ମୁଣ୍ଡାସାହି ଅଶାନ୍ତ; ଉଭୟ ପକ୍ଷର ୬ ଆହତ

ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ଭୁବନେଶ୍ୱର : ଅପରାହ୍ନରେ ହଠାତ୍‌ ମୁଣ୍ଡାସାହି ଅଶାନ୍ତ ହୋଇପଡ଼ିଥିଲା। ଠିକା କାମ ପାଇଁ ଟଙ୍କା ଦେବାକୁ ଯାଇଥିବା ବେଳେ ମୁଣ୍ଡାସାହି ଓ ପାଣ୍ଡରା ଲୋକଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ମାରପିଟ ଯୋଗୁଁ ଉଭୟ ପକ୍ଷର ୬ଜଣ ଆହତ ହୋଇଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ହେଲେ ସେଠାରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି। ତେଣୁ କାଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସେଠାରେ ପୁଲିସ ମୁତୟନ କରାଯାଇଛି।

ସୂଚନା ମୁତାବକ, ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟା ସମୟରେ ପାଣ୍ଡରାର ପ୍ରଶାନ୍ତ ସୁବୁଦ୍ଧି ଓ ପ୍ରଭାତ ଭଞ୍ଜ ମୁଣ୍ଡାସାହିର ଠିକା କାମ କରୁଥିବା ଜଣେ ଯୁବକଙ୍କୁ ଟଙ୍କା ଦେବା ପାଇଁ ଯାଇଥିଲେ। ହେଲେ ସେ ଘରେ ନ ଥିବାରୁ ପ୍ରଶାନ୍ତ ଓ ପ୍ରଭାତ ଫେରିଆସୁଥିଲେ। ଯୁବକଙ୍କ ଭାଉଜ ପ୍ରଶାନ୍ତଙ୍କୁ ଟଙ୍କା ଦେବାକୁ କହିଥିଲେ। ମାତ୍ର ପ୍ରଶାନ୍ତ ଟଙ୍କା ନ ଦେବାରୁ ଯୁବକଙ୍କ ଭାଉଜ ପ୍ରଶାନ୍ତ ଓ ପ୍ରଭାତଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପ୍ରଶାନ୍ତ ଏହାର ପ୍ରତିବାଦ କରିବାରୁ ମହିଳା ଓ ତାଙ୍କ ସ୍ୱାମୀ ପାଟିକରି ବସ୍ତିଲୋକଙ୍କୁ ଡାକିଥିଲେ। ଏହାପରେ ମହିଳା ଓ ତାଙ୍କ ସ୍ୱାମୀ ଶାବଳ ଓ କାଠ ଫାଳିଆରେ ପ୍ରଶାନ୍ତ ଓ ପ୍ରଭାତଙ୍କୁ ଆକ୍ରମଣ କରିଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ବିଷୟରେ ଯାଣିବା ପରେ ପ୍ରଶାନ୍ତ ଓ ପ୍ରଭାତଙ୍କ ସମର୍ଥକମାନେ ଉତ୍ତ୍ୟକ୍ତ ହୋଇ ମୁଣ୍ଡାସାହି ବସ୍ତିକୁ ଯାଇ ହଙ୍ଗାମା କରିଥିଲେ। ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ବଢ଼ିଯାଇଥିଲା ଯେ, ମୁଣ୍ଡାସାହିର ୪ଜଣ ଆହତ ହୋଇଥିଲେ। ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରି ପୁରୀ ବାଇପାସ୍‌ ରୋଡ୍‌କୁ ଚାଲି ଆସିଥିଲେ। ଫଳରେ କିଛି ସମୟ ଧରି ରାସ୍ତାରେ ଯାତାୟତ ଠପ୍‌ ହୋଇଯାଇଥିଲା।

ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଉଭୟ ପକ୍ଷଙ୍କୁ ବୁଝାସୁଝା କରି ପଠାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା। ଯଦିଓ ଘଟଣାସ୍ଥଳରୁ ସମସ୍ତେ ପଳାଇଥିଲେ, ହେଲେ ସେଠାରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଏ ନେଇ ଉଭୟ ପକ୍ଷରୁ ଅଭିଯୋଗ ପରେ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର