ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁଙ୍କ ହତ୍ୟା ମାମଲାରେ ପ୍ରଥମ ଅଭିଯୁକ୍ତକୁ ୫ଦିନ ପାଇଁ ରିମାଣ୍ଡରେ ନେଲା ପଞ୍ଜାବ ପୁଲିସ

ଚଣ୍ଡୀଗଡ଼: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେ ୱାଲା ହତ୍ୟା ମାମଲାରେ ପ୍ରଥମ ଅଭିଯୁକ୍ତକୁ ଗିରଫ କରିଛି ପଞ୍ଜାବ ପୁଲିସ। ଏହି ମାମଲାରେ ପଞ୍ଜାବ ପୁଲିସ ମନପ୍ରୀତ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗତକାଲି ତାକୁ ଉତ୍ତରାଖଣ୍ଡରୁ ପୁଲିସ କାବୁ କରିବା ସହ ପଞ୍ଜାବ ଆଣିଥିଲା। ଆଜି କୋର୍ଟରେ ମନପ୍ରୀତକୁ ହାଜର କରାଯାଇଥିବା ବେଳେ କୋର୍ଟ ତାଙ୍କୁ ୫ଦିନ ପାଇଁ ପୁଲିସ ରିମାଣ୍ଡରେ ପଠାଇଛନ୍ତି। ତେବେ ଏହି ଘଟଣାରେ ମନପ୍ରୀତଙ୍କ ଭୂମିକା କ’ଣ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ ଯେ, ଗତକାଲି ଉତ୍ତରାଖଣ୍ଡର ଡେରାଡୁନରୁ ସିଦ୍ଧୁ ମୁସେ ୱାଲା ହତ୍ୟା ମାମଲାରେ ପଞ୍ଜାବ ପୁଲିସ ୬ଜଣଙ୍କୁ ହେପାଜତକୁ ଆଣିବା ସହ ପରେ ସେମାନଙ୍କୁ ପଞ୍ଜାବ ଅଣାଯାଇଥିଲା। ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ସହାୟତାରେ ତାଙ୍କୁ ଧରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି କୁହାଯାଉଛି। ୬ଜଣଙ୍କ ମଧ୍ୟରୁ ଜଣକୁ ଆଜି ପୁଲିସ ରିମାଣ୍ଡରେ ନେଇଛି।

ଏହା ସହ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ତିହାର ଜେଲରେ ବନ୍ଦ ଥିବା ଲରେନ୍ସ ବିଷ୍ଣୋଇଙ୍କୁ ୫ଦିନ ପାଇଁ ରିମାଣ୍ଡରେ ନେଇଛି। ଏନକାଉଣ୍ଟର ଭୟ ଭିତରେ ଲରେନ୍ସ ବିଷ୍ଣୋଇଙ୍କୁ ରିମାଣ୍ଡରେ ନିଆଯାଇଛି। ତିହାର ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଓକିଲ ପଟିଆଲା କୋର୍ଟରେ ଏକ ଆବେଦନ କରିଥିଲେ। ଏହି ଆବେଦନରେ ଓକିଲ ଲରେନ୍ସଙ୍କ ସୁରକ୍ଷା ବୃଦ୍ଧି କରିବାକୁ ଦାବି କରିଥିଲେ। ଜେଲରେ ଥିବା ଲରେନ୍ସ ବିଷ୍ଣୋଇଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ସୁରକ୍ଷା ବୃଦ୍ଧି କରାଯାଉ ବୋଲି ଦାବି କରିଥିଲେ। ପଞ୍ଜାବ ପୁଲିସ ସିଦ୍ଧୁଙ୍କ ହତ୍ୟା ପାଇଁ ରିମାଣ୍ଡରେ ନେଲେ ଏନକାଉଣ୍ଟର କରିଦେବ ବୋଲି ସନ୍ଦେହ କରି ପଟିଆଲା ହାଉସ କୋର୍ଟରେ ଏଭଳି ଆବେଦନ କରାଯାଇଥିଲା, ଯେଉଁଥିରେ ତାଙ୍କୁ ରିମାଣ୍ଡ‌ରେ ନପଠାଯାଉ ବୋଲି ଲେଖାଯାଇଥିଲା।

ସମ୍ବନ୍ଧିତ ଖବର