ଭୁବନେଶ୍ୱର: କୁଖ୍ୟାତ ଡ୍ରଗ୍ସ ମାଫିଆ ଛୋଟାର ଅପରାଧ ଲିଙ୍କ୍ ଖୋଜୁ ଖୋଜୁ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍(ସ୍ପେସାଲ୍ ଟାସ୍କଫୋର୍ସ)କୁ ଏକ ବଡ଼ ସଫଳତା ମିଳିଛି। ରାଜ୍ୟ ବାହାରୁ ନିଶାଦ୍ରବ୍ୟ ଆଣି ଖଣି ମାଫିଆଙ୍କୁ ଯୋଗାଉଥିବା ତିନିଜଣ ଅନ୍ତଃରାଜ୍ୟ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, ବାଲେଶ୍ବର ରାଜପୁରର ସେକ୍ ଅଜ୍ବାହାର, ଲକ୍ଷ୍ମୀସାଗର ମୁସ୍ଲିମ୍ ସାହିରେ ରହୁଥିବା ପଶ୍ଚିମବଙ୍ଗ ଖଡ଼ଗପୁର ମହେଶପୁରର ସେକ୍ ଆଜାଦ୍ ଓରଫ ନାଲୁ ଓ ପୁରୀ ବୀରପ୍ରତାପପୁରର ରମାକାନ୍ତ ସାହୁ ଓରଫ ଟୁଲୁ। ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ ସମେତ ୧୩୦ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୩୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସେମାନେ ଏହି ବ୍ରାଉନସୁଗାର ଖଣି ମାଫିଆଙ୍କୁ ଯୋଗାଇବାକୁ ନେଉଥିବା ବେଳେ ଖବର ପାଇ ଏସ୍ଟିଏଫ୍ର ଏକ ସ୍ବତନ୍ତ୍ର ଦଳ ଭୁବନେଶ୍ବର-ଖୋର୍ଦ୍ଧା ରାସ୍ତାରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଏହି ବ୍ରାଉନସୁଗାର ଓ ବନ୍ଧୁକ ଜବତ ହୋଇଥିବା କହିଛନ୍ତି ଏସ୍ଟିଏଫ୍ ଏସ୍ପି ରାହୁଲ ପିଆର୍।
ଦୀର୍ଘ ଦିନ ହେବ, ଏହି ତିନି ଜଣ ରାଜଧାନୀ ତଥା ରାଜ୍ୟର ବିଭିନ୍ନ ସହରରେ ନିଶା ବେପାର ଚଳାଉଥିଲେ। ଜିଲ୍ଲା ସହ ରାଜ୍ୟ ବାହାର କେତେକ ଜାଗାରୁ ଏମାନେ ନିଶାଦ୍ରବ୍ୟ ଆଣୁଥିଲେ। ସେହି ଜାଗାଗୁଡ଼ିକୁ ଠାବ କରାଯାଇଛି। କିନ୍ତୁ ଏଯାବତ୍ ଛୋଟା ସହ ଲିଙ୍କ୍ ଅଛି କି ନାହିଁ, ତାହା ଜଣାପଡ଼ିନାହିଁ। କାହା ସହ ଲିଙ୍କ୍ ଅଛି, ଛୋଟା ଯେଉଁଠୁ ଆଣୁଥିଲା, ଏମାନେ ସେଠାରୁ ଆଣୁଥିଲେ କି? ଏମାନଙ୍କର କିଙ୍ଗ୍ପିନ୍ କିଏ? ଆଦି ଉପରେ ପଚରାଉଚରା କରିବା ପାଇଁ ଏମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଶ୍ରୀ ପିଆର୍ କହିଛନ୍ତି।
ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଖୋର୍ଦ୍ଧା ଜିଲ୍ଲାରେ ଚାଲିଥିବା ବେଆଇନ ଖଣି ଉତ୍ତୋଳନରେ ନିଶା ବେପାରୀମାନେ ସଂଶ୍ଳିଷ୍ଟ ଅଛନ୍ତି। ଉଭୟ ବେପାରରେ ବେଶ୍ ଭଲ ରୋଜଗାର ହେଉଥିବାରୁ ଏମାନେ ଜୀବନକୁ ବାଜି ଲଗାଇ ପଡ଼ୋଶୀ ରାଜ୍ୟରୁ ବ୍ରାଉନ୍ସୁଗାର ଆଣି ଏଠାରେ ବେପାର କରୁଛନ୍ତି। ଏହି ବେପାର ସମୟରେ ବିପକ୍ଷ ଗୋଷ୍ଠୀ ସହ ବେଳେବେଳେ ସେମାନଙ୍କର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏଣୁ ବନ୍ଧୁକ ଚଳାଇ ଭୟଭୀତ କରାଇବା ଆବଶ୍ୟକ ପଡ଼ିଥାଏ। ତେବେ ଏହି ଜବତ ବନ୍ଧୁକ କେବଳ ନିଶା କାରବାରରେ ବ୍ୟବହୃତ ହେଉଥିଲା ନା ଅନ୍ୟ କୌଣସି ଆପରାଧିକ କାର୍ଯ୍ୟରେ ବ୍ୟବହୃତ ହେଉଥିଲା, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଶ୍ରୀ ପିଆର୍ କହିଛନ୍ତି। ପୂର୍ବରୁ ଡ୍ରଗ୍ସ ଓ ବେଆଇନ ଖଣି ବେପାରରେ ଥିବା ଛୋଟା ଗିରଫ ହୋଇସାରିଥିବା ବେଳେ ପୁଣି କେଉଁ ଖଣି ମାଫିଆଙ୍କୁ ଏମାନେ ଏହି ନିଶାଦ୍ରବ୍ୟ ଯୋଗାଉଥିଲେ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଛୋଟା ବ୍ୟତୀତ ଆହୁରି ଖଣି ମାଫିଆ ଏବେ ବି ଏସ୍ଟିଏଫ୍ ପଞ୍ଝାରୁ ବାହାରେ ଥିବା ପ୍ରମାଣିତ ହୋଇଛି। ତେବେ ଗିରଫ ଅଭିଯୁକ୍ତମାନଙ୍କ ବୟାନକୁ ଆଧାର କରି ଖଣି ମାଫିଆମାନଙ୍କୁ ଠାବ କରାଯାଇଛି। ଖୁବ୍ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍ଟିଏଫ୍ ଏସ୍ପି ଶ୍ରୀ ପିଆର୍ କହିଛନ୍ତି।