ଖଣ୍ଡଗିରି : ବୁଢ଼ା ବୟସରେ ନାତି ନାତୁଣୀଙ୍କ ସହ କିଏ ବା ଖେଳିବାକୁ ଭଲ ନ ପାଏ! କିନ୍ତୁ କୁନି କୁନି ନାତି ନାତୁଣୀକୁ ଗେଲ କରିବା ମହଙ୍ଗା ପଡ଼ିଛି ଜଣେ ବୃଦ୍ଧଙ୍କୁ। ପୁଅର ରଡ୍‌ ମାଡ଼ରେ ବୁଢ଼ା ବାପାଙ୍କ ଡାହାଣ ଗୋଡ଼ ହାଡ଼ ଭାଙ୍ଗି ଦୁଇଗଡ଼ ହୋଇଯାଇଛି। ଏଭଳି ଏକ ନିର୍ଦୟ ଘଟଣାଟି ଡୁମୁଡୁମା ରଘୁନାଥନଗର ବସ୍ତିରେ ଚର୍ଚ୍ଚାର ବିଷୟ ପାଲଟିଛି। ବାପାଙ୍କ ଗୋଡ଼ ଭାଙ୍ଗଥିବା ଅଭିଯୋଗରେ ପୁଅକୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ।

Advertisment

ରଘୁନାଥନଗରରେ ରହନ୍ତି ନିରଂଜନ ମଣ୍ଡଳ(୭୮)। ଘରୋଇ କଳିରୁ ମଝିଆ ପୁଅ ବଳରାମ(୨୯) ସହ ତାଙ୍କର ଗତ କିଛି ବର୍ଷ ହେଲା ଅପଡ଼ ରହିଛି। ଏକା ଘରେ ରହୁଥିଲେ ବି ଅଲଗା ହୋଇ ଚଳୁଛନ୍ତି ସେମାନେ। ରବିବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ବଳରାମ କାମରୁ ଘରକୁ ଫେରିଥିଲେ। ସେ ଘରେ ପହଞ୍ଚିବାବେଳେ ବାପା ନିରଂଜନ ବଳରାମଙ୍କ କୁନି କୁନି ପୁଅ ଝିଅକୁ ଧରି ଦାଣ୍ଡ ବାରଣ୍ଡାରେ ବସିଥିଲେ। ଜେଜେ ଓ ନାତି ନାତୁଣୀଙ୍କ ଭିତରେ ବେଶ୍‌ ଥଟା ମଜା ଚାଲିଥିଲା। ଏହା ଦେଖି ବଳରାମର ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ଘର ପାଖରେ ପଡ଼ିଥିବା ଏକ ଲୁହା ରଡ୍‌ ଉଠାଇ ସେ ବାପାଙ୍କ ଡାହାଣ ଗୋଡ଼କୁ ପିଟି ଚାଲିଥିଲା। ଫଳରେ ନିରଂଜନଙ୍କ ଗୋଡ଼ର ଆଣ୍ଠୁ ତଳକୁ ଭାଙ୍ଗି ଯାଇଥିଲା। ତାଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସି ବଳରାମକୁ କାବୁ କରି ବହେ ଉତ୍ତମ ମଧ୍ୟମ ଦେଇଥିଲେ ଓ ପରେ ପୁଲିସ ଜିମା ଦେଇଥିଲେ।