ମଦର୍ସ ଡେରେ ମା’କୁ ରାସ୍ତାରେ ଘୋଷାଡି ଘୋଷାଡି ପିଟିଲା ପୁଅ ! ଦୃଶ୍ୟ ଥିଲା ହୃଦୟ ବିଦାରକ

ଯେଉଁଦିନ ମା’କୁ ଲୋକେ ଶ୍ରଦ୍ଧା ଦେଖାନ୍ତି, ସେହି ଦିନ ଜଣେ ପୁଅ ତା’ ମା’ଙ୍କୁ ରାସ୍ତାରେ ଘୋଷାଡି ଘୋଷାଡି ମାଡ ମାରୁଥିଲା। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ଯୋଧପୁରରେ। ଘଟଣାଟି ଘଟିଛି ମଦର୍ସ ଡେରେ।
ମାଆ କେତେ ଯେ ଦୁଃଖ ଓ ଯନ୍ତ୍ରଣା ସହି ନିଜ ପିଲାକୁ ବଡ କରିଥାଏ । ହେଲେ ମୁଣ୍ଡକୁ ହାତ ପାଇବା ପରେ ପିଲା ମା’କୁ ହତାଦର କରିବାକୁ ପଛାଏ ନାହିଁ। ଏମିତି ବି ଦେଖବାକୁ ମିଳେ, ମାଆ ଆଖିରେ ଲୁହ ଭରିବାକୁ ପିଲା ପଛାଏ ନାହିଁ । ପ୍ରତିଦିନ କେଉଁଠି ନା କେଉଁଠି ଏଭଳି ଘଟଣା ଘଟୁଛି । ରାଜସ୍ଥାନର ଯୋଧପୁର ଅଞ୍ଚଳର ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏକ ଭିଡିଓ । ଏହି ଭିଡିଓରେ ଜଣେ ନିଷ୍ଠୁର ପୁଅ ତାର ମାଆକୁ ବିଚ ରାସ୍ତା ଉପରେ ଘୋଷାଡି ଘୋଷାଡି ମାଡ ମାରୁଥବା ଭଳି ଦୁଃଖଦ ଦୃଶ୍ୟ । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।
ସୁଚନା ମୁତାବକ ରାଜସ୍ଥାନ ଯୋଧପୁର ଅଞ୍ଚଳର ଡାମ୍ବରା ଗାଁର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ପୋଲିସ ମଧ୍ୟ ଏହି ଭିଡିଓର ସତ୍ୟତା ଜାଣିବା ପାଇଁ ତଦନ୍ତ କରୁଛି । ଘଟଣାଟି ବିଶ୍ୱ ମାତୃ ଦିବସରେ ଘଟିଥିବା ପୋଲିସ ଅନୁମାନ କରୁଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇ ନାହିଁ । ଏହି ଭିଡିଓରେ ବୃଦ୍ଧାଙ୍କୁ ରାସ୍ତାରେ ଘୋଷାଡି ଘୋଷାଡି ନୃଶଂସ ପୁଅ ମାଡ ମାରୁଛି । ଯାହାକୁ ଦେଖି ସୋସିଆଲ ସାଇଟରେ ମଧ୍ୟ ଲୋକମାନେ ଏହାକୁ କଡା ନିନ୍ଦା କରିବା ସହ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ କରିଛନ୍ତି ।
ଅନ୍ୟପଟେ କୁହାଯାଉଛି ଯେ ବୃଦ୍ଧା ଜଣଙ୍କର ମାନସିକ ଅବସ୍ଥା ଠିକ୍ ନ ଥିବାରୁ ରାସ୍ତାରେ ଯାତାୟତ କରୁଥିବା ଲୋକମାନଙ୍କୁ ଟେକା ପଥର ଫିଙ୍ଗୁଥିଲେ । ତେଣୁ ତାଙ୍କୁ ପୁଅ ଘରକୁ ନେବା ପାଇଁ କହିବାରୁ ସେ ଯାଇ ନଥିଲେ । ଯାହା ଫଳରେ ପୁଅ ତାଙ୍କୁ ଜୋର ଜବରଦସ୍ତ ଟାଣି ଟାଣି ରାସ୍ତାରେ ଉଠାଇବା ପାଇଁ ଚେଷ୍ଟା କରୁଥିଲେ । ହେଲେ ଭିଡ଼ିଓର ପ୍ରକୃତ ସତ୍ୟତା କ’ଣ ତାହା ଏଯାଏଁ ଜଣାପଡ଼ିନାହିଁ ।

ସମ୍ବନ୍ଧିତ ଖବର