ସ୍କ୍ରାପ୍‌ ଗୋଦାମରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌ : ଫେରାର୍‌ କର୍ମଚାରୀ ଗିରଫ

ଭୁବନେଶ୍ୱର : କେଶୁରା ସ୍ଥିତ ଏକ ସ୍କ୍ରାପ୍‌ ଗୋଦାମରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗରେ ସହିଦନଗର ଥାନା ପୁଲିସ ଫେରାର୍‌ କର୍ମଚାରୀକୁ ଗିରଫ କରିଛି। ସେ ହେଲା ରାଉରକେଲା ସେକ୍ଟର-୩ ଅଞ୍ଚଳର ସୋନୁ କୁମାର ସାହୁ(୩୦)। ଏଠାରେ କେଶୁରା ଅଞ୍ଚଳରେ ରହି ସ୍କ୍ରାପ୍‌ ସଂସ୍ଥାରେ କାମ କରୁଥିଲା।

ପୁଲିସ ସୂଚନା ମୁତାବକ, ଗତ ଜୁଲାଇ ମାସରେ ସୋନୁ ଜଣେ ସ୍କ୍ରାପ ବ୍ୟବସାୟୀଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଦୋବାକୁ ଯାଇଥିଲା। ତେବେ ସୋନୁ ଟଙ୍କା ନେବାପରେ ଆଉ ଫେରି ନଥିଲା। ସ୍କ୍ରାପ୍‌ ଗୋଦାମ ମାଲିକ ସୁମିତ୍‌ ସିଂହ ସୋନୁ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲା। ତେଣୁ ସୁମିତ ବ୍ୟବସାୟୀଙ୍କ ସହ ଯୋଗାଯୋଗ କରି ଘଟଣା ବିଷୟରେ ପଚାରିଥିଲେ। ହେଲେ ସେ ଟଙ୍କା ପାଇନଥିବା କହିଥିଲେ। ଏନେଇ ସୁମିତ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସୋନୁର ନମ୍ବରରୁ ତାର ଠିକଣା ଠାବକରି ଗତକାଲି ରାତିରେ ପୁଲିସର ଏକ ଟିମ୍‌ ରାଉରକେଲାରୁ ସୋନୁକୁ ଗିରଫ କରିଥିଲା। ଆଜି ତାକୁ ଥାନାରେ ପଚାରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର