ନୂଆଦିଲ୍ଲୀ: ରାଜସ୍ଥାନର ସିକରରେ ଜଣେ ରୋଗୀ ଡାକ୍ତରଖାନାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ଓ ହସ୍ପିଟାଲ କର୍ମଚାରୀଙ୍କୁ ନିସ୍ତୁକଭାବେ ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଛି। କେହି କିଛି ବୁଝିବା ପୂର୍ବରୁ ଅଭିଯୁକ୍ତରୋଗୀ ଲୁହା ଚେୟାରରେ ସୁରକ୍ଷାକର୍ମୀ ଓ ହସ୍ପିଟାଲ କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଘରୁରି ବୁଲୁଛି।
ଏହି ଘଟଣା ସିକରର ଏସକେ ହସ୍ପିଟାଲରେ ଘଟିଛି। ସୁରେଶ ମହଲା ନାମ ଜଣେ ରୋଗୀଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ପରିବାରଲୋକ ତାଙ୍କୁ ଏସକେ ହସ୍ପିଟାଲରେ ଚିକିତ୍ସା ପାଇଁ ଆଣି ଭର୍ତ୍ତି କରିଥିଲେ। ଏଠାରେ ଚିକିତ୍ସିତ ହେଉଥିବା ସମୟରେ ରୋଗୀ ସୁରେଶ ଡାକ୍ତରଖାନା୍ର ସମସ୍ତ କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ।
ଏହି ଆକ୍ରମଣରେ ଡାକ୍ତରଖାନାର ଜଣେ ସୁରକ୍ଷାକର୍ମଚାରୀ ସହିତ ଅନ୍ୟ ଚାରିଜଣ କର୍ମଚାରୀ ବି ଆହତ ହୋଇଥିଲେ। ସୁରକ୍ଷାକର୍ମଚାରୀ ସୁରେଶଙ୍କ ମାଡ଼ରେ ଗଭୀର ଭାବେ ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଯେଉଁଥିପାଇଁ ଡାକ୍ତର ସୁରକ୍ଷାକର୍ମଚାରୀଙ୍କ ମୁଣ୍ଡରେ ୪ଟି ସିଲେଇ ପକାଇଥିଲେ।
କୁହାଯାଉଛି ହସ୍ପିଟାଲ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା ରୋଗୀଙ୍କ ମାନସିକଅବସ୍ଥା ଭଲ ନଥିଲା। ହସ୍ପିଟାଲରେ ସୁରେଶଙ୍କ ଏଭଳି କାଣ୍ଡ ଦେଖି ପରିବାରଲୋକ ତାଙ୍କୁ ତୁରନ୍ତ ଘରକୁ ନେଇ ଯାଇଥିଲେ। ଏହି ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁ କାରଣ ପାଇଁ ହସ୍ପିଟାଲରେ ଥିବା ଅନ୍ୟ ରୋଗୀ ଓ ସେମାନଙ୍କ ସହିତ ଆସିଥିବା ସମ୍ପର୍କୀୟଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା।