ବେଙ୍ଗାଲୁରୁରେ ଜାଲ୍‌ ଆଧାର କାର୍ଡ ର‍୍ୟାକେଟ୍‌ର ପର୍ଦ୍ଦାଫାଶ, ୬ ବାଂଲାଦେଶୀ ଗିରଫ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଜାଲ କାଗଜ ପତ୍ର ଦେଖାଇ ଅଧାରକାର୍ଡ଼ ତିଆରି କରିଥିବାରୁ ୭ଜଣଙ୍କୁ ଗିରଫ କରିଛି ପୁଲିସ । ଏହା ସହିତ ୭ ଜଣଙ୍କୁ ଏହି କାମ କରିବା ପାଇଁ ସାହାଯ୍ୟ କରିଥିବାରୁ ଜଣେ ଏଜେଣ୍ଟଙ୍କୁ ପୁଲିସ ଗିରଫ କରିବା ସହ ଜାଲ୍‌ କାଗଜ ପତ୍ର ଉପରେ ଆଟେଷ୍ଟେଡ଼୍‍ କରିଥିବା ଡାକ୍ତରଙ୍କୁ ପୁଲିସ ହେପାଜତ୍‌କୁ ନେଇଥିବା ସୂଚନା ମିଳିଛି । ଆଇଟି କମ୍ପାନିରେ ଚାକିରି କରିବା ପାଇଁ ସେମାନେ ଏପରି କରିଥିଲେ ବୋଲି ଜଣା ପଡ଼ିଥିବା ବେଳେ ସେମାନଙ୍କୁ ଭଲ କମ୍ପାନିରେ ଚାକିରି ମଧ୍ୟ ମିଳିଥିଲା । ୟୁନିକ୍‌ ଆଇଡ଼ିଏଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ ତରଫରୁ ଏ ନେଇ ଏତଲା ଦିଆଯିବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ରୁବିଉଲା(୨୩), ରିଆଦ୍‌ ଖାନ୍‌(୨୫), ମହମ୍ମଦ୍‌ ଖୋକନ୍‌(୨୦), ଓହିଦୁଲ୍ଲା(୨୯), ମହମ୍ମଦ୍‌ କଲାମ୍‌(୩୪) ଏବଂ ଜାହିର୍‌ ହୁସେନ୍‌(୨୮) ।

ଏମାନେ ବାଂଲାଦେଶରେ ଥିବା ମୁରେଲ୍‌ ଗଞ୍ଜର ବାସିନ୍ଦା ବୋଲି ଜଣା ପଡ଼ିଛି । ସେମାନେ ବେଆଇନ୍‌ ଭାବରେ ଭାରତକୁ ପ୍ରବେଶ କରିବା ସହ କିଛି ବର୍ଷ ହେଲା ବେଙ୍ଗାଲୁରୁରେ ରହି ଆସୁଥିଲେ । ନଦୀ ପାର ହୋଇ ଭାରତକୁ ଆସିବା ସହ କୋଲକାତା ଦେଇ ବେଙ୍ଗାଲୁରୁରେ ପ୍ରବେଶ କରିଥିଲେ ବୋଲି ଅଭିଯୁକ୍ତମାନେ ପୁଲିସ ପାଖରେ ସ୍ୱୀକାର କରିଛନ୍ତି । ଏହି କାମ ପାଇଁ ବିଟିଏମ୍‌ ଲେଆଉଟ୍‌ର ଏନ୍‌.ଏସ୍‌ ପାଲ୍ୟାରେ ରହୁଥିବା ଏଜେଣ୍ଟ ସେୟଦ ସୈଫୁଲା ସେମାନଙ୍କ ଠାରୁ ମୁଣ୍ଡ ପିଛା ୫୦୦ଟଙ୍କା ଆଦାୟ କରିବା ସହ ଆଧାର କାର୍ଡ଼ ଯୋଗାଇଥିଲେ । ବୋମାସାନ୍ଦ୍ରାର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ କାମ କରୁଥିବା ଡା.ଏଚ୍‌.ସି.ଲୋକେଶ୍‌ ଜାଲ୍‌ କାଗଜ୍‌ପତ୍ରରେ ହସ୍ତାକ୍ଷର କରିଛନ୍ତି ବୋଲି ସେୟଦ ର୍ସେଫୁଲା କହିବା ପରେ ପୁଲିସ ତାଙ୍କୁ ହେପାଜତ୍‌କୁ ନେଇଥିବା ଜଣା ପଡ଼ିଛି ।

ଚଳିବା ପାଇଁ ଟଙ୍କା ଅଭାବ ହେବାରୁ ସେମାନେ ରୋଜଗାର ପାଇଁ ଅନ୍ୟ ବାଟ ଖୋଜୁଥିଲେ । ସେହି ସମୟରେ ସେମାନେ ସେୟଦ ସୈଫୁଲାଙ୍କୁ ଦେଖା ହେବା ସହ ସେୟଦ ତାଙ୍କୁ ଆଧାର୍‌ କାର୍ଡ଼ କରାଇ ଦେବାରେ ସାହାଯ୍ୟ କରିଥିଲେ । ଏହା ପରେ ସେମାନଙ୍କୁ ଆଇଟି କମ୍ପାନିରେ ହାଉସ୍‌ କିପିଙ୍ଗ୍‌ର ଚାକିରି ମିଳିଥିଲା ବୋଲି ପୁଲିସ ସୂଚନା ଦେଇଛି । ଏହା ସହ ଜାଲ୍‌ କାଗଜପତ୍ର ଦେଇ ୫୦ଟି ଆଧାର୍‌ କାର୍ଡ଼ ତିଆରି କରିଥିଲେ ବୋଲି ସେୟଦ ପୁଲିସ ଆଗରେ ସ୍ୱୀକାର କରିଛି ।

ସମ୍ବନ୍ଧିତ ଖବର