ସାଧୁଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା : ଭାଇରାଲ ଭିଡିଓ ଦେଖି କଡ଼ା କାର୍ଯ୍ୟାନୁଷ୍ଠାନ ନେବ ପୁଲିସ

ରାୟପୁର: ଛତିଶଗଡର ଦୁର୍ଗ ଜିଲ୍ଲାରେ ସାଧୁଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଛି । ପିଲା ଚୋରି ସନ୍ଦେହରେ ୩ ସାଧୁଙ୍କୁ  ମାଡ଼ ମରାଯାଇଥିଲା। ଏପରିକି ମାଡ଼ ଖାଉଥିବା ସାଧୁମାନଙ୍କୁ ଉଦ୍ଧାର କରିବାକୁ ଆସିଥିବା ପୁଲିସଙ୍କୁ ବି ନିସ୍ତାର ମିଳି ନଥିଲା । ଏହି ବିବାଦ ବଢ଼ିବାରେ ଲାଗିଲା । ସାଧୁମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ବେଶ ବଦଳାଇ ସାଧୁ ବନିଥିବା ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ଭିଲାଇ ପୁଲିସ।

ପ୍ରକୃତରେ ଘଟଣା ଏମିତି।  କିଛି ଦିନ ପୂର୍ବରୁ ଦୁର୍ଗ ଜିଲ୍ଲାର ଖୁରସିପର ପୁଲିସ ଷ୍ଟେସନ ଅଞ୍ଚଳରେ ଏକ ପିଲା ଚୋରି ଗ୍ୟାଙ୍ଗ ଧରାପଡ଼ିଥିଲା । ସେବେଠାରୁ ଅଭିଭାବକମାନେ  ସେମାନଙ୍କ  ପିଲାମାନଙ୍କ ବିଷୟରେ ଚିନ୍ତା କରିବା ଆରମ୍ଭ କରି ଦେଇଛନ୍ତି । ଦୁର୍ଗ ଜିଲ୍ଲାର ଭିଲାଇ-୩ ପୁଲିସ ଷ୍ଟେସନ ପରିସରର ଚାରୋଦା ବସ୍ତିରେ ଥିବା ଦଶହରା ମହୋତ୍ସବରେ ଭିକ୍ଷା ମାଗୁଥିବା ତିନି ଜଣ ସାଧୁଙ୍କୁ ପିଲା ଚୋରି ଅଭିଯୋଗରେ ସ୍ଥାନୀୟ ଲୋକମାନେ ଧରିବା ସହ ମାଡ଼ ମାରିଥିଲେ । ସାଧୁଙ୍କୁ ମାଡ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକମାନେ କିପରି ଅତି  ନିର୍ମମଭାବେ ୩ ସାଧୁଙ୍କୁ ଚାରିପଟୁ ଘେରି ସେମାନଙ୍କୁ ମାଡ଼ମାରୁଛନ୍ତି  ତାହା ଭିଡିଓରୁ ସ୍ପଷ୍ଟ ଦେଖିବାକୁ ମିଳୁଛି।

ସାଧୁଙ୍କୁ ମାଡ ମାରିବା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଚରୋଦା ବସ୍ତି ଆଡକୁ ଯାଇଥିଲେ । ପୁଲିସ ଯେତେବେଳେ ସାଧୁଙ୍କୁ ମାଡରୁ ରକ୍ଷା କରିବା ପାଇଁ ସେଠାରେ ପହଞ୍ଚିଥିଲେ  ସେତେବେଳେ ଲୋକମାନେ ରାଗି ଯାଇଥିଲେ । ବସ୍ତିବାସିନ୍ଦାମାନେ ପୁଲିସ ସହ ଯୁକ୍ତିତର୍କ ମଧ୍ୟ କରିଥିଲେ । ଭିଡିଓରେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ପୋଲିସ ସାଧୁମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲା, କିନ୍ତୁ ଲୋକମାନେ ପୁଲିସକୁ ମଧ୍ୟ ଛାଡ଼ି ନାହାନ୍ତି । ଏସପି ଡକ୍ଟର ଅଭିଷେକ ପାଲ୍ଲାଭ କହିଛନ୍ତି ଯେ ଭିକ୍ଷା ମାଗୁଥିବା ସାଧୁଙ୍କୁ ମାଡ ମାରିବା ମାମଲା ସାମ୍ନାକୁ ଆସିଛି । ପିଲା ଚୋରି ସନ୍ଦେହରେ ଏହି ଘଟଣା ଘଟିଛି । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଯେଉଁମାନେ ସାଧୁଙ୍କୁ ମାଡ ମାରିଛନ୍ତି ସେମାନଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜୀକୃତ ହେବ । ପୁଲିସ ଘଟଣାର ତଦନ୍ତ କରୁଛି, ସେପଟେ ପିଲା ଚୋରିର ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ ବୋଲି ଏସପି କହିଛନ୍ତି । ଯଦି ତୁମେ କିଛି ସନ୍ଦେହଜନକ ଦେଖୁଛ, ତୁରନ୍ତ ପୁଲିସକୁ ଜଣାନ୍ତୁ।

ସମ୍ବନ୍ଧିତ ଖବର