୩ ବର୍ଷ ପରେ ଅଗରତାଲାରୁ କ୍ରୀଡ଼ା ଶିକ୍ଷକଙ୍କୁ ଗିରଫ କଲା ସିବିଆଇ

ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ ଅପହରଣ ଘଟଣା

ଭୁବନେଶ୍ୱର : ବହୁ ଚର୍ଚିତ ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ଅପହରଣ ଘଟଣାର ପର୍ଦାଫାସ କରିଛି ସିବିଆଇ। ୩ ବର୍ଷ ପରେ ଛାତ୍ରୀଙ୍କୁ ଅପହରଣ କରିଥିବା କ୍ରୀଡ଼ା ଶିକ୍ଷକଙ୍କୁ ତ୍ରିପୁରାର ରାଜଧାନୀ ଅଗରତାଲାରୁ ଗିରଫ କରିଛି। ତାଙ୍କ ନାଁ ସୁରେଶ ଚନ୍ଦ୍ର ଦାସ। ଅଭିଯୁକ୍ତ ଶିକ୍ଷକଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବା ପରେ ୫ ଦିନ ଲାଗି ରିମାଣ୍ଡ୍‌ରେ ନିଆଯାଇଛି। ଛାତ୍ରୀ ଅପହରଣ ଘଟଣା ନେଇ ସିବିଆଇ ଏବେ କ୍ରୀଡ଼ା ଶିକ୍ଷକଙ୍କୁ ମାରାଥନ ଜେରା କରୁଛି। ଅନ୍ୟପକ୍ଷରେ ଉଦ୍ଧାର ହୋଇଥିବା ଛାତ୍ରୀଙ୍କ ପରିବାର ଲୋକ ଗ୍ରହଣ କରିବାକୁ ରାଜି ହେଉ ନାହାନ୍ତି। ଫଳରେ ସଂପୃକ୍ତ ଛାତ୍ରୀଙ୍କୁ ଏବେ ରୁଚିକା ଚାଇଲ୍ଡ ଲାଇନ୍‌ରେ ରଖାଯାଇଛି।

ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୧୪ ମସିହା ଡିସେମ୍ବର ୨୨ ତାରିଖରେ ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଏହି ଛାତ୍ରୀ ଜଣକ ତାଙ୍କ ବାପାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ବାଲେଶ୍ୱର ସିଡୁବ୍ଲ୍ୟସି ପକ୍ଷରୁ ଏ ନେଇ ବାଲେଶ୍ୱର ଟାଉନ ଥାନାରେ ଏତଲା ଦେଇଥିଲା। ପୁଲିସ ଛାତ୍ରୀଙ୍କ ବାପାଙ୍କୁ ଥାନାକୁ ଡକାଇ ପଚରାଉଚରା କରିବା ସହିତ ବୁଝାସୁଝା କରିଥିଲା। ଏହାର କିଛି ଦିନ ପରେ ହଠାତ ଛାତ୍ରୀ ଜଣକ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ଏ ନେଇ ଛାତ୍ରୀଙ୍କ ମା’ ବାଲେଶ୍ୱର ଟାଉନ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ ମଧ୍ୟ ଛାତ୍ରୀଙ୍କ ପତ୍ତା ପାଇ ନ ଥିଲା। ଏ ନେଇ ବାଲେଶ୍ୱରରେ ତମ୍ବିତୁଫାନ ହେବା ପରେ ରାଜ୍ୟ ସରକାର ୨୦୧୫ ମସିହାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ। ତେବେ କ୍ରାଇମ୍‌ବ୍ରାଞ୍ଚ ମଧ୍ୟ ମାମଲା ରୁଜୁ କରି ବସି ପଡ଼ିଥିଲା। ଛାତ୍ରୀଙ୍କ ମା’ ମାମଲାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରିଥିଲେ। ମାନ୍ୟବର କୋର୍ଟ ୨୦୧୬ ସେପ୍ଟେମ୍ବର ମାସରେ ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ। ସେହିଦିନଠାରୁ ସିବିଆଇ ତଦନ୍ତ ଚଳାଇଥିଲା।

ତଦନ୍ତବେଳେ ସିବିଆଇ ଜାଣିବାକୁ ପାଇଥିଲା ଯେ ଉକ୍ତ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁରେଶ ହିଁ ମୁଖ୍ୟ ଅଭିଯୁକ୍ତ। ସିବିଆଇ ସୁରେଶଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିଲା। ସିବିଆଇକୁ ଖବର ମିଳିଥିଲା କି, ସୁରେଶ ଛାତ୍ରୀଙ୍କୁ ତ୍ରିପୁରାର ଅଗରତାଲାରେ ରଖିଛନ୍ତି। ତେଣୁ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍‌ ଅଗରତାଲାରେ ଚଢ଼ଉ କରି ଛାତ୍ରୀଙ୍କୁ ଉଦ୍ଧାର କରିବା ସହିତ ତାଙ୍କୁ ଗିରଫ କରିଥିଲା।

ଆଜି କୋର୍ଟରେ ହାଜର ବେଳେ ଛାତ୍ରୀ ଜଣକ କହିଥିଲେ ତାଙ୍କ ବାପା ତାଙ୍କୁ ବିଭିନ୍ନ ସମୟରେ ଯୌନ ନିର୍ଯାତନା ଦେଉଥିବାରୁ ସେ ବାଧ୍ୟ ହୋଇ କ୍ରୀଡ଼ା ଶିକ୍ଷକଙ୍କ ସହିତ ଅଗରତାଲା ପଳାଇଥିଲେ।

ସମ୍ବନ୍ଧିତ ଖବର