ଶ୍ରୀଭୂମି କନଷ୍ଟ୍ରକସନ୍‌ ଠକେଇ : ୩ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ହାଇଦ୍ରାବାଦରୁ ଗିରଫ

ଭୁବନେଶ୍ୱର : ଶ୍ରୀଭୂମି କନଷ୍ଟ୍ରକସନ୍‌ ଲିମିଟେଡ ଠକେଇ ଘଟଣାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ମୁଖ୍ୟ ଅଭିଯୁକ୍ତ ତଥା ସିଏମ୍‌ଡିଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ତାଙ୍କ ନାଁ ଛୋଟରାଜ ମାଝି। ଘର ମୟୂରଭଞ୍ଜ ତିରିଂ ଥାନା ଅଧୀନ ରୁଟୁଘୁଟୁରେ। ଆଜି ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ ହାଇଦ୍ରାବାଦର କୁଟପଲ୍ଲୀ ମ୍ୟାଜିଷ୍ଟ୍ରେଟ କୋର୍ଟରେ ହାଜର କରି ରିମାଣ୍ଡରେ ଭୁବନେଶ୍ୱର ଆଣୁଛି। ଦୀର୍ଘ ୩ ବର୍ଷ ଧରି ସେ ଫେରାର ଥିଲେ। ୨୦୧୫ ମସିହାରେ ସଂସ୍ଥାର ନିିର୍ଦେଶକ ଶୁଭ୍ରାଂଶୁ ସିଂହଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ସେ ଏବେ ଦୋଷୀ ସାବ୍ୟସ୍ତ ହୋଇ ଚୌଦ୍ୱାର ଜେଲ୍‌ରେ ସଜ୍ଜା କାଟୁଛନ୍ତି।

କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୧୧ ମସିହାରୁ ୨୦୧୩ ମସିହା ମଧ୍ୟରେ ସଂସ୍ଥା ରାଜଧାନୀ ଭୁବନେଶ୍ୱର ସମେତ ବାଲେଶ୍ୱର, ଭଦ୍ରକ, କଟକ ଓ ବାରିପଦାରେ ଶାଖା କାର୍ଯ୍ୟାଳୟ ଖୋଲିଥିଲା। ଜମାକାରୀଙ୍କୁ ବିଭିନ୍ନ ସ୍ଥାନରେ ଜମି ଓ ଫ୍ଲାଟ ଆଦି ଯୋଗାଇ ଦେବାକୁ କହି ପାଖାପାଖି ୧୫ କୋଟି ଟଙ୍କା ସଂଗ୍ରହ କରିଥିଲା। କିନ୍ତୁ ସଂସ୍ଥା ଜମାକାରୀଙ୍କୁ ଜମି କିମ୍ବା ଫ୍ଲାଟ ଯୋଗାଇ ପାରି ନ ଥିଲା। ଜମାକାରୀମାନେ ବାରମ୍ବାର ଟଙ୍କା ଫେରସ୍ତ ମାଗିବାରୁ ସେମାନଙ୍କୁ ମୋଟା ଅଙ୍କର ସୁଧ ଦେବାର ଲୋଭ ମଧ୍ୟ ଦେଖାଇଥିଲା। ଶେଷରେ ତାହା ମଧ୍ୟ କରି ନ ଥିଲା। ଏ ନେଇ ନିର୍ମଲ କୁମାର ଜେଠୀ ନାମକ ଜଣେ ଅଭିଯୋଗକାରୀ ୨୦୧୫ ମସିହାରେ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। କ୍ରାଇମ୍‌ବ୍ରାଞ୍ଚ ପ୍ରଥମେ ସଂସ୍ଥାର ନିର୍ଦେଶକ ଶୁଭ୍ରାଂଶୁ ସିଂହଙ୍କୁ ଗିରଫ କରିଥିଲା। ଏହା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଶୁଭ୍ରାଶୁଂଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଥିଲା। ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ମାମଲାର ଶୁଣାଣି ହୋଇଥିଲା। କୋର୍ଟ ଶୁଭ୍ରାଂଶୁଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୧୮ ମାସ ଅଧିକ ଜେଲ୍‌ ଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି। ଗତକାଲି କ୍ରାଇମବ୍ରାଞ୍ଚ ଇଂଟରଓସନ୍‌ ଚିଟ୍‌ଫଣ୍ଡ ଠକେଇ ମାମଲାରେ ନିର୍ଦେଶିକ ସୁନୀତା ସାମଲଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର