ଭୁବନେଶ୍ବର: ଆଜି କ୍ରାଇମବ୍ରାଞ୍ଚ ଏସଆଇଟି କରିଛି ବଡ଼ ଖୁଲାସା । ‘ପରୀ’ ହତ୍ୟାକାଣ୍ଡକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜ ଜେରା ବେଳେ ଅନେକ ସମୟରେ ରାଗି ଯାଉଥିବା କହିଛନ୍ତି ଅରୁଣ ବୋଥ୍ରା । ଏହାସହିତ ପରୀ ହତ୍ୟାର ତଦନ୍ତ ନେଇ ଏସଆଇଟି ଗଠନ ପରେ ସରୋଜ ତାର ମୋବାଇଲରେ ଏସଆଇଟି ସଂପର୍କରେ ଗୁଗୁଲରେ କରିଥିଲା ସର୍ଚ୍ଚ ଓ ପରେ ସର୍ଚ୍ଚ ହିଷ୍ଟ୍ରିରୁ ଏହାକୁ ଡିଲିଟ୍ କରିଦେଇଥିଲା ବୋଲି ବୋଥ୍ରା କହିଛନ୍ତି। ଏଥିସହ ପୋଖରୀ କୂଳରୁ ମିଳିଥିବା ହାଡ ମଧ୍ୟରୁ କିଛି ହାଡ ଡିଏନଏ ପରୀକ୍ଷା ଲାଗି ଯାଇଥିବା ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ। ଏହି ସବୁ ହାଡ ଡାକ୍ତରୀ ଦଳ ପାଖରେସଂଗୃହୀତ ହୋଇ ରହିଛି ଏବଂ ପରୀର କୌଣସି ହାଡ ହଜିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେଣେ ଅଭିଯୁକ୍ତର ବ୍ରେନ୍ ମ୍ୟାପିଂ କରିବା ଲାଗି ବ୍ୟବସ୍ଥା କରୁଛି ଏସଆଇଟି। ଏହାଦ୍ବାରା ସେ ସତ କହୁଛି ନା ମିଛ, ତାହା ପ୍ରତିପାଦିତ ହୋଇପାରିବ।
ଆଜି ଏସଆଇଟି ଟିମକୁ ଅପରାଧର ଡେମୋ ଦେଖାଇଛି ନାବାଳିକା ପରୀ ହତ୍ୟା ଅଭିଯୁକ୍ତ ସରୋଜ ସେଠୀ । ଆଜି ସେଥିପାଇଁ ସରୋଜକୁ ଯଦୁପୁର ନେଇ ଯାଇଥିଲା ଏସଆଇଟି ଟିମ୍ । ଏହି ସମୟରେ ଏସଆଇଟି ଟିମ୍ ଆଗରେ ନିଜ ଘରେ କିପରି ପରୀକୁ ହତ୍ୟା କରିଥିଲା ସେ ନେଇ ପୂରା ଘଟଣା ବଖାଣିଛି ସରୋଜ ସେଠୀ । ସେଦିନ କେମିତି ପରୀକୁ ହତ୍ୟା କରିଥିଲା, କେଉଁ ସ୍ଥାନରେ ପରୀ ସହ ସେ ଘଟାଇଥିଲା ଜଘନ୍ୟ କାଣ୍ଡ, ହତ୍ୟା ପରେ କ’ଣ କ’ଣ କଲା ତାହା ଏସଆଇଟି ଟିମକୁ କହିଛି ଅଭିଯୁକ୍ତ।
ଏହା ସହିତ ଏସଆଇଟି ଟିମ୍ ଶବ ଫିଙ୍ଗା ଯାଇଥିବା ସ୍ଥାନକୁ ସରୋଜ ଯିବା ସହିତ କେମିତି ପୋଖରୀ ନିକଟ ବୁଦାରେ ଶବ ଫିଙ୍ଗିଥିଲା ତାହା ବି ଦେଖାଇଥିବା ଜଣାପଡିଛି । ଆଗରୁ ସରୋଜ ସେଠୀକୁ ହିଁ ପରୀର ହତ୍ୟାକାରୀ ବୋଲି ଏସଆଇଟି ଟିମ୍ ସ୍ପଷ୍ଟ କରିଥିଲା । ସମୟ ବଢିବା ସହିତ ତଦନ୍ତକାରୀ ଟିମ୍ ଏସଆଇଟି ହାତରେ ପରୀ ହତ୍ୟାକୁ ନେଇ ଗୋଟିଏ ପରେ ଗୋଟିଏ ପ୍ରମାଣ ଲାଗୁଛି ।
ପୂର୍ବରୁ ପରୀର ହତ୍ୟା ପରେ ତା’ ଲେଗିଙ୍ଗସକୁ ସେ ଗାଁ ପୋଖରୀକୁ ଫିଙ୍ଗିଥିଲା ବୋଲି ଏସ୍ଆଇଟି ତଦନ୍ତ କରି ସୂଚନା ଦେଇଥିଲା । ଯାହାକୁ ଯଦୁପୁର ଗାଁ ପୋଖରୀ ଶୁଖାଇ ଉଦ୍ଧାର କରି ସାରିଛି ଏସଆଇଟି ଟିମ୍ । ତେବେ ପରୀର ହତ୍ୟା ସମୟରେ ପରୀ ନାକରୁ ରକ୍ତ ବାହାରିଥିଲା ଓ ଏକ ତଉଲିଆରେ ଅଭିଯୁକ୍ତ ପୋଛିଥିଲା । ଗତକାଲି ଏସଆଇଟି ଟିମ୍ ଏହାକୁ ଉଦ୍ଧାର କରିଥିଲା ।