୁ ସେ ୩୫ ଖଣ୍ଡ କରି କାଟିଥିଲେ ଓ ଗୋଟାଏ ଫ୍ରିଜ୍‌ କିଣି ସେଥିରେ ରଖିଥିଲେ। ସେହି ଦିନଠାରୁ ପରବର୍ତ୍ତୀ ୧୮ ଦିନ ପର୍ଯ୍ୟନ୍ତ ସେ ରାତି ୨ଟା ପରେ ଘରୁ ବାହାରି ସମଗ୍ର ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଶବ-ଖଣ୍ଡ ସବୁ ଫିଙ୍ଗିଥିଲେ।

ସମ୍ବନ୍ଧିତ ଖବର