ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରସ୍ଥିତ ଘରେ ବୟସ୍କ ବାପାମାଆଙ୍କୁ ପିଟି ପିଟି ହତ୍ୟା କରିବା ପରେ ଜଣେ ୨୭ ବର୍ଷିୟ ଯୁବକ ବାହାରପଟୁ ତାଲା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି।
ଉତ୍ତରପୂର୍ବ ବେଙ୍ଗାଲୁରୁର ଡେପୁଟି ପୁଲିସ କମିସନର୍ ବି. ଏମ୍. ଲକ୍ଷ୍ମୀ ପ୍ରସାଦ କହିଛନ୍ତି ସୋମବାର ରାତି ୮.୩୦ରୁ ୯ଟା ମଧ୍ୟରେ ହତ୍ୟାକାଣ୍ଡ ଘଟିଥାଇ ପାରେ। ଘଟଣା ସଂକ୍ରାନ୍ତରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।
ବେଙ୍ଗାଲୁରୁ ସହରର କୋଡ଼ିଗେହାଲ୍ଲୀରେ ସୋମବାର ରାତିରେ ପିତା ୬୧ ବର୍ଷିୟ ଭାସ୍କର ଓ ମାଆ ୬୦ ବର୍ଷୀୟ ଶାନ୍ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ପୁତ୍ର ଶରତଙ୍କୁ ଧରିବା ପାଇଁ ପୁଲିସ ଅନୁସନ୍ଧାନ ଚଳାଇଛି।
ପୁଅଠାରୁ ମାଡ଼ ଖାଇବା ବେଳେ ବୃଦ୍ଧ ଦମ୍ପତି ସହାୟତା ପାଇଁ ଚିତ୍କାର କରିଥିଲେ ବି ତାହା ନିତିଦିନିଆ ଝଗଡ଼ା ଭାବି ପଡ଼ୋଶୀମାନେ ଗୁରୁତ୍ବ ଦେଇ ନ ଥିଲେ।
ପୁଲିସ କହିବା ଅନୁସାରେ, ଶରତ ବାପାମାଆଙ୍କ ସାଥିରେ ରହୁଥିବା ବେଳେ ତା’ର ବଡ଼ଭାଇ ସଜିତ ନିକଟବର୍ତ୍ତୀ ତିନ୍ଦ୍ଲୁ ଅଞ୍ଚଳରେ ରହନ୍ତି।
ବାପାମାଆ ସଜିତର ଫୋନ୍ ଗ୍ରହଣ ନ କରିବାରୁ ଘଟଣା ଲୋକଲୋଚନକୁ ଆସିଲା ବୋଲି ପୁଲିସ କହିଛି। ଘରକୁ ଦୌଡ଼ି ଆସି ସଜିତ ଦେଖିଲେ ବାହାରପଟୁ ତାଲା ପଡ଼ିଛି। ତାଲା ଭାଙ୍ଗି ସଜିତ ଦେଖିଲେ ଯେ, ଭିତରେ ବାପାମାଆ ରକ୍ତାକ୍ତ ହୋଇ ପଡ଼ିଛନ୍ତି।
ପୁଲିସ କହିବା ଅନୁସାରେ, ଶାନ୍ତା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଥିବା ବେଳେ ଭାସ୍କର ସରକାରୀ ଅଫିସ୍ କମ୍ପ୍ଲେକ୍ସ୍ ‘ଖଣିଜ ଭବନ’ସ୍ଥିତ କ୍ୟାଣ୍ଟିନ୍ରେ ‘କ୍ୟାସିୟର୍’ ଥିଲେ।
ପିଲାମାନଙ୍କୁ ଧରି ୧୨ ବର୍ଷ ପୂର୍ବେ ଦକ୍ଷିଣ କନ୍ନଡ଼ ଜିଲ୍ଲା ଉଲ୍ଲାଲ୍ରୁ ସେମାନେ ବେଙ୍ଗାଲୁରୁକୁ ଚାଲି ଆସିଥିବା କଥା ପୁଲିସ କହିଛି।