ଗୋଦାମରୁ ଲୁହାପାଇପ୍‌ ଚୋରି କରି ୨ ଯୁବକ ଗିରଫ

ଭୁବନେଶ୍ୱର: ମଞ୍ଚେଶ୍ୱର ଆଦିମାତା କଲୋନି ସ୍ଥିତ ଏକ ଗୋଦାମରୁ ଲୁହା ପାଇପ ଚୋରି ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ମଞ୍ଚେଶ୍ୱର ଦାସରଜା ବସ୍ତିର ପ୍ରଭାତ କୁମାର ନାୟକ(୨୪) ଓ ରେଲେଓ୍ଵ କଲୋନିର ସଂଗ୍ରାମ ନାୟକ(୨୧)। ଉଭୟଙ୍କ ଘର ନୟାଗଡ଼ ଜିଲ୍ଲା ଦକ୍ଷୀଣକାଳି ଓ ଇଟାମାଟି ଅଞ୍ଚଳରେ ବୋଲି ଜଣାପଡ଼ିଛି। ପୁଲିସ ସେମାନଙ୍କଠାରୁ ବହୁ ଲୁହା ପାଇପ୍‌ ଜବତ କରିଛି। ପୁଲିସ ସୂଚନା ମୁତାବକ, ମଙ୍ଗଳବାର ଭୋର ପ୍ରାୟ ୫ଟା ସମୟରେ ପ୍ରଭାତ ଓ ସଂଗ୍ରାମ ଆଦିମାତା କଲୋନି ସ୍ଥିତ ଆଶିଷ ରାଉତଙ୍କ ଗୋଦାମରେ ପଶି ଲୁହା ପାଇପ ଚୋରି କରୁଥିଲେ। କିଛି ଶବ୍ଦ ଶୁଣି ଆଶିଷ ବାହାରକୁ ଉଠି ଆସିଥିଲେ। ଝରକା ବାଟେ ଦେଖିବା ବେଳକୁ ଭିତରେ ଦୁଇ ଜଣ ଯୁବକ ଲୁହାପାଇପ୍‌ ବାହାର କରୁଥିବା ଜାଣିବାକୁ ପାଇଥିଲେ। ଆଶିଷ ପାଟି କରି ଘରଲୋକଙ୍କୁ ଡାକିଥିଲେ। ଆଶିଷଙ୍କ ପାଟିଶୁଣି ଫୁଲ ତୋଳିବା ପାଇଁ ଆସିଥିବା କେତେକ ଲୋକ ସେଠାକୁ ଚାଲିଆସିଥିଲେ। ଅନ୍ୟପଟେ ଆଶିଷଙ୍କ ଚିତ୍କାର ଯୋଗୁଁ ପ୍ରଭାତ ଓ ସଂଗ୍ରାମ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ଘଟଣାସ୍ଥଳରୁ ଯାଇପାରି ନଥିଲେ। ଲୋକମାନେ ଉଭୟଙ୍କୁ କାବୁକରି ନିସ୍ତୁକ ମାଡ଼ ମାରିିଥିଲେ। ଏହାପରେ ତୁରନ୍ତ ପୁଲିସକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରି ଥାନାକୁ ନେଇଥିଲା। ଥାନାରେ ପଚରା ଉଚରା ପରେ ସେ ପୂର୍ବରୁ ଚୋରି କରିଥିବା ବହୁ ଲୁହା ପାଇପ୍‌ ରଖିଥିବା ମାନିଥିଲେ। ଏହାପରେ ପୁଲିସ ସେମାନଙ୍କଠାରୁ ଏହିସବୁ ପାଇପ ଜବତ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର