ମୁମ୍ବାଇ: ଏକ ବଡ଼ ଧରଣର ସାଇବର୍ ଜାଲିଆତି ହୋଇଥିବା ଖବର ରହିଛି। ହ୍ୟାକର୍ସମାନେ ୧୪୩ କୋଟି ଟଙ୍କାର ବ୍ୟାଙ୍କ୍ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ମୁମ୍ବାଇସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ମରିସସ୍ର ନରିମାନ ପଏଣ୍ଟ୍ ଶାଖାରୁ ଏହି ଲୁଟ୍ ହୋଇଥିବା ରିପୋର୍ଟ ରହିଛି। ମୁମ୍ବାଇ ମିରର୍ ରିପୋର୍ଟ ମୁତାବକ, ଅକ୍ଟୋବର ୫ ତାରିଖରେ ଏହି ଅଭିଯୋଗ ଦାୟର ହୋଇଛି। ହ୍ୟାକ୍ର୍ସମାନେ ଆକାଉଣ୍ଟ୍ ହ୍ୟାକ୍ କରି ଭାରତ ବାହାରେ ଥିବା ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଛନ୍ତି।
ଏହି ମାମଲାରେ ଏଯାବତ୍ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ବ୍ୟାଙ୍କ୍ ଅଧିକାରୀ ଏ ସଂପର୍କରେ ମତ ରଖିବା ପାଇଁ ମନା କରି ଦେଇଛନ୍ତି। ଏହି ମାମଲାର ତଦନ୍ତ ଏବେ ଜାରି ରହିଛି।
ଗତ ୯ ମାସ ମଧ୍ୟରେ ଏହା ହେଉଛି ତୃତୀୟ ବଡ଼ ବ୍ୟାଙ୍କ୍ ଜାଲିଆତି ମାମଲା। ପୂର୍ବରୁ ଜାନୁଆରିରେ ଚେନ୍ନାଇରେ ଥିବା ସିଟି ୟୁନିୟନ୍ ବ୍ରାଞ୍ଚ୍ଗୁଡ଼ିକରୁ ୩୪ କୋଟି ଟଙ୍କା ଜାଲିଆତି ହୋଇଥିବା ବେଳେ ଅଗଷ୍ଟରେ ପୁଣେର ମୁଖ୍ୟାଳୟରୁ କସ୍ମସ୍ ବ୍ୟାଙ୍କ୍ରୁ ୯୪ କୋଟି ଟଙ୍କା ବ୍ୟାଙ୍କ୍ ଜାଲିଆତି ହୋଇଥିଲା। ଏ ଥରର ବ୍ୟାଙ୍କ୍ ଲୁଟ୍ ହେଉଛି ସବୁଠାରୁ ବଡ଼ ଲୁଟ୍।