ଜମି ବିକିବା ନାଁରେ ୬ ଲକ୍ଷ ଟଙ୍କା ଠକେଇ : ଷ୍ଟେସନ୍‌ ମାଷ୍ଟର ଗିରଫ

ଖଣ୍ଡଗିରି : ଜମି ବିକିବା ନାଁରେ ଜଣେ ମହିଳାଙ୍କଠାରୁ ୬ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଗୁରୁବାର ତମାଣ୍ଡୋ ଥାନା ପୁଲିସ ପବିତ୍ର ଦାସ (୫୦)ଙ୍କୁ ଗିରଫ କରିଛି। ପବିତ୍ର ରେତଙ୍ଗ ରେଲେଓ୍ଵ ଷ୍ଟେସନ୍‌ରେ ଷ୍ଟେସନ୍‌ ମାଷ୍ଟର ଭାବେ କାମ କରନ୍ତି। ତାଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବ୍ରାହ୍ମଣୀଗାଁରେ। ସେ ଏଠାରେ ଖଣ୍ଡଗିରି ସୌଭାଗ୍ୟ ନଗରରେ ରହୁଛନ୍ତି। ରେତଙ୍ଗ ଷ୍ଟେସନରେ ଡିଉଟି ସାରି ସେ ଘରକୁ ଫେରୁଥିବା ବେଳେ ପୁଲିସ ତାଙ୍କୁ ରାସ୍ତାରୁ ଗିରଫ କରିଥିଲା।

ସୂଚନାନୁସାରେ, ରଶ୍ମିତା ସାମଲ ନାମକ ଜଣେ ମହିଳାଙ୍କୁ ଜମି ବିକିବା ପାଇଁ କହି ପବିତ୍ର ତାଙ୍କଠାରୁ ୬ ଲକ୍ଷ ଟଙ୍କା ନେଇଥିଲେ। ଯାଜପୁର ରୋଡ୍‌ସ୍ଥିତ ଏକ ଜମି ବିକିବା ପାଇଁ ୨୦୧୫ ମସିହାରେ ଦୁଇ ପକ୍ଷଙ୍କ ଭିତରେ ଏହି ଚୁକ୍ତି ହୋଇଥିଲା। କିନ୍ତୁ ପରେ ପବିତ୍ର ଜମି ଦେବା ନାଁ ଧରିନଥିଲେ। ପରେ ଟଙ୍କା ଫେରାଇବେ ବୋଲି କହି ଦିନ ଗଡ଼ାଇ ଚାଲିଥିଲେ। ଶେଷରେ ସେ ରଶ୍ମିତାଙ୍କୁ ଏକ ଚେକ୍‌ ଦେଇଥିଲେ। କିନ୍ତୁ ତାହା ବ୍ୟାଙ୍କରେ ବାଉନ୍‌ସ ହୋଇ ଯାଇଥିଲା। ଏ ନେଇ ରଶ୍ମିତା ମାନ୍ୟବର ଅଦାଲତଙ୍କ ଦ୍ୱାରସ୍ଥ ହେବାରୁ ପବିତ୍ରଙ୍କ ନାମରେ ଓ୍ଵାରେଣ୍ଟ ଜାରି କରାଯାଇଥିଲା। ତୁରନ୍ତ ପବିତ୍ରଙ୍କୁ ଗିରଫ କରିବା ପାଇଁ ମାନ୍ୟବର ଅଦାଲତ ତମାଣ୍ଡୋ ଥାନାକୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର