ଭୁବନେଶ୍ବର : ଛାତ୍ରଙ୍କୁ ଆକ୍ରମଣ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଅନ୍ୟ ଜଣେ ଛାତ୍ରକୁ ଗିରଫ କରିଛି। ସେ ହେଲେ +୩ ଛାତ୍ର ଶିବ ଶଙ୍କର ଜେନା(୧୮)। ବୁଧବାର ଦିନ ପ୍ରାୟ ସାଢ଼େ ଗୋଟାଏରେ ଶିବ ଶଙ୍କର ଓ ତା’ର ସହଯୋଗୀମାନେ କଲେଜ୍ ସମ୍ମୁଖରେ ନଚାନଚି କରି ଜନ୍ମଦିନ ପାଳନ କରୁଥିଲେ। ଏହି ସମୟରେ ଅନ୍ୟ ଜଣେ ଛାତ୍ରଙ୍କ ସହ ଶିବର ଧକ୍କା ହୋଇଥିଲା। କଲେଜ୍ ସମ୍ମୁଖରୁ ସାଇଡ୍ ହୋଇ ନଚାନଚି କର ବୋଲି କହିବାରୁ ଶିବ ରାଗିଯାଇ ଅନ୍ୟ ଛାତ୍ରଜଣଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ମାଡ଼ପିଟ୍ ଦେଖି କଲେଜ୍ ଅଧ୍ୟକ୍ଷ ଓ ଅଧ୍ୟାପକମାନେ ଧାଇଁ ଆସିଥିଲେ। ଆହତ ଛାତ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲେ। ଏନେଇ ଅଧ୍ୟକ୍ଷ ନୂଆପଲ୍ଲୀ ଥାନା ପୁଲିସକୁ ଖବର ଦେବାରୁ ପୁଲିସ ସେଠାରୁ ଶିବକୁ ଗିରଫ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଆଜି ତାକୁ କୋର୍ଟ ଚାଲାଣ କରିଛି।
ଯୁବକଙ୍କୁ ଆକ୍ରମଣ କରି ଲୁଟ୍, ଲୁଟେରା ଗିରଫ
ଭୁବନେଶ୍ବର : ଜଣେ ଯୁବକଙ୍କୁ ଆକ୍ରମଣ କରି ଲୁଟ୍ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ବେଗୁନିଆ ଛତ୍ରପଦା ଅଞ୍ଚଳର ଆଲୋକ ରଂଜିତ(୨୪)କୁ ଗିରଫ କରିଛି। ସେ ୟୁନିଟ୍-୯ ଅଞ୍ଚଳରେ ରୁହେ। ପୁଲିସ ସୂଚନା ମୁତାବକ, ଗତ ୨୬ ତାରିଖ ରାତି ପ୍ରାୟ ୮ଟାରେ ବାପି ରାଉତ ନାମକ ଯୁବକ ୟୁନିଟ୍-୩ ସ୍ଥିତ ଘରକୁ ଫେରୁଥିଲେ। ସେ ଘର ସମ୍ମୁଖ ରାସ୍ତାରେ ଯାଉଥିବା ବେଳେ ଆଲୋକ ଓ ତା’ ସହଯୋଗୀ ଏକ ବାଇକ୍ରେ ଆସି ତାଙ୍କୁ ଅଟକାଇଥିଲେ। କିଛି ବୁଝିବା ପୂର୍ବରୁ ଉଭୟ ତାଙ୍କୁ ଆକ୍ରମଣ କରି ମୋବାଇଲ୍ ଓ ପର୍ସ ଛଡ଼ାଇ ନେଇଥିଲେ। ଏନେଇ ବାପି ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ଉଭୟଙ୍କୁ ଚିହ୍ନଟ କରିଥିଲା। ଆଜି ଆଲୋକକୁ ଗିରଫ କରା ଯାଇଥିବା ବେଳେ ତା’ ସହଯୋଗୀକୁ ଧରିବା ପାଇଁ ପୁଲିସ ତନାଘନା ଜାରି ରଖିଛି।