ପେନ୍ସନ୍ ପାଇଁ ମା’ର ଶବକୁ ୫ ମାସ ଘରେ ଲୁଚାଇ ରଖିଥିଲେ ୩ ପୁଅ, ପୁଲିସ୍ କବାଟ ଖୋଲିବା ପରେ ମିଳିଲା କଙ୍କାଳ
ବାରଣାସୀ : ବାରଣାସୀରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ସାମାନ୍ୟ କିଛି ଟଙ୍କା ପାଇଁ ପୁଅ ମା’ର ଅନ୍ତିମ ସଂସ୍କାର କରିନଥିବା ଜଣାପଡ଼ିଛି । ମା’ ପାଉଥିବା ପେନ୍ସନ୍ ଟଙ୍କା ବନ୍ଦ ହୋଇଯିବା ଡ଼ରରେ ମା’ଙ୍କ ମୃତ ଶରୀରର ସଂସ୍କାର ନ କରି ୫ମାସ ଧରି ଘରେ ଲୁଚାଇ ରଖିଥିବା ଖବର ଏବେ ସମସ୍ତଙ୍କୁ ବିସ୍ମିତ କରିଛି । ୫ମାସ ପରେ ଘରୁ ଗନ୍ଧ ବାହାରିବାରୁ ପଡ଼ୋଶୀମାନେ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଖୋଲିବା ପରେ ଖଟ ଉପରେ କଙ୍କାଳ ପଡ଼ିଥିବାର ଦେଖିଥିଲା। ମୃତ ବୃଦ୍ଧାଙ୍କ ପୁଅମାନେ ପେନ୍ସନ ଟଙ୍କା ପାଇଁ ଏପରି କରିଥିବା ପଡ଼ୋଶୀଙ୍କ ଠାରୁ ଜାଣି ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ମୃତ ଅମରାବତୀ ଦେବୀଙ୍କର ୩ ପୁଅ । ୨୦୦୦ମସିହାରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଅମରାବତୀଙ୍କୁ ୧୮,୦୦୦ଟଙ୍କା ପେନ୍ସନ ଆକାରରେ ମିଳୁଥିଲା । ୩ ପୁଅ ଘର ଚଳାଇବା ପାଇଁ ସେଭଳି କିଛି ଆୟ କରୁ ନ ଥିବା ବେଳେ ଅମରାବତୀ ପାଉଥିବା ପେନ୍ସନ୍ ଟଙ୍କାରେ ଘର ଚଳୁଥିଲା । କିନ୍ତୁ ମା’ଙ୍କ ମୃତ୍ୟୁ ପରେ ଏହି ଟଙ୍କା ବନ୍ଦ ହୋଇଯିବା ଡ଼ରରେ ୩ ପୁଅ ମିଶି ନିଜ ମା’ଙ୍କୁ ଘରର ଏକ କୋଠରୀରେ ବନ୍ଦ କରି ରଖିଥିଲେ । ଅନ୍ୟ ପକ୍ଷରେ ଏ ନେଇ କିଛି ଅଲଗା ମତ ରଖିଛନ୍ତି ଅମରାବତୀଙ୍କ ବଡ଼ ପୁଅ ରବି ପ୍ରକାଶ। ଆମେ ପେନ୍ସନ୍ ପାଇଁ ଏପରି କରି ନାହୁଁ । ଜାନୁଆରିରେ ମା’ଙ୍କ ଦେହ ଖରାପ ହେବା ପରେ ଡ଼ାକ୍ତର କହିଲେ ସେ କୋମାକୁ ଚାଲି ଯାଇଛନ୍ତି । କିଛି ଦିନ ପରେ ଆମେ ସେ ମରି ଯାଇଛନ୍ତି ବୋଲି ଭାବି ତାଙ୍କର ଅନ୍ତିମ ସଂସ୍କାର କରିବାକୁ ବାହାରିବା ପରେ ଜଣେ ପଣ୍ଡିତ ମଣିଷ ଶରୀରରେ ଜୀବ ଥିଲା ଯାଏ ତାହାର ଅନ୍ତିମ ସଂସ୍କାର କରାଯାଇ ପାରିବ ନାହିଁ ବୋଲି କହିବାରୁ ଆମେ ଅଟକି ଯାଇଥିଲୁ । ମା’ ମୃତ କି ଜୀବତ ନ ଜାଣି ପାରି ଡ଼ାକ୍ତର ଦେଇଥିବା ଏକ ତେଲ ଆମେ ତାଙ୍କ ଶରୀରରେ ଲଗାଇବା ଆରମ୍ଭ କରିଥିଲୁ । କିନ୍ତୁ ମା’ଙ୍କ ଶରୀର କଙ୍କାଳ କିପରି ହୋଇଗଲା ଆମେ ଜାଣି ନାହୁଁ । ରବିଙ୍କ ଠାରୁ ଏ ସବୁ କଥା ଶୁଣି ପ୍ରକୃତ ଘଟଣା କ’ଣ ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।