ଅହମଦାବାଦ: ‘ମାଟ୍ରିମୋନିଆଲ୍ ସାଇଟ୍’ରେ ପରିଚୟ ହୋଇଥିବା ଜଣେ ତରୁଣୀଙ୍କ ବୁଦ୍ଧିରେ ପଡ଼ି ଅହମଦାବାଦର ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଗୋଟିଏ ମାସରେ ୧ କୋଟି ଟଙ୍କା ହରାଇଥିବା କଥା ଶନିବାର ଦିନ ଗାନ୍ଧୀନଗର ସାଇବର୍କ୍ରାଇମ୍ ଥାନାରେ ଅଭିଯୋଗ ହୋଇଛି।
ଗାନ୍ଧୀନଗରସ୍ଥିତ ଏକ କମ୍ପାନିରେ କାର୍ଯ୍ୟରତ କୁଳଦୀପ ପଟେଲ୍ ନାମରେ ସେ ସଫ୍ଟୱେର୍ ଇଞ୍ଜିନିୟର୍ ‘କ୍ରିପ୍ଟୋକରେନ୍ସି’ର ସରବ୍ୟ ହୋଇ ୧ କୋଟିରୁ ଅଧିକ ଟଙ୍କା ହରାଇଥିବା କଥା ପୁଲିସକୁ କହିଛନ୍ତି।
ଫାଇଲ୍ କରିଥିବା ‘ଏଫ୍ଆଇଆର୍’ରେ ସେ କହିଛନ୍ତି ଯେ, ଜୁନ୍ ମାସରେ ‘ମାଟ୍ରିମୋନିଆଲ୍ ସାଇଟ୍’ରେ ତାଙ୍କର ଅଦିତି ନାମ୍ନୀ ଜଣେ ତରୁଣୀଙ୍କ ସହିତ ପରିଚୟ ହୋଇଥିଲା। ଇଂଲଣ୍ଡ୍ରେ ତାଙ୍କର ଆମଦାନି ଓ ରପ୍ତାନି ବ୍ୟବସାୟ ଥିବା କଥା ଅଦିତି ତାଙ୍କୁ କହିଥିଲେ। ଅଧିକ ଉପାର୍ଜନ ନିମନ୍ତେ ‘ବେନୋକଏନ୍’ରେ (ଏକ ଜାତୀୟ କ୍ରିପ୍ଟୋ ମୁଦ୍ରା) ଅର୍ଥ ବିନିଯୋଗ କରିବା ପାଇଁ ସେ ପଟେଲ୍ଙ୍କୁ ପରାମର୍ଶ ଦେଇଥିଲେ। ଅଦିତିଙ୍କ କଥା ଅନୁସାରେ, ଭଲ ଆୟ ଆଶାରେ ପଟେଲ୍ ସେମାନଙ୍କ ୱେବ୍ସାଇଟ୍ରେ ପଞ୍ଜିକୃତ ହୋଇ ଟଙ୍କା ବିନିଯୋଗ କଲେ। ପ୍ରଥମେ ୧ ଲକ୍ଷ ଟଙ୍କା ବିନିଯୋଗ କରିବା ପରେ ତାଙ୍କ ‘କ୍ରିପ୍ଟୋ’ ଆକାଉଣ୍ଟ୍ରେ ୭୮ ‘ୟୁଏସ୍ ଡଲାର୍ ଟିଦର୍’ ଲାଭ ଦେଖାଗଲା। ପଛକୁ ପଛ ପଟେଲ୍ ଅଧିକରୁ ଅଧିକ ଅର୍ଥ ବିନିଯୋଗ କରି ଜୁଲାଇ ୨୦ରୁ ଅଗଷ୍ଟ ୩୧ ମଧ୍ୟରେ ୧୮ଟି ‘ଟ୍ରାଞ୍ଜାକ୍ସନ୍’ ଜରିଆରେ ୧.୩୪ କୋଟି ଟଙ୍କା ବିନିଯୋଗ କରିପକାଇଲେ। ସେପ୍ଟେମ୍ବର ୩ ତାରିଖ ଦିନ ପଟେଲ୍ ତାଙ୍କ ଆକାଉଣ୍ଟ୍ରୁ ୨.୫୯ ଲକ୍ଷ ଟଙ୍କା ଉଠାଇବାକୁ ଚାହିଁବାରୁ, ଆକାଉଣ୍ଟ୍ ‘ଫ୍ରିଜ୍’ ହୋଇଯାଇଥିବା କଥା ତାଙ୍କୁ କୁହାଗଲା।
ତେଣୁ, ସେ ଆଗରୁ କଥାବର୍ତ୍ତା କରୁଥିବା ଗ୍ରାହକ ସେବା ପ୍ରତିନିଧିଙ୍କ ସହିତ ଯୋଗାଯୋଗ କଲେ। ସେ କହିଲେ କି, ଆକାଉଣ୍ଟ୍ ‘ଡି-ଫ୍ରିଜ୍’ କରିବା ଲାଗି ଆଉ ୩୫ ଲକ୍ଷ ଟଙ୍କା ବିନିଯୋଗ କରନ୍ତୁ। ଏକଥା ଶୁଣି ପଟେଲ୍ ଅଦିତିଙ୍କ ସହିତ ଯୋଗାଯୋଗ କରିବାରୁ ସେ ନିରୁତ୍ତର ରହିଲେ। ସେତେବେଳ ଯାଇ ପଟେଲ୍ ଜାଣିଲେ ଯେ, ସେ ଠକି ଯାଇଛନ୍ତି।