ମିରଟ: ମାସ ମାସ ଧରି ୪ ଜଣ ଲୋକ ତା’ର ପିଛା କରିବାରୁ ନିରୂପାୟ ହୋଇ ଗୁରୁବାର ଦିନ ଜଣେ ୧୪ ବର୍ଷୀୟ ବାଳିକା ନିଜ ଦେହରେ ନିଅାଁ ଲଗାଇ ଜୀବନ ହାରିଛି।
ଏଥିରେ ଅସ୍ଥିର ହୋଇ ଅଷ୍ଟମ ଶ୍ରେଣୀରେ ପଢୁଥିବା ଏହି ବାଳିକାଟି ସ୍କୁଲ୍କୁ ଯିବା ବନ୍ଦ କରି ଦେଇଥିଲା। ତା’ପରେ ସେ ଟିଉସନ୍କୁ ଯିବା ମଧ୍ୟ ବନ୍ଦ କରି ଦେଇଥିଲା। ଶେଷକୁ ସେ ଜୀବନ ହାରିବାକୁ ବାଧ୍ୟ ହେଲା। ତା’ ପରିବାର ଲୋକେ କହିଛନ୍ତି ଯେ, ଝିଅର ନିରବତାର ସମ୍ମତି ବିଚାରି ତା’ସହ ନିକଟ ଅତୀତରେ ଗଣଦୁଷ୍କର୍ମ କରିଥିଲେ। ଲଜ୍ଜା ବଶତଃ ଏ କଥା ସେ କାହାକୁ କହୁ ନ ଥିଲା।
ମିରଟ ସହର ଠାରୁ ୧୫ କିଲୋମିଟର ଦୂର ପଞ୍ଚଗାଁ ପଟ୍ଟି ଗାଁ’ର ସେ ବାଳିକାର ଭାଇ କହନ୍ତି ଯେ ସେ ଚାରି ଜଣ ହେଉଛନ୍ତି ପଡ଼ୋଶୀ ଗଓ୍ଵାଡ଼ି ଗାଁ’ର ଲୋକ। ବାଳିକାଟି ସ୍କୁଲ୍ ଯିବା ଆସିବା କରିବା ବେଳେ ଏବଂ ଟିଉସନ୍ ଯିବାବେଳେ ସେମାନେ ତାକୁ ହଇରାଣ ହରକତ କରୁଥିଲେ। ଫଳରେ ସେ ଆଉ ସ୍କୁଲ୍କୁ ଗଲା ନାହିଁ କି, ସନ୍ଧ୍ୟାବେଳେ ଟିଉସନ୍କୁ ଗଲା ନାହିଁ।
ଏତଲାରେ ଉଲ୍ଲେଖ ଅଛି ଯେ, ସେ ଲଜ୍ଜା ସହି ନ ପାରି ଏ ଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲା। ଜାନୁଆରି ୬ ତାରିଖ ଦିନ ସେ ଘରକୁ ଫେରିବା ପରେ ଦେହରେ କିରାସିନ ଢାଳି ହୋଇ ନିଅାଁ ଲଗାଇ ଦେଇଥିଲା। ୮୦% ପୋଡ଼ି ହୋଇ ସେ ଡାକ୍ତରଖାନାରେ ଚିକିତ୍ସିତ ହେବାର ୫ ଦିନ ପରେ ମୃତ୍ୟୁ ବରଣ କରିଥିଲା।
ତା’ର ଭାଇ କହନ୍ତି: ସେ ଚାରି ଜଣଙ୍କୁ ପୁଲିସ ଚିହ୍ନଟ କରିଛି। ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଆମର ସେତେବେଳେ ସାହସ ନ ଥିଲା। ପୁଲିସକୁ ଡାକିବାକୁ ମଧ୍ୟ ଆମକୁ ଡର ଲାଗୁଥିଲା।
ତେଣୁ ରୋଷେଇ କରୁ କରୁ ତା’ ଦେହରେ ନିଅାଁ ଲାଗିଯାଇଥିବା କଥା ପ୍ରଥମେ ଆମେ ପଡ଼ୋଶୀମାନଙ୍କୁ କହିଥିଲୁ। ପରେ କେତେକ ସ୍ଥାନୀୟ ସଙ୍ଗଠନ ଆମକୁ ସହାୟତା କରିବାକୁ ଆଗେଇ ଆସିଥିଲେ। ତେବେ ଯାଇ ଆମେ ଥାନାରେ ଅଭିଯୋଗ କରିଲୁ।
ମାମଲା ରୁଜୁ ହେବା ପରେ ୪ ଜଣକ ମଧ୍ୟରୁ ଜଣକୁ ପୁଲିସ ଗିରଫ କରିଛି। ଅନ୍ୟମାନଙ୍କୁ ଧରିବାକୁ ଚଢ଼ଉ ଚଳାଇଛି ପୁଲିସ।