ବାପାଙ୍କୁ ଛୁରୀରେ ଆକ୍ରମଣ: ଗୁରୁତରଙ୍କୁ ହସ୍‌ପିଟାଲରେ ଭର୍ତ୍ତି, ଅଭିଯୁକ୍ତ ଫେରାର

ବୁଗୁଡ଼ା: ପୁଅ କାଟି ଦେଲା ନିଜ ବାପାର ବେକ। ରକ୍ତ ଜୁୁଡୁବୁଡୁ ଅବସ୍ଥାରେ ବାପା ଚିତ୍କାର କରୁଥିବା ବେଳେ ଫେରାର ହୋଇଗଲା ପୁଅ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡ଼ା ସହରରେ। ଆକ୍ରମଣର ଶିକାର ହୋଇଛନ୍ତି ସୁରେନ୍ଦ୍ର ପ୍ରଧାନ। ଅଭିଯୁକ୍ତ ପୁଅ ଧୋବା ପ୍ରଧାନ (୨୨) ଫେରାର ହୋଇଯାଇଥିବା ଜଣାଯାଇଛି।

ସୂଚନା ଅନୁସାରେ ବୁଗୁଡ଼ା ସହରର ବ୍ୟାଘ୍ର ଦେବୀ ସାହି ନିବାସୀ ସୁରେନ୍ଦ୍ର ପ୍ରଧାନଙ୍କୁ ଆଜି ତାଙ୍କ ପୁଅ ଧୋବା ଏକ ଧାରୁଆ ଛୁରୀରେ ବେକ କାଟି ଦେଇଥିଲା। ସୁରେନ୍ଦ୍ର ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିବା ବେଳେ ଧୋବା ସେଠାରୁ ଫେରାର ହୋଇଯାଇଥିଲା। ସୁରେନ୍ଦ୍ରଙ୍କୁ ପ୍ରଥମେ ବୁଗୁଡା ଓ ପରେ ଅତି ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ପରିବାର ପ୍ରତିପୋଷଣ ପାଇଁ ସୁରେନ୍ଦ୍ର ପଡୋଶୀ ଆନ୍ଧ୍ରପ୍ରଦେଶରେ ଦାନନ ଶ୍ରମିକ ଭାବେ କାମ କରୁଥିଲେ। କରୋନା କଟକଣା ପରେ କାମ ଧନ୍ଦା ହରାଇ ସେ ପରିବାର ସହ ନିଜ ଗାଁକୁ ଫେରି ଆସିଥିଲେ। ଏକମାତ୍ର ପୁଅ ଧୋବା ପ୍ରଧାନ କୌଣସି କାମ ଧନ୍ଦା କରୁନଥିବା ବେଳେ ବାପା ସୁରେନ୍ଦ୍ରଙ୍କୁ ସବୁବେଳେ ଡ଼ରାଇ ଧମକାଇ ଟଙ୍କା ପଇସା ଆଣି ସାଙ୍ଗ ସାଥି ମେଳରେ ଅଯଥା ଖର୍ଚ୍ଚ କରୁଥିଲା । ପୁଅର ଏଭଳି ବିଶୃଙ୍ଖଳା ଦିନକୁ ଦିନ ବଢୁଥିବା ବେଳେ ଆଜି ଅପରାହ୍ନରେ ପୁଅ ଧେବା ନିଜର ମାନସିକ ଭାରସାମ୍ୟ ହରାଇ ଜନ୍ମ କଲା ବାପାଙ୍କୁ ଏକ ସୋଲକଟା ଧାରୁଆ ଛୁରୀରେ ଅତର୍କିତ ଭାବେ ଆକ୍ରମଣ କରି ତଣ୍ଟି କାଟି ଦେଇଥିଲା।

ପୁଅର ଛୁରୀ ମାଡ଼ରେ ସୁରେନ୍ଦ୍ର ଚିତ୍କାର କରିଥିଲେ। ଚିତ୍କାର ଶୁଣି ପୋଡୋଶୀମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସୁରେନ୍ଦ୍ରଙ୍କୁ ଉଦ୍ଧାର କରି ନିକଟରେ ଥିବା ଦମକଳ କର୍ମଚାରୀଙ୍କ ସହାୟତାରେ ବୁଗୁଡ଼ା ମେଡିକାଲକୁ ଆଣିଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ଘଟାଇବା ପରେ ଅଭିଯୁକ୍ତ ଧୋବା ଫେରାର୍‌ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର