ଭୁବନେଶ୍ୱର : ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ଯୁବକ ସମ୍ପତ୍ତି ଲୋଭରେ ମା’କୁ ଛାତରୁ ଠେଲି ହତ୍ୟା ଉଦ୍ୟମ କରିବା ଘଟଣାର ସପ୍ତାହେ ନପୂରୁଣୁ ପୁଣି ସେହି ଅଞ୍ଚଳରେ ମା’କୁ ମାଡ଼ ମାରିବା ଅଭିଯୋଗରେ ପୁଅ ଗିରଫ ହୋଇଛି। ସେ ହେଲା ଝାରପଡ଼ା ମୁସଲିମ୍ ବସ୍ତିର ଏସ୍ଏମ୍ ବକାର ଖଲିବ୍ ଆଲାମ(୨୧)। ଦୀର୍ଘଦିନ ହେବ ସବନମ୍ ଆଲାମ ସ୍ଥାନୀୟ ଅଞ୍ଚଳରେ ଚପଲ ବ୍ୟବସାୟ କରୁଥିଲେ। ପୁଅ ଆଲାମ ମା’ଙ୍କୁ ବ୍ୟବସାୟରେ ସହଯୋଗ କରୁଥିଲା। ତେବେ ଗତ କିଛିଦିନ ହେବ ଆଲାମ ଚପଲ ବିକ୍ରି ଟଙ୍କା ତାଙ୍କ ମା’ଙ୍କୁ ଫେରାଉ ନଥିଲା। ଏହାକୁ ନେଇ ସବନମ ଆଲାମ ଉପରେ ରାଗିଯାଇଥିଲେ। ରବିବାର ଆଲାମ ସବନମ୍ଙ୍କଠାରୁ ଚପଲ ନେବାକୁ କହିଥିଲା। ହେଲେ ଟଙ୍କା ଦେଉ ନଥିବାରୁ ସେ ଚପଲ ଦେବାକୁ ମନା କରିଦେଲେ। ଏଥିରେ ଆଲାମ କ୍ଷୁବ୍ଧ ହୋଇ ସବନମ୍ଙ୍କୁ ମାଡ଼ ମାରିଥିଲା। ଫଳରେ ସବନମ୍ଙ୍କ ନାକ ଫାଟିଯିବା ସହ ସେ ଗୁରୁତର ଆହତ ହୋଇଥିଲେ। ଏନେଇ ସେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ଆଲାମକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ
ଭୁବନେଶ୍ୱର : ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ମଞ୍ଚେଶ୍ୱର ରଙ୍ଗମାଟିଆ ଅଞ୍ଚଳର ଦୀପୁ ପରିଡ଼ା(୨୩)। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୀର୍ଘଦିନ ହେବ ଦୀପୁ ଓ ଧୀରିକୁଟ ବସ୍ତିର ଜେଣ ବ୍ୟକ୍ତିଙ୍କ ସହ ବିବାଦ ଲାଗି ରହିଥିଲା। ତେବେ ରବିବାର ସନ୍ଧ୍ୟାରେ ବ୍ୟକ୍ତି ଜଣଙ୍କ ଘରେ ନଥିବା ସମୟରେ ଦୀପୁ ତାଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କ ପତ୍ନୀଙ୍କୁ ଅସଦାଚରଣ କରିଥିଲା। ଏ ନେଇ ମହିଳା ଜଣଙ୍କ ପାଟି କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକମାନେ ଧାଇଁ ଆସିଥିଲେ। ଲୋକମାନେ ଦୀପୁକୁ କାବୁକରି ମାଡ଼ ମାରିବା ସହ ପୁଲିସକୁ ଫୋନ କରି ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଗିରଫ କରିଥିଲା। ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଦୀପୁକୁ କୋର୍ଟ ଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/ar.jpg)