ସମ୍ପର୍କ ତୁଟାଇ ଦେବାରୁ ନାବାଳିକା ଉପରକୁ ଏସିଡ୍‌ ଫିଙ୍ଗିଲେ ସମଲିଙ୍ଗୀ ପ୍ରେମିକା

ଆଗ୍ରା: ଫିରୋଜାବାଦ ଜିଲ୍ଲା ଅନ୍ତର୍ଗତ କାର୍ବାଲା କଲୋନିରେ ଜଣେ ୧୭ ବର୍ଷୀୟ ଝିଅକୁ ଏସିଡ୍‌ ଫିଙ୍ଗା ଯିବାର ୩ ଦିନ ପରେ ପୁଲିସ ରବିବାର ଦିନ ତା’ର ୧୯ ବର୍ଷୀୟ ସମଲିଙ୍ଗୀ ପ୍ରେମିକାଙ୍କୁ ଏହି ଅପରାଧ ପାଇଁ ଗିରଫ କରିଛି। ଛାତି ଓ ବାହୁରେ ପୀଡ଼ିତାଙ୍କର ପୋଡ଼ା ଘା’ ସୃଷ୍ଟି ହୋଇଛି। ଅବସ୍ଥା ସାଙ୍ଘାତିକ ଥିବା ସେ ଝିଅଟି ଆଗ୍ରାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛି।

ଗୁରୁବାର ରାତି ପ୍ରାୟ ସାଢ଼େ ଦୁଇଟା ସମୟରେ ଘଟଣା ଘଟିଥିବା କୁହାଯାଉଛି। ସେତେବେଳେ ନାବାଳିକା ପୀଡ଼ିତା ଡାକଶିନ ଥାନା ଅନ୍ତର୍ଗତ ତାଙ୍କ ଘର ଟେରାସ୍‌ରେ ଏକୁଟିଆ ଶୋଇଥିଲା। ଝିଅର ବାପା କରିଥିବା ଅଭିଯୋଗ ଆଧାରରେ ପ୍ରଥମେ ପୁଲିସ ତା’ର କ୍ଲାସ୍‌ମେଟ୍‌ ଅବିନାଶଙ୍କୁ ବୁକ୍‌ କରିଥିଲା।

କିନ୍ତୁ, ଅଧିକ ତଦନ୍ତରୁ ଜଣାପଡ଼ିଲା ଏ ଅପରାଧ ଭିଆଛନ୍ତି ପୀଡ଼ିତାଙ୍କ ନାରୀ-ପ୍ରେମିକା ତଥା ଘରମାଲିକଙ୍କ ଝିଅ। ପଚରା ଉଚୁରା କରାଯିବାରୁ ଝିଅଟି କହିଲା ଯେ ସମ୍ପର୍କ ତୁଟାଇ ତା’ ସହ କଥାବାର୍ତ୍ତା ବନ୍ଦ କରି ଦେବାରୁ ସେ ଭୀଷଣ ରାଗି ଯାଇଥିଲା।

ପିରୋଜାବାଦ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରାଜେଶ କୁମାର ସିଂହ କହନ୍ତି: ଦୁଇ ମାସ ତଳେ ପୀଡ଼ିତା ସମ୍ପର୍କ ତୁଟାଇ ଦେଇଥିଲା। ତାକୁ ଫୁସୁଲାଇବାରେ ବିଫଳ ହୋଇ ଅଭିଯୁକ୍ତ ଝିଅ ପ୍ରତିଶୋଧ ନେବାକୁ ସ୍ଥିର କରିଥିଲା। ଧରା ନ ପଡ଼ିବାକୁ ସେ ନିଜ ହାତରେ ମଧ୍ୟ ଟିକେ ଏସିଡ୍‌ ଢାଳି ଦେଇଥିଲେ ଓ ୧୮ ବର୍ଷିୟ ଅବିନାଶ ଅପରାଧ କରିଛି ବୋଲି ଦର୍ଶାଇଥିଲେ।

ଦକ୍ଷିଣ ଥାନା ଏସ୍‌ଏଚ୍‌ଓ ଲୋକେନ୍ଦର ସିଂହ କହନ୍ତି: ଅବିନାଶ ଓ ପୀଡ଼ିତା ଦୀର୍ଘ ଦିନ ହେବ ପରସ୍ପରଙ୍କୁ ଜାଣିଛନ୍ତି। ତା’ ବାପା ପୂର୍ବରୁ ଅଭିଯୋଗ କରିଥିଲେ କି, ଅବିନାଶ ତାକୁ ହଇରାଣ କରିବା ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଛି। ଝିଅ ପ୍ରତିବାଦ କରିବାରୁ ପରିଣାମ ଭୟାବହ ହେବ ବୋଲି ଧମକ ମଧ୍ୟ ଦେଇଛି। ଅଭିଯୁକ୍ତ ଝିଅକୁ ଆମେ ବୁକ୍‌ କରିଛୁ।

ସମ୍ବନ୍ଧିତ ଖବର